)
ଯଯାତି କେଶର ମହାନ୍ତି, ଭୁବନେଶ୍ୱର: କୋରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଖୁବ୍ ଆଗରେ ରହିଛି । ଯେତେବେଳେ କୌଣସି ରାଜ୍ୟ ସାମାଜିକ କଟକଣା ବାବଦରେ ଚିନ୍ତା ବି କରିନଥିଲେ, ସେତେବେଳେ ସମାଲୋଚନା ସତ୍ୱେ ସାହସିକତାର ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାକୁ ଆଜି ଅନ୍ୟ ରାଜ୍ୟମାନେ ଅନୁସରଣ କରିବା ସହ କେନ୍ଦ୍ର ସରକାର ଅନ୍ୟକୁ ଓଡ଼ିଶାର ଉଦାହରଣ ଦେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓଡ଼ିଶାର ପ୍ରଶଂସା କରୁଛି । ଏସବୁ କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ସମୟଉପଯୋଗୀ ପଦକ୍ଷେପ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ସଗୀକୃତ ଟିମ୍ର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ । ଆସନ୍ତୁ ନଜର ପକାଇବା କୋରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା କାହିଁକି ଓ କିପରି ଆଗରେ ରହିଛି? କେବେଠାରୁ ଆରମ୍ଭ ହୋଇଛି ଅଭିଯାନ? ଅନେକ ପ୍ରତିକୂଳ ପରିସ୍ଥିତି ସତ୍ୱେ କିପରି ଓଡ଼ିଶା ସରକାର କୋରୋନା ଭଳି ମହାମାରୀକୁ ମୁକାବିଲା କରିବାରେ ସଫଳ ହୋଇଛି?
କୋରୋନାକୁ ନେଇ ସବୁଠି ସଚେତନତା, କଟକଣା । ସାରା ଦେଶରେ ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍ । କେଉଁଠି କୋରୋନା ସଂକ୍ରମିତ ଏରିଆକୁ ସିଲ୍ ତ ଆଉ କେଉଁଠି ଚାଲିଛି ସାନିଟାଇଜ୍ ? କେଉଁଠି ବଜାର ଘାଟ ବନ୍ଦ ତ ଆଉ କେଉଁଠି ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ସଚେତନତା । ଏବଂ ଲକ୍ ଡ଼ାଉନ୍ ସମୟରେ ଯେପରି ଜରୁରୀ କାର୍ଯ୍ୟ ପ୍ରଭାବିତ ନ ହୁଏ, କେହି ଭୋକିଲା ନ ରୁହେ, ସେସବୁକୁ ବି ନଜର ଦିଆଯାଉଛି । ଓଡ଼ିଶା ସେସବୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଅନେକ ଆଗରେ ରହିଛି । ସରକାରୀ ପଦକ୍ଷେପ :
ଜାନୁଆରୀ ୨୭, ୨୦୨୦ :
କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ । ରାଜ୍ୟବାସୀଙ୍କୁ ସଚେତନ କରିବା ସହ ଭୟଭୀତ ନ ହେବା ପାଇଁ ପରାମର୍ଶ । ମାଲେୟସିଆ ଓ ନେପାଳ ସହ ଭୁବନେଶ୍ୱର ସିଧାସଳଖ ବିମାନ ସଂଯୋଗ ଥିବାରୁ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ସ୍କ୍ରିନିଂ ତାଲିକାରେ ରଖିବାକୁ ପରାମର୍ଶ ଦିଆଯାଇଥିଲା ।
କଟକର ଏସ୍ସିବି, ଭୁବନେଶ୍ୱରର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲାରେ ସ୍ୱତନ୍ତ୍ର କୋରୋନା ୱାର୍ଡ଼ ପ୍ରସ୍ତୁତ । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଡ଼ାକ୍ତର ଓ ନର୍ସମାନଙ୍କୁ କୋରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ।
ମାର୍ଚ୍ଚ ୧୩, ୨୦୨୦ :
କୋରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ କରିବାରେ ଓଡ଼ିଶା ପ୍ରଥମ । ଯେଉଁଠି ଆମେରିକା, ଇଟାଲୀ ଭଳି ବିଶ୍ୱର ଉନ୍ନତ ଦେଶ ଫେଲ୍ ମାରିଛନ୍ତି, ସେଠାରେ ନବୀନଙ୍କ ରଣନୀତି ବେଶ୍ ପ୍ରଶଂସନୀୟ ହୋଇଛି । ଆଜକୁ ଠିକ୍ ଏକ ମାସ ତଳେ ମାର୍ଚ୍ଚ ୧୩ରେ କୋଭିଡ଼୍-୧୯ ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ । ସକାଳ ୯ଟା ୪୫ରେ ନବୀନ ଡ଼କାଇଥିଲେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ । ପଛକୁ ପଛ ମନ୍ତ୍ରୀ ପରିଷଦ ବୈଠକ ବି ବସିଥିଲା । କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସ୍କୁଲ, କଲେଜ ସାଙ୍ଗକୁ ସପିଂ ମଲ୍, ସିନେମା ହଲ୍ ବନ୍ଦ ଘୋଷଣା କରାଯାଇଥିଲା । ବିପର୍ଯ୍ୟୟର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି । ବଜେଟ ଅଧିବେଶନକୁ ଅଧାରୁ ସ୍ଥଗିତ ନିଷ୍ପତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ସହ ବିରୋଧି ଦଳ ନେତା ଓ ବିଧାୟକଙ୍କ ମିଳିତ ବୈଠକରେ କୋରୋନା ସମ୍ପର୍କରେ ସଚେତନତା । ସମସ୍ତେ ମିଶି ରାଜ୍ୟବାସୀଙ୍କୁ ହାତୁଧୁଆ ଶିଖାଇବା ସହ ଏହାର ଆବଶ୍ୟକତା ବାବଦରେ ବୁଝାଇଲେ, ଯାହାର ପ୍ରଭାବ ଦେଖିବାକୁ ମିଳିଲା ସାରା ରାଜ୍ୟରେ ।
ମାର୍ଚ୍ଚ ୧୬, ୨୦୨୦ : ରାଜ୍ୟର ପ୍ରଥମ କୋରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ସରକାର ନେଇଥିଲେ ସମସ୍ତ ପ୍ରତିଷେଧକ ପଦକ୍ଷେପ । ସାମାଜିକ ସୁରକ୍ଷା ଯୋଜନାର ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ପେନ୍ସନ୍ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା । ୪୮ଲକ୍ଷ ହିତାଧିକାରୀଙ୍କ ପାଇଁ ୪ ମାସର ଆଗୁଆ ଭତା ।
ମାର୍ଚ୍ଚ ୧୮, ୨୦୨୦ : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୯ ଜିଲ୍ଲାରେ ଲକ୍ ଡ଼ାଉନ୍ ।
ମାର୍ଚ୍ଚ ୨୨, ୨୦୨୦ : ପ୍ରଧାନମନ୍ତ୍ରୀଙ୍କ ଡ଼ାକରାରେ ଜନତା କର୍ଫୁରେ ସାମିଲ ହେଲା ଓଡ଼ିଶା । ଏହା ସହ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୪୦ ଭାଗ ଲକ୍ ଡ଼ାଉନ୍ ହୋଇସାରିଥିଲା । ରାଜ୍ୟରେ କୋରୋନା ଭୂତାଣୁ ଟେଷ୍ଟିଂରେ ବୃଦ୍ଧି ମଧ୍ୟ କରାଯାଇଥିଲା ।
ମାର୍ଚ୍ଚ ୨୪, ୨୦୨୦ : ସାରାଦେଶରେ ୨୧ ଦିନିଆ ଲକ୍ ଡ଼ାଉନ୍ ଘୋଷଣାରେ ଓଡ଼ିଶା ବି ସାମିଲ ହୋଇଥିଲା । ପ୍ରଥମ ରାଜ୍ୟ ଭାବେ ମେଧାବୀ ଛାତ୍ରଛାତ୍ରୀଙ୍କୁ ୩ ମାସର ଆଗୁଆ ଶିକ୍ଷା ବୃତି ପ୍ରଦାନ । ପ୍ରଥମ ରାଜ୍ୟ ଭାବେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରାୟ ସାଢେ ୩ କୋଟି ହିତାଧିକାରୀଙ୍କୁ ୩ ମାସର ଆଗୁଆ ରାସନ ପ୍ରଦାନ ।
ମାର୍ଚ୍ଚ ୨୬, ୨୦୨୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନାର ମୁକାବିଲା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ । ଏକମାତ୍ର ରାଜ୍ୟ ଭାବେ ସଙ୍ଗରୋଧ ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ପ୍ରଥମ ରାଜ୍ୟ ଭାବେ ଡ଼ାକ୍ତର, ପାରା-ମେଡ଼ିକାଲ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ରାଜ୍ୟ ସରକାରଙ୍କ ଘୋଷଣା । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଧାୟକ ହାତ ପାଣ୍ଠି କୋରୋନା ଭଳି ବିପର୍ଯ୍ୟୟରେ ଖର୍ଚ୍ଚ ହୋଇପାରିବ ବୋଲି ଗାଇଡ଼୍ଲାଇନ୍ରେ ପରିବର୍ତ୍ତନ ।
ମାର୍ଚ୍ଚ ୩୦, ୨୦୨୦ : ଓଡ଼ିଶା ସରକାରଙ୍କ କୋରୋନା ପାଇଁ ପ୍ରଥମ ଆର୍ଥିକ କଟକଣା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ୭୦ ପ୍ରତିଶତ ଦରମା ଓ ସର୍ବଭାରତୀୟ ଅଫିସରମାନଙ୍କ ୫୦ ପ୍ରତିଶତ ଦରମା ସ୍ଥଗିତ ।
ଅପ୍ରେଲ ୯, ୨୦୨୦ : ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍ ଡ଼ାଉନ୍ ଅବଧିକୁ ଅପ୍ରେଲ ୩୦ ଯାଏଁ ବୃଦ୍ଧି କରାଯାଇଥିଲା । ଓଡ଼ିଶାକୁ ଅନୁସରଣ କରି ପଞ୍ଜାବ ଓ ମହାରାଷ୍ଟ୍ରରେ ଲକ୍ ଡ଼ାଉନ୍ ଅବଧି ବୃଦ୍ଧି କରାଯାଇଛି ।
ରାଜ୍ୟ ସରକାର ସମସ୍ତ ୭ହଜାର ପଞ୍ଚାୟତରେ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ସମସ୍ତ ସୁବିଧା ଥାଇ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ମଧ୍ୟ କରିଛନ୍ତି । ବାହାର ରାଜ୍ୟର ଶ୍ରମିକମାନଙ୍କ ସହିତ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୧୦୦୦ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ନିର୍ମାଣ କରିବାରେ ସକ୍ଷମ ହୋଇଛି । ଏପ୍ରିଲ ସୁଦ୍ଧା ୬ହଜାର ଶଯ୍ୟା ସ୍ୱତନ୍ତ୍ର କୋଭିଡ଼ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିବାକୁ ସଂକଳ୍ପ ନେଇଥିବା ବେଳେ ଏବେ ଏହା ୨୦୦୦ ଶଯ୍ୟାରେ ପହଂଚିଲାଣି ।
କୋରୋନା ରୋଗୀ ଭଲ ହେବାରେ ମଧ୍ୟ ଓଡ଼ିଶା ରେକର୍ଡ଼ କରିଛି । ଏକ-ଚତୁର୍ଥାଂଶ ରୋଗୀ ଭଲ ହୋଇ ଘରକୁ ଫେରିବା ମଧ୍ୟ ରାଜ୍ୟ ପାଇଁ ଏକ ଭଲ ସଙ୍କେତ ।
ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାସିକ ନଗଦ ୧୦୦୦ ଟଙ୍କା ଘର ଦୁଆରେ ପ୍ରଦାନର ବ୍ୟବସ୍ଥା ସାଙ୍ଗକୁ ସାମାଜିକ ଦୁରତ୍ୱ ରଖିବା ପାଇଁ ‘ମୋର୍ ଲାଇଭଲିହୁଡ଼୍, ଲେସ୍ କ୍ରାଉଡ଼୍’ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା । କେନ୍ଦ୍ରର ଏଭଳି ପ୍ରଶଂସା ପାଇଁ ରାଜ୍ୟର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ବିରୋଧି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛି ।
କେବଳ କେନ୍ଦ୍ର ସରକାରଙ୍କ ପ୍ରଶଂସା ନୁହେଁ, ରାଜ୍ୟବାସୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ପଦକ୍ଷେପକୁ ପସନ୍ଦ କରିଛନ୍ତି । ଲକ୍ ଡ଼ାଉନ୍କୁ କଡ଼ାକଡ଼ି ପାଳନ କରିବା ହେଉ, କି ଲକ୍ ଡ଼ାଉନ୍ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା, ଜରୁରୀ କାଳୀନ ସେବା ବଜାୟ ରଖିବା ଏସବୁ ପ୍ରସଙ୍ଗରେ ‘ଜନ୍ କି ବାତ୍’ ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ସରକାରଙ୍କ ପଦକ୍ଷେପକୁ ୮୫ ପ୍ରତିଶତ ଲୋକେ ପସନ୍ଦ କରିଥିବା ବେଳେ ପଶ୍ଚିମବଙ୍ଗରେ ସବୁଠାରୁ କମ୍ ୩୫ ପ୍ରତିଶତ ଲୋକେ ସରକାରଙ୍କ ସହ ସ୍ୱର ମିଳାଇଛନ୍ତି । ଏସବୁ ସମ୍ଭବ ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ସମୟଉପଯୋଗୀ ପଦକ୍ଷେପ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉର୍ତ୍ସଗୀକୃତ ଟିମ୍ର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ।