)
ରାଧାଶ୍ୟାମ ଆଚାର୍ଯ୍ୟ, ଗଞ୍ଜାମ: ଫିକା ଫଡିଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମେରୁ ଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ମେରୁ ଯାତ୍ରା ସହ ହନୁମାନ ମନ୍ଦିର ଗୁଡିକରେ ହନୁମାନ ଜୟନ୍ତୀକୁ ନିଡାମ୍ବର ସହ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଜିଲ୍ଲାର ସମସ୍ତ ମନ୍ଦିର ଫାଟରେ ତାଲା ଝୁଲୁଥିବା ଆଜି ଦେଖିବାକୁ ମିଳିଛି । କରୋନାର ଭୟାବହ କୁ ଦୃଷ୍ଟିରେ ରଖି ଆଜିର ଏହି ପବିତ୍ର ଦିନରେ ଭକ୍ତ ଭଗବାନ ଙ୍କ ମିଳନ ରେ ବାଧା ସୃଷ୍ଟି ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।
ଫିକା ପଡିଛି ଚଳିତ ବର୍ଷର ମହା ବିଶୁବ ସଂକ୍ରାନ୍ତି ସହ ଓଡ଼ିଆ ନବ ବର୍ଷ । ଖାଁ ଖାଁ ହୋଇଛି ମନ୍ଦିର ପ୍ରାଙ୍ଗଣ । ନା ବାଜୁଛି ଘଣ୍ଟ ଘଣ୍ଟା ନା ସୁଭୁଛି ମନ୍ତ୍ର ତନ୍ତ୍ର ର ଧ୍ବନି । ରତ୍ନ ମଣ୍ଡପରେ ବିରାଜମାନ ଠାକୁର ଭକ୍ତଙ୍କ ଆଗମନର ବାଟକୁ ଚାହିଁ ବସିଥିବା ବେଳେ ବାଧକ ସାଜିଲା ଲକ୍ ଡାଉନ । ପ୍ରଶାସନର ନିଷ୍ପତ୍ତି କ୍ରମେ ମନ୍ଦିରରେ ରୀତି ନୀତି ଅନୁଯାୟି ପୂଜା ଅର୍ଚ୍ଚନା ହେଉଥିବାବେଳେ ପାହାନ୍ତିଆ ସମୟରେ ମେରୁ ଖୁଣ୍ଟରେ ପାଟ ଦଣ୍ଡୁଆ ଝୁଲାଇ ମେରୁ ଭାଙ୍ଗିବା ସହ ନିଜ ନିଜର ମନସ୍କାମନା ପୂରଣ କରିଛନ୍ତି ସମସ୍ତେ ।
ସାମାଜିକ ବ୍ଯବଧାନ ଏହି ସମୟରେ ପ୍ରମୁଖ ମୂଳମନ୍ତ୍ର ହୋଇଥିବା ବେଳେ କରୋନାର ଭୟାବହକୁ ନଜରରେ ରଖି ମନ୍ଦିର ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଥିବା ଦେଖା ଦେଇଥିଲା । ଲକ୍ ଡାଉନ ପ୍ରଭାବରେ ଅନେକ ଲୋକ ଘରୁ ବାହାରି ନ ଥିବା ବେଳେ କିଛି କିଛି ଭକ୍ତ ଠାକୁରଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଥିଲେ ମନ୍ଦିର ନିକଟକୁ ।