'ବିଷ୍ଣୁ'ଙ୍କୁ ଶେଷ ଦର୍ଶନ କଲେ ବାଚସ୍ପତି

ଆଜି ପ୍ରଥମେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା ।

'ବିଷ୍ଣୁ'ଙ୍କୁ ଶେଷ ଦର୍ଶନ କଲେ ବାଚସ୍ପତି

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କଲେ ବାଚସ୍ପତି । ବିଧାନସଭା ପରିସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ଅନେକ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି ୬୬ ବର୍ଷ ବୟସରେ ବିଷ୍ଣୁ ଦାସଙ୍କ ପରଲୋକ ହୋଇଛି । 

ଆଜି ପ୍ରଥମେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ପରେ ବିଧାନସଭା ପରିସରକୁ ବିଷ୍ଣୁଙ୍କ ମର ଶରୀରକୁ ନିଆଯାଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶେଷ ଦର୍ଶନ କରିଥିଲେ । ଏବେ ଜନ୍ମମାଟି ତିର୍ତୋଲ ଅଭିମୁଖେ ମରଶରୀରକୁ ନିଆଯାଉଛି । ଆଜି ସନ୍ଧ୍ୟାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି । 

ବିଷ୍ଣୁ ଦାସ ୧୯୫୪ ମସିହା ଅକ୍ଟୋବର ୯ରେ ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଜଗତସିଂହପୁର ଆସନରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ(ବିଜେଡି) ଟିକେଟରେ ଲଗାତାର ୩ ଥର ଜିତିବା ସହ ୨୦୦୬ ମସିହାରେ ୧୫ ମାସ ପାଇଁ  ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ସେ । ଏହାପରେ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଆଉ ବହୁ ଭୋଟରେ ବିଜୟ ଲାଭ କରିଥିଲେ । 

ବିଷ୍ଣୁ ଚରଣ ଦାସ ଜଣେ ଦଳିତ ନେତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ୧୯୮୦ ମସିହା ଛବିରାଣୀ ହତ୍ୟାକାଣ୍ଡ ବେଳେ ସେ ଚର୍ଚ୍ଚାକୁ ଆସିଥିଲେ । ଆନ୍ଦୋଳନରେ ପୁରୋଧା ଭାବେ ନାସୋ ଆଇନରେ ଗିରଫ ହୋଇଥିଲେ । ବିଜୁ ବାବୁଙ୍କ ସମୟରେ ଜନତା ଦଳର ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇ ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ । ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଲଗାତାର ୩ ଥର ଛାତ୍ର ୟୁନିଅନର ସଭାପତି ହୋଇ ଛାତ୍ର ଜୀବନରୁ ରାଜନୀତି ସହ ଓତପ୍ରୋତ ଭାବେ ଜଡ଼ିତ ଥିଲେ । ବିଜେଡିର ଦଳିତ ସାମ୍ମୁଖ୍ୟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ବିଷ୍ଣୁ ଦାସ । ବିଭିନ୍ନ ସମୟରେ ତାଙ୍କର ରୋକଠୋକ କଥା ପାଇଁ ସେ ଚର୍ଚ୍ଚାରେ ରହୁଥିଲେ ।