ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ କୋରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଅନ୍ୟାନ୍ୟ କୋଭିଡ ଯୋଦ୍ଧା କୋରୋନା ମୁକାବିଲାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ସନ୍ଧ୍ୟା ସନ୍ଧ୍ୟା ୫.୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗୀତ ଗାଇବାକୁ ସମସ୍ତ ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଆଜି(ଗୁରୁବାର) ସେ କହିଛନ୍ତି ଯେ, ୨ ମାସ ଧରି ସାରା ଦୁନିଆ ଏକ ବହୁତ ବଡ ଜଟିଳ ପରିସ୍ଥିତିର ସାମନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋରାନା ଆତଙ୍କ ସୃଷ୍ଟି କରିଛି । ସେହି ଏକା ସମୟରେ ଆମ ଓଡିଶା ମଧ୍ୟ କୋଭିଡ ବିରୁଦ୍ଧରେ ତାର ଯୁଦ୍ଧ ଆରମ୍ଭ କରିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ ସରକାରଙ୍କ ପ୍ରାଥମିକତା ଥିଲା । ପ୍ରତିଟି ଜୀବନର ସୁରକ୍ଷା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସେତେବେଳେ ଆମେ ଯାହା ବି ନୀତି, ଯାହା ବି ପଦକ୍ଷେପ ଗ୍ରହଣ କରିଥିଲୁ, ତାର ଏକମାତ୍ର ଲକ୍ଷ୍ୟ ଥିଲା ମୋର ପ୍ରିୟ ସାଢେ ଚାରି କୋଟି ଓଡିଶାବାସୀଙ୍କ ଜୀବନ ରକ୍ଷା କରିବା । ଏବେ ଦୁଇ ମାସରୁ ଅଧିକ ସମୟ ହୋଇଗଲା । କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ରକ୍ଷା କରିବାରେ ଓଡିଶା ବର୍ତ୍ତମାନ ସମୟରେ କେବଳ ଭାରତବର୍ଷରେ ନୁହେଁ, ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଛି । କୋରୋନାରେ ଓଡିଶାର ମୃତ୍ୟୁହାର ସାରା ଦୁନିଆରେ ସବୁଠାରୁ କମ୍ । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ସେ କହିଛନ୍ତି ଯେ, "ଓଡିଶା ପରି ଗୋଟିଏ ରାଜ୍ୟ ତଥା ଆମ ଓଡିଶାବାସୀଙ୍କ ପାଇଁ ଏହା ଏକ ବଡ ସଫଳତା । ଦୁନିଆର ଶକ୍ତିଶାଳୀ ଦେଶ ତଥା ଭାରତର ବଡ ବଡ ରାଜ୍ୟ, ଧନୀ ରାଜ୍ୟମାନେ ମଧ୍ୟ କରୋନା ଯୁଦ୍ଧରେ ଏତେ ସଫଳତା ପାଇପାରି ନାହାଁନ୍ତି । ଆଜିକା ଦିନରେ ଓଡିଆ ଜାତି ପାଇଁ ଏହା ଏକ ଅଭୂତପୂର୍ବ ସଫଳତା ।"
"ଏହି ସମୟରେ ପ୍ରବାସରେ ଥିବା ଲକ୍ଷ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ଫେରିଛନ୍ତି । ତଥାପି କୋରୋନା ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଆମେ ଭଲ ସ୍ଥିତିରେ ଅଛୁ । ଏହା ପଛରେ ରହିଛି କୋରୋନା ଯୁଦ୍ଧରେ ଦିନରାତି କାମ କରୁଥିବା ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା । ସିଏ ଯିଏ ବି ହୁଅନ୍ତୁ – ଲୋକ ପ୍ରତିନିଧି, ସରକାରୀ ବା ବେସରକାରୀ କର୍ମଚାରୀ; ସମସ୍ତେ ନିଜ ନିଜର ସୁଖଦୁଃଖକୁ ପଛରେ ପକାଇ ଯେଭଳି ସେବା ଯୋଗାଇ ଚାଲିଛନ୍ତି । ତାର ତୁଳନା ନାହିଁ । ସେହିପରି ଏହି ଯୁଦ୍ଧରେ ସାରା ଓଡିଶାବାସୀ ସରକାରଙ୍କ ପଦକ୍ଷେପକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଏହାସହିତ ମହାପ୍ରଭୂଙ୍କ ଆଶୀର୍ବାଦ ମଧ୍ୟ ସବୁବେଳେ ଆମ ସଥିରେ ରହିଛି" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ମୁଁ ଅନୁରୋଧ କରୁଛି ଯେ ମେ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫.୩୦ ସମମୟରେ ଆପଣମାନେ ଦୁନିଆରେ ଯେଉଁଠାରେ ବି ଥାଆନ୍ତୁ । ସମମସ୍ତେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ । ଏହାର ଉଦ୍ଦେଶ୍ୟ ହେଉଛି ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା । ଆମର ସଂକଳ୍ପକୁ ଆହୁରି ଦୃଢ କରିବା ପାଇଁ ଏହା ପ୍ରେରଣା ଯୋଗାଇବ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦାବୀ ସମୟରେ ଉତ୍କଳ ସମ୍ମିଳନୀର ଆଦ୍ୟ ସଂଗୀତ ଥିଲା ବନ୍ଦେ ଉତ୍କଳ ଜନନୀ । ଓଡିଆ ଜାତୀୟତାର ବନ୍ଧନକୁ ଏହା ମଜବୁତ କରିଥିଲା । ବର୍ତ୍ତମାନ ସମୟରେ ଏହା ଓଡିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ । ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତା ଆସିପାରେ । ଆଗାମୀ ଦିନର ଆହ୍ବାନକୁ ସଫଳ ଭାବରେ ମୁକାବିଲା କରିବା ଏବଂ ନୂଆ ସଂକଳ୍ପ ନେଇ କାମ କରିବା ପାଇଁ ଏହା ଆମକୁ ଶକ୍ତି ଯୋଗାଇବ। ଏ ବିଶ୍ବାସ ମୋର ଅଛି ବୋଲି ସେ କହିଛନ୍ତି ।
Add Zee News as a Preferred Source