)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦଳ ଅଭିଯୋଗ କରିଛି । ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁରରେ ୧୩ ବର୍ଷର ନବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣାକୁ ନେଇ ବର୍ଷିଛି ଦଳ । ମହିଳାମାନଙ୍କ ଉପରେ ସର୍ବାଧିକ ଅପରାଧ ହୋଇଛି ବୋଲି କହିଛନ୍ତି ରାଜ୍ୟ ବିଜେପିର ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ।
ସେ କହିଛନ୍ତି, କୋରୋନା ମହାମାରୀ ସମୟରେ ୨ ଘଟଣା ସାମ୍ନାକୁ ଆସିଛି । ଆଉ ଏଥିରୁ ସ୍ପଷ୍ଟ ଯେ ରକ୍ଷକ ହିଁ ଭକ୍ଷକ ସାଜିଛି । ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯାଇଛି । ବୀରମିତ୍ରପୁରରେ ୧୩ ବର୍ଷର ନବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟରେ ଗୃହବିଭାଗ ସମ୍ପୂର୍ଣ ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି । ପୋଲିସମାନେ ଗୃହ ବିଭାଗ ଅଧୀନରେ ବୋଧହୁଏ ଚାଲିବା ପାଇଁ ଚାହୁଁନାହାଁନ୍ତି ବୋଲି ସେ କହିଛନ୍ତି ।
ବୀରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ସତ୍ତ୍ୱେ ଘଟଣା ସମ୍ପର୍କରେ କେହି କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛି ଦଳ । ବିଜେପିର ଏକ ପ୍ରତିନିଧି ଦଳ ବିରମିତ୍ରପୁର ଥାନାକୁ ଯାଇଥିଲେ । ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଛନ୍ତି । ଏହାପରେ ଘଟଣାକୁ ନେଇ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଡିଜି ପୀଡ଼ିତାଙ୍କୁ କ୍ଷମା ମାଗିଥିଲେ । ତେବେ ପୋଲିସ ଡିଜି କ୍ଷମା ନ ମାଗି କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କହିଛି ବିଜେପି । ଏହି ଘଟଣାରେ ଆଉ ୫ ଜଣ ସାମିଲ ରହିଛନ୍ତି । କାହିଁକି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଏ ଘଟଣାର ଯାଞ୍ଚ ପ୍ରକ୍ରିୟା ଥାନାରେ ଲାଗିଥିବା ସିସିଟିଭିରୁ କରାଯାଉ ବୋଲି ସେ ଦାବି କରିଛନ୍ତି ।