କୂଳ ଲଙ୍ଘୁଛି ସମୁଦ୍ର
Advertisement
Article Detail0/zeeodisha/odisha683730

କୂଳ ଲଙ୍ଘୁଛି ସମୁଦ୍ର

କେମିତି ରହିଛି 'ଅମ୍ଫାନ' ପ୍ରଭାବ ? 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଏବେ ପାରାଦୀପଠାରୁ ୧୫୫ କିଲୋମିଟର ଦୂରରେ ରହିଛି 'ଅମ୍ଫାନ' । ବାତ୍ୟା ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି । ପାରାଦୀପରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି । ବିଜୁଳି ସେବା ମଧ୍ୟ ପ୍ରଭାବିତ ହୋଇଛି । ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୁଦ୍ର ଉପକୂଳ ତଥା ବିଭିନ୍ନ ବସ୍ତି ବାସିନ୍ଦାମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ସେହିପରି ଗତକାଲି ରାତିରୁ ବାତ୍ୟା 'ଅମ୍ପାନ' କୋଣାର୍କ, ଅସ୍ତରଙ୍ଗ, କାକଟପୁର ଅଞ୍ଚଳରେ ତାଣ୍ତବ ରଚୁଛି । ପବନର ବେଗ ବେଶ ଅଧିକ ରହିଛି । ସମୁଦ୍ରର ଉଚ୍ଚ ଜୁଆର କୂଳ ଲଙ୍ଘୁଛି ।

ସେହିପରି ଯାଜପୁରରେ ସାମୁଦ୍ରିକ ବାତ୍ୟା 'ଅମ୍ଫାନ'ର ପ୍ରଭାବ ମଧ୍ୟ ଅନୁଭୂତ ହେଲାଣି ।  ଗତକାଲି ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଭୋରରୁ ପବନ ମଧ୍ୟ ଆରମ୍ଭ ହୋଇଛି । ଜିଲ୍ଲାର ବଡ଼ଚଣା, ଧର୍ମଶାଳା, ବରୀ, ବିଂଝାରପୁର, ଦଶରଥପୁର ପ୍ରଭୃତି ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଉଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କ ସମେତ  ସମସ୍ତ ତହସିଲର ତହସିଲଦାର ଓ ବିଭିନ୍ନ  ବ୍ଲକର ବିଡିଓମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ  ବିଭାଗର କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ସଜାଗ ରହିଛନ୍ତି । ଦୁଇଟି ଓଡ୍ରାଫ୍ ଟିମ୍ ଦଶରଥପୁର ବ୍ଲକର କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ପହଞ୍ଚିଥିବା ସୂଚନା ମିଳିଛି । ଏଥିସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ  ରହିବାକୁ କୁହାଯାଇଛି ।

ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ 'ଅମ୍ଫାନ'ର ପ୍ରଭାବ ଗତକାଲି ବିଳମ୍ବିତ ରାତିଠାରୁ ଆରମ୍ଭ ହୋଇଛି । ପବନର ବେଗ ୪୦ ରୁ ୬୦ କିମି ମଧ୍ୟରେ ରହିଛି । ଅନ୍ୟପଟେ କେନ୍ଦ୍ରାପଡ଼ାରେ ପବନର ବେଗ ବହୁ ଅଧିକ ଥିବା ବେଳେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଛିପ୍ ଛିପ୍ ବର୍ଷା ହେଉଛି । 

;