ସାଲେପୁର ତୋଟାପଡ଼ା ଗାଁର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ପରିବାରରେ ଘଟିଛି ଏମିତି କିଛି । ଯେଉଁ କାହାଣୀ ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ ।
Trending Photos
)
ଦୀପକ ଦାସ, ସାଲେପୁର: କେତେ ହୃଦୟ ବିଦାରକ ହୋଇପାରେ ଏ ମୃତ୍ୟୁ । ଅହମ୍ମଦାବାଦରେ ପୁଅ, ସାଲେପୁରରେ ପରିବାର । ଆଉ ଏହାରି ଭିତରେ ପୁଅର ଦେହ ଖରାପ ହୁଏ, ମେଡ଼ିକାଲରେ ଭର୍ତ୍ତି ହୁଏ । ପରିବାର ସହ ଭିଡ଼ିଓ କଲରେ କଥା ହେଉଥାଏ । କୋରୋନା ଯୋଗୁ ପୁଅ ଆସିବା କି ଘର ଲୋକ ଯିବା ସମ୍ଭବ ହୋଇ ନ ଥିଲା । ସେମିତିରେ ବି ପରିବାରରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ । ପୁଅ ଓ ପରିବାର ଭିତରେ ଦୂରତ୍ୱର କାହାଣୀ ଏ ଖବର ପଢ଼ୁଥିବା ଲୋକଙ୍କ ଆଖିକୁ ଓଦା କରିଦେଉଛି । ପୁଅର ମୃତ୍ୟୁ ହୋଇଯାଏ, ଭିଡ଼ିଓ କଲରେ ଶେଷ ଦର୍ଶନ କରନ୍ତି ବାପା-ମାଆ । ସେଇଠି ହିଁ ହୁଏ ଅନ୍ତିମ ସଂସ୍କାର । ଆଖିରେ ଆଏଖି ଲୁହ ଧରି ପୁଅକୁ ଶେଷ ଥର ପାଇଁ ମୋବାଇଲ କାଚରେ ଦେଖିନିଅନ୍ତି ପରିବାର ଲୋକ ।
ସାଲେପୁର ତୋଟାପଡ଼ା ଗାଁର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ପରିବାରରେ ଘଟିଛି ଏମିତି କିଛି । ଯେଉଁ କାହାଣୀ ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ । ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ ପୁଅ ସନ୍ତୋଷ ସ୍ୱାଇଁ । କୋରୋନା ଯୋଗୁ ଲକଡାଉନ ହେଲା, ଆଉ ସେଠି ହିଁ ସେ ରହିଯାଇଥିଲେ। ତେବେ ଗତ ମାସ ଶେଷ ବେଳକୁ ତାଙ୍କ ଦେହ ଖରାପ ହୁଏ । ମେଡିକାଲରେ ଚିକିତ୍ସା ଚାଲେ, ଶେଷରେ ଗତ ୬ ତାରିଖରେ ଆଖିବୁଜନ୍ତି ସନ୍ତୋଷ । ତାଙ୍କୁ କୋରୋନା ହୋଇ ନ ଥିଲା ସତ, ହେଲେ କୋରୋନା ଯୋଗୁଁ ମୃତ ଦେହ ଘରକୁ ଆଣିବା ବି ମୁସକିଲ ଥିଲା ।

ଆଉ ଏସବୁ ଭିତରେ ମୃତ ପୁଅ କାମ କରୁଥିବା କମ୍ପାନୀର ମାଲିକ ଅନୁପ ପଟେଲ ପରିବାର ଆଖିରେ ଭଗବାନ ପାଲିଟିଯାଆନ୍ତି । କାହିଁକିନା ମାଲିକ ଭାବେ ଶ୍ରମିକଙ୍କ ପ୍ରତି ଥିବା ଦାୟିତ୍ୱକୁ କେବେ ଖିଲାପ କରିନଥିଲେ ଅନୁପ । ସନ୍ତୋଷଙ୍କୁ ମେଡିକାଲରେ ଭର୍ତ୍ତି କରିବାଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ନିଜେ ବହନ କରିଥିଲେ । ଆଉ ମୃତ୍ୟୁ ପରେ ଯଦିଓ ମୃତ ଦେହ ଘରକୁ ପଠାଇବା ସମ୍ଭବ ନଥିଲା, ତେବେ ସେଠାରେ ସନ୍ତୋଷଙ୍କ ଶେଷକୃତ୍ୟ ମଧ୍ୟ କରିଥିଲେ । ପରିବାର ଲୋକ ଅନ୍ତିମ ଦର୍ଶନରୁ ବଞ୍ଚିତ ନହୁଅନ୍ତୁ, ସେଇଥିପାଇଁ ଭିଡିଓ କଲ କରି ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ । ଲକଡାଉନ ବେଳେ ଶ୍ରମିକଙ୍କୁ କମ୍ପାନୀରୁ ଛଟେଇ କରୁଥିବା ଭଳି ସ୍ୱାର୍ଥପର ମାଲିକ ନଥିଲେ ଅନୁପ । ଶ୍ମଶାନ ପର୍ଯ୍ୟନ୍ତ ସାଥ୍ ଦେଇଥିଲେ ।
ଏବେ ବୁକୁ ଫଟାଇ କାନ୍ଦୁଛନ୍ତି ମୃତ ସନ୍ତୋଷଙ୍କ ପରିବାର । ରୋଜଗାରିଆ ପୁଅ ଚାଲିଗଲା, ପରିବାର ଲୋକେ ପୁରା ଅସହାୟ । ତୋଟାପଡ଼ା ଗାଁରେ ବି ଶୋକାକୂଳ ପରିବେଶ ।