)
ମୁକେଶ ପ୍ରଧାନ, ଝାରସୁଗୁଡ଼ା: ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ବୁର୍ଲା ମେଡିକାଲରେ ଆଖି ବୁଜିଲେ ମୃତକ ଦୀପକ ବିଶ୍ୱାଳଙ୍କ ଭାଇ ଶ୍ରୀକାନ୍ତ ବିଶ୍ୱାଳ । ଜଣେ ଭଉଣୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଅନ୍ୟ ଦୁଇ ଭଉଣୀ ଓ ମାଆ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଦୁର୍ଘଟଣାର ଶିକାର ହୋଇ ୨ ବର୍ଷ ହେବ ଶର୍ଯ୍ୟାଶାୟୀ ଥିବା ଦୀପକ ବିଶ୍ୱାଳଙ୍କ ମୃତ୍ୟୁ ପରେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ପରୁ ପରିବାର ଲୋକ ।
ବୋଝ ଉପରେ ଏବେ ନଳିତା ବିଡ଼ା । ଦୀପକଙ୍କ ମୃତ୍ୟୁ ହୋଇଥିଲା, ଏବେ ଦୀପକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଇ ଶ୍ରୀକାନ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଝାରସୁଗୁଡ଼ା BTM ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିପାକାଇଛି ।
କ'ଣ ଥିଲା ପୁରା ଘଟଣା ?
ଯାହା ଜଣାପଡ଼ିଛି, ଏହି ପରିବାରର ବଡ଼ ପୁଅ ଦୀପକ ବିଶ୍ୱାଳ ଗତ ୨୦୧୮ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଘରେ ଦୀର୍ଘ ୨ ବର୍ଷ କାଳ ଶଯ୍ୟାଶାୟୀ ହେବା ପରେ ଶେଷରେ ସୋମବାର ସେ ଆଖି ବୁଜିଥିଲେ । ଆଉ ଏଥିରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ସମସ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରିବାରର ଅନ୍ୟ ୫ ସଦସ୍ୟ ।
ଗୁରୁତର ଅବସ୍ଥାରେ ମୃତ ଦୀପକଙ୍କ ୩ ଭଉଣୀ, ଭାଇ ଓ ମାଆଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଜଣେ ଭଉଣୀ ଓ ଭାଇ ଶ୍ରୀକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ତେବେ ଶ୍ରୀକାନ୍ତ ଶେଷରେ ଆଖିବୁଜିଛନ୍ତି ।