ରାଜ୍ୟରେ ଆଜିଠୁ ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତାକାଲି ୨ ତାରିଖରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ ଏବଂ ବୌଦ୍ଧ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । 

ରାଜ୍ୟରେ ଆଜିଠୁ ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ୪ ସୁଦ୍ଧା ଲଘୁଚାପ, ଆଜିଠୁ ୫ ଦିନ ଯାଏ ପ୍ରବଳ ବର୍ଷା ସତର୍କତା । ଅଗଷ୍ଟ ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ମୌସୁମୀ ଟ୍ରଫ ଲାଇନ ସକ୍ରିୟ ରହିଥିବା ବେଳେ ଏକ ଶିଅର୍ ଜୋନ୍ ମଧ୍ୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, ସୁନ୍ଦରଗଡ, ନୂଆପଡା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଦେବଗଡ, କନ୍ଧମାଳ, ଗଂଜାମ, ରାୟଗଡା, କଳାହାଣ୍ଡି ଏବଂ ନୟାଗଡ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଦକ୍ଷିଣ-ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ କିଛି ସ୍ଥାନ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । 

ସେହିପରି ଆସନ୍ତାକାଲି ୨ ତାରିଖରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବରଗଡ ଏବଂ ବୌଦ୍ଧ ଜିଲ୍ଲା ପାଇଁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।  ୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାସହ ୪ ଓ ୫ ତାରିଖରେ ଉତ୍ତର ବଙ୍ଗୋପସାଗର ଅଂଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି ।

ସେପଟେ ରାଜ୍ୟରେ ଏଯାବତ ଦକ୍ଷିଣ-ପଶ୍ଚିମ ମୌସୁମୀ ଜନିତ ବର୍ଷା  ଜୁନରୁ ୧  ଅଗଷ୍ଟ ମଧ୍ୟରେ ୪୭୮ ଦଶମିକ ୯ ମିଲିମିଟର ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭ ପ୍ରତିଶତ କମ୍ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।