Advertisement
Article Detail0/zeeodisha/odisha699903
Zee OdishaOdisha Khabarଆଲୌକିକ ଶକ୍ତି ଆଗରେ ହାର ମାନିଲା ଷଡ଼ଯନ୍ତ୍ର: ଦିଲ୍ଲୀପ ରାୟ

ଆଲୌକିକ ଶକ୍ତି ଆଗରେ ହାର ମାନିଲା ଷଡ଼ଯନ୍ତ୍ର: ଦିଲ୍ଲୀପ ରାୟ

ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ମତ ପରିବର୍ତ୍ତନ କରି ଯେଉଁ ରାୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ବିସ୍ମୟକର ଆଶିର୍ବାଦ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । 

ଫାଇଲ ଫଟୋ
ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ରଥଯାତ୍ରାର ପୂର୍ବଦିନ ପର୍ଯ୍ୟନ୍ତ ଷଡ଼ଯନ୍ତ୍ର ଚାଲିଥିଲା । ରଥଯାତ୍ରା ବନ୍ଦ କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର । ହେଲେ ଶ୍ରୀଜଗନ୍ନାଥଙ୍କ ଆଲୌକିକ ଶକ୍ତି ଆଗରେ ତାହା ହାରମାନିଛି । ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ମତ ପରିବର୍ତ୍ତନ କରି ଯେଉଁ ରାୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ବିସ୍ମୟକର ଆଶିର୍ବାଦ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ । 

ଆସନ୍ତାକାଲି ଗଡ଼ିବ ରଥ । ବଡ଼ଦାଣ୍ଡକୁ ଆସିବେ ଜଗତର ନାଥ । ବିନା ଭକ୍ତରେ ଆୟୋଜନ ହେବ ରଥଯାତ୍ରା । ସୁପ୍ରିମକୋର୍ଟ ନିଜ ପୂର୍ବ ରାୟକୁ ପରିବର୍ତ୍ତନ କରି କଣାକଣା ସହ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ଆଉ ଏହା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଦେଶର ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । 

ଦିଲ୍ଲୀପ କହିଛନ୍ତି, ରଥଯାତ୍ରା ଲାଗି ମୂଳରୁ ଠିକଣା ଭାବେ ମନ ସ୍ଥିର କରାଯାଇଥିଲେ ଏତେ ଅବ୍ୟବସ୍ଥା ହୋଇନଥାନ୍ତା । ପୁରୀ ସମେତ ସମଗ୍ର ବିଶ୍ୱର ବିଭିନ୍ନ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିନଥାନ୍ତା । ବିଳମ୍ବରେ ହେଲେ ମଧ୍ୟ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଯେଉଁ ସର୍ତ୍ତାରୋପ କରିଛନ୍ତି, ତାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଏବଂ ଜନସାଧରଣ ଅନୁପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ରଥଯାତ୍ରାରେ ରାଜନୈତିକ ବିବାଦ ସୃଷ୍ଟିନକରି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ଓ ଧାର୍ମିକ ସଙ୍ଗଠନ ନିଜ ନିଜ ସ୍ତରରେ ଏହାର ଅନୁପାଳନ କରିବା ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି ।  

Add Zee News as a Preferred Source

ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶେଷରେ ଜଗନ୍ନାଥଙ୍କ ଇଚ୍ଛା ପୂରଣ ହୋଇଛି । ରାଜ୍ୟ ସରକାର ସେୟା କଲେ, କିନ୍ତୁ ସମୟ ଗଡ଼ାଇ ଚାଲିଲେ ବୋଲି କହିଛନ୍ତି ନିରଞ୍ଜନ । ଆମେ ପ୍ରଥମରୁ କହିଥିଲୁ, ସ୍ନାନ ପୂର୍ଣିମା ଭଳି କଟକଣା ଜାରି କରି ରଥଯାତ୍ରା ହେଉ ।  କିନ୍ତୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନଥିଲେ, ଯାହାକି ଗତ ୨ ଦିନରେ ଧରା ପଡ଼ିଯାଇଛି ବୋଲି ସେ କହିଛନ୍ତି । 

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସମସ୍ତଙ୍କ ଇଛା ରଥଯାତ୍ରା ହେଉ । ଏହା ମୁଁ ପ୍ରଥମ ଦିନରୁ କହିଛି । ସର୍ବୋଚ୍ଚ ନ୍ୟାୟାଳୟକୁ ଧନ୍ୟବାଦ । ରଥଯାତ୍ରା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଳିଷ୍ଠ ଯୁକ୍ତି ରଖାଯାଇଥିଲା । ଓଡ଼ିଶା ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ମଧ୍ୟ ଧନ୍ୟବାଦ ବୋଲି କହିଛନ୍ତି ସମୀର ମହାନ୍ତି । 

ସେହିପରି ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଭିମୁଖ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତେ ଆନନ୍ଦିତ । ଏହା ଆମ ପାଇଁ ପରମ ସୌଭାଗ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଅନୁଷ୍ଠିତ ହେଉଛି । ଶାନ୍ତିଶୃଙ୍ଖଳା ସହିତ ଏହାକୁ ସମାପନ କରିବାକୁ ଉଦ୍ୟମ କରାଯିବ । ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛନ୍ତି କୃଷି ମନ୍ତ୍ରୀ । 

About the Author