ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ଲଖାରୀ ଅଭାୟରଣ୍ୟକୁ ବ୍ରହ୍ମପୁର ଭଞ୍ଜବିହାର ଉଦ୍ୟାନର ହରିଣଙ୍କୁ ସ୍ଥାନାନ୍ତର କରାଯାଉଛି ।
Trending Photos
)
ପ୍ରେମାନନ୍ଦ ପୂଜାରି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳର ଲଖାରୀ ଅଭାୟରଣ୍ୟକୁ ବ୍ରହ୍ମପୁର ଭଞ୍ଜବିହାର ଉଦ୍ୟାନର ହରିଣଙ୍କୁ ସ୍ଥାନାନ୍ତର କରାଯାଉଛି । ଏଥିପାଇଁ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ହରିଣଙ୍କ ଲାଗି ସ୍ବତନ୍ତ୍ର ଏନକ୍ଲଜର କରାଯାଇଥିବା ବେଳେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ବନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ତେବେ ଏଯାବତ କେତୋଟି ହରିଣ ଅଭୟାରଣ୍ୟରେ ଛଡାଗଲାଣି ତାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ସୂଚନା ମିଳୁନଥିବା ବେଳେ ବିଭାଗ ତରଫରୁ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲକ୍ଷାରୀ ଅଭୟାରଣ୍ୟକୁ ପ୍ରବେଶ ନିଶେଧ କରାଯାଇଛି । ଅପରପକ୍ଷେ ଛଡାଯାଇଥିବା ହରିଣ ମଧ୍ୟରୁ ତିନିରୁ ଚାରୋଟିର ମୃତ୍ୟୁ ଘଟିଥିବା ଶୁଣିବା ପରେ ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜଣାଇବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ହରିଣ ମୃତ ଖବର କେବଳ ଗୁଜବ ବୋଲି କହିଛନ୍ତି ଡିଏଫଓ ।
ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଲକ୍ଷାରୀ ଅଭୟାରଣ୍ୟରେ ହରିଣଙ୍କୁ ରଖିବା ଲାଗି ଚନ୍ଦ୍ରଗିରି ବନାଞ୍ଚଳରୂ ବାଲିଗଣ୍ଡା ଗାଁ ନିକଟସ୍ଥ ଜଙ୍ଗଲରେ ୨ହେକ୍ଟର ପରିମିତ ଇଲାକାରେ ତାର ଜାଲି ବାଡ଼ ବୁଲାଇ ସ୍ବତନ୍ତ୍ର ଏନ୍କ୍ଲୋଜର କରାଯାଇଛି । ହରିଣଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି । ଦାର୍ଘ ୪୧ ବର୍ଷ ଧରି ମନୁଷ୍ୟ ମିଳାପି ଏହି ହରିଣ ମାନଙ୍କୁ ଆଣି ଜଙ୍ଗଲରେ ରଖାଯାଉଥିବା ହେତୁ ହରିଣ ମାନଙ୍କ ସୁରକ୍ଷା ତଥା ରହିବା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ପାରଳାଖେମୁଣ୍ଡି ବନଖଣ୍ଡ ଦାୟୀତ୍ବରେ ରହିଥିବା ବେଳେ ଏହି ସ୍ତାନାନ୍ତରିତ ପ୍ରକ୍ରିୟାରେ ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି ।
ନନ୍ଦନକାନନରୁ ଆସିଥିବା ସ୍ବତନ୍ତ୍ର ଯନ୍ତା ସାହାଯ୍ୟରେ ହରିଣଙ୍କୁ ପର୍ଯ୍ୟାୟ କ୍ରମେ ଅଣାଚାଲିଛି । ବର୍ତ୍ତମାନ ସୁଦ୍ଦା ତିନିଥର ହରିଣ ମାନଙ୍କୁ ଅଣାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 7 ଟି ହରିଣ ,ଦ୍ବିତୀୟ ପର୍ଯ୍ୟାୟରେ 14 ଟି ଏବଂ ତୃତୀୟ ପର୍ଯ୍ୟାୟରେ 10ଟି ହରିଣ ଛଡାଯାଇଥିବା ଜଣାପଡ଼ିଥିବା ବେଳେ ସମୁଦାୟ କେତୋଟି ହରିଣଙ୍କୁ ଏନକ୍ଲୋଜରରେ ଛଡାଗଲାଣି ତାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳୁନାହିଁ । ମିଳିଥିବା ସୂଚନା ଅନୁସାରେ ପ୍ରଥମ ଦିନରେ ୮ଟି ହରିଣକୁ ଅଣାଯାଇଥିବା ବେଳେ ସେଥିମଧ୍ୟରୁ ଜଣକ ମୃତ୍ୟୁ ହୋଇସାରିଥିଲା , ଉକ୍ତ ଦିନରେ ହିଁ ଛଡାଯ଼ିବାର କିଛି ସମୟ ମଧ୍ୟରେ ଅନ୍ୟ ଦୁଇ ହରିଣର ମଧ୍ୟ ମୃତ୍ୟୁ ଘଟିଥିଲା, ଏବଂ ଦ୍ବିତୀୟ ଦିନରେ ଆଉ ଗୋଟିଏ ହରିଣ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା 4ଟି ହରିଣକୁ ପୋତାଯାଇଥିବା ଗୋପନୀୟ ସୂଚନା ହସ୍ତଗତ ହୋଇଛି ।
ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ ତଦନ୍ତ କରିବା ନିମନ୍ତେ ଦାବୀ କରିଛନ୍ତି । ଏଥିସହ ହରିଣ ଛଡାଯିବା ପୁର୍ବରୁ ଗ୍ରାମରେ ରହିଥିବା ଗ୍ରାମ୍ୟ ବନ ଉନ୍ନୟନ ସମିତି ସହ ଉତ୍ତମ ବୁଝାମଣା ହୋଇଥିବା ବେଳେ ଏବେ ହରିଣ ଛ଼ଡାଯିବା ନେଇ କୌଣସି ସୂଚନା ଗ୍ରାମବାସୀଙ୍କୁ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । ତେବେ ହରିଣର ମୃତ୍ୟୁ ଘଟଣା ସନ୍ଦେହ ଘେରରେ ରହିଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।