)
ଭୁବନେଶ୍ୱର: କୋରୋନା ସଙ୍କଟ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଆଉ ଏହି ଲକଡାଉନ ସମୟରେ ବାହାର ରାଜ୍ୟରେ ଫସିଥିବା ଶ୍ରମିକ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ୧୪ ଦିନର କ୍ୱାରେଣ୍ଟାଇନ ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ସେମାନଙ୍କ ଖାଦ୍ୟ ସମସ୍ୟା ବିଷୟରେ ଯୋଜନା କରିସାରିଛନ୍ତି ନବୀନ ସରକାର । ଭୋକିଲା ରହିବେନି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ । ସେନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର ।
ଶ୍ରମିକମାନେ ଯେପରି ଖାଦ୍ୟ ନିରପତ୍ତାରୁ ବଂଚିତ ନ ହୁଅନ୍ତି । ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଫେରୁଥିବା ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ NRGSରେ ପ୍ରତିଦିନ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ସେମାନଙ୍କର ରାସନ କାର୍ଡ ଥାଉ କି ନଥାଉ, ଶ୍ରମିକ ଏବଂ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ସେଥିପ୍ରତି ଦୃଷ୍ଟି ଦେବାକୁ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।