ନିଜ ପରିବାର ସହ ଘର ଭିତରେ ରହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ସଡ଼କ ପରିବହନ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଥିବା ବେଳେ ରଜକୁ ମେଳି ଉତ୍ସବ ଭାବେ ନ ମନାଇ ଘର ଭିତରେ ସୀମିତ ରଖିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ୧୧ଟି ଜିଲ୍ଲାରେ ଏଥର ଫିକା ପଡ଼ିବ ପହିଲି ରଜ । ସାପ୍ତାହିକ ସଟଡାଉନ୍ ଯୋଗୁଁ ୧୧ ଜିଲ୍ଲାର ଲୋକଙ୍କୁ ଘରୁ ବାହରିବା ମନା । ଘର ଭିତରେ ହିଁ ପାଳନ ହେବ ପହିଲି ରଜ । ସାଙ୍ଗସାଥିଙ୍କ ସହ ଝିଅଙ୍କ ଦୋଳି ଖେଳ ହେଉ କି ପିଠାପଣାର ସମାହାର, ପୁଣି ଗାଁ ଦାଣ୍ଡରେ କବାଡ଼ି ଖେଳ ହେଉ କି ତାସ, ଲୁଡ଼ୁ ଖେଳର ମଜା । ସବୁ ଏଥର ଫିକା କରିଦେଇଛି ମହାମାରୀ କୋରୋନା । ପ୍ରତି ମୁହୂର୍ତ୍ତରେ ବାଜି ଲାଗୁଛି ଜୀବନ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିଚାଲିଛି । ସମସ୍ତଙ୍କ ମନରେ ଅଜଣା ଭୟ । ଏହାରି ଭିତରେ ଗାଁ ଗଣ୍ଡାର ପର୍ବ ରଜକୁ ଏଥର କଟକଣା ଭିତରେ ପାଳନ କରିବାକୁ ହେବ । ନିଜ ପରିବାର ସହ ଘର ଭିତରେ ରହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ସଡ଼କ ପରିବହନ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଥିବା ବେଳେ ରଜକୁ ମେଳି ଉତ୍ସବ ଭାବେ ନ ମନାଇ ଘର ଭିତରେ ସୀମିତ ରଖିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି ।
ପିଠାପଣା, ମଉଜ ମଜଲିସ୍, ଖେଳକୁଦର ପର୍ବ ହେଉଛି ରଜ । ଝିଅମାନଙ୍କ ଦୋଳି ଖେଳ ଠାରୁ ଆରମ୍ଭ କରି ଟୋକାଙ୍କ କବାଡ଼ି ଖେଳ । ଗାଁ ଗାଁରେ ଭୋଜି ସାଙ୍ଗକୁ ଘରେ ଘରେ ଭିନ୍ନ ଭିନ୍ନ ପିଠାର ପସରା । ଘରକୁ କୁଣିଆ ସାଙ୍ଗକୁ ରଜରେ ଗାଁ ମାଟିକୁ ଆସିଥାନ୍ତି ବାହାରେ ଚାକିରୀ କରୁଥିବା ପୁଅଝିଅମାନେ । ଜୁନ୍ ୧୪ରୁ ଜୁନ୍ ୧୬ ତିନିଦିନର କାର୍ଯ୍ୟକ୍ରମ ବି ସ୍ଥିର ହୋଇଥାଏ ବହୁ ଆଗରୁ । ହେଲେ ଏଥର ନା ଅଛି ଯୋଜନା ନା ଆଗ୍ରହ । ନୂଆ ପୋଷାକ କିଣାର ନା ଅଛି ଝୁଙ୍କ୍ ନା ଭୋଜିର କାର୍ଯ୍ୟକ୍ରମ । ମହାମାରୀ କୋରୋନା ସବୁ କିଛି ଛଡାଇନେଇଛି । ହେଲେ ଏହାରି ଭିତରେ ରଜ ପର୍ବକୁ ଯତ କିଞ୍ଚିତ ପାଳନ କରିବାକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତ ହେଉଥିବା ଯୁବଗୋଷ୍ଠୀଙ୍କୁ ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସତର୍କତାର ସହ ପାଳନ କରିବାକୁ ଅପିଲ୍ କରିଛନ୍ତି ।
ରଜ ସମସ୍ତଙ୍କ ପାଇଁ ଏକ ସୁଯୋଗ ହୋଇ ଆସିଥାଏ । ବନ୍ଧୁ ମିଳନ ହେଉ କି ଛକ ବଜାରରେ ଖଟି । ଗାଁରେ ସମସ୍ତଙ୍କ ଘର ବୁଲି ବୁଲି ପିଠା ଖାଇବା ହେଉ କି ଆଖପାଖ ଗାଁରେ ହେଉଥିବା କବାଡ଼ି ପ୍ରତିଯୋଗିତା ଦେଖିବାକୁ ଭିଡ଼ ଜମିଥାଏ । ସବୁଠି ଲାଗିଥାଏ ମେଳା । ହେଲେ ଏଥର ସ୍ଥିତି ସ୍ୱାଭାବିକ ନାହିଁ । ୧୧ଟି ଜିଲ୍ଲାରେ ରବିବାର ପହିଲି ରଜରେ ସାପ୍ତାହିକ ସଟଡାଉନ୍ ଚାଲିଛି । ବାକି ଜିଲ୍ଲାରେ ବି ମେଳି ଉପରେ କଟକଣା ଲାଗିଛି । ସଭା, ସମିତି, ଖେଳ, ଭୋଜିଭାତ ହୋଇପାରିବ ନାହିଁ । କୋରୋନା ନିୟନ୍ତ୍ରଣ ପାଇଁ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କ ହିତକୁ ନଜରରେ ରଖି ନିଆଯାଇଥିବାରୁ ଏଥର ରଜକୁ ମେଳି ଉତ୍ସବ ଭାବେ ପାଳନ ନ କରି ଘରେ ରହି ପରିବାର ସହ ମନାଇବାକୁ ବିଜେଡ଼ି ବିଧାୟକ ଅପିଲ କରିଛନ୍ତି ।
ରଜ ହେଉଛି ମଉଜ ମଜଲିସ୍ର ପର୍ବ । ସାଙ୍ଗସାଥିଙ୍କ ସହ ମିଶି ଖେଳକୁଦ ଆଉ ଖୁସି ବାଣ୍ଟିବାର ପର୍ବ । ଛୁଆଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କର ଅପେକ୍ଷା ଥାଏ ରଜପର୍ବକୁ । ହେଲେ ଏଥର କୋରୋନା ଏପରି ସ୍ଥିତି ଆଣିଛି ଯେ, ପଡ଼ୋଶୀ ଘର ସହିତ ବି ଖୁସି ବାଣ୍ଟି ହେବ ନାହିଁ । ସ୍ଥିତିକୁ ଦେଖି କାରବାର ନ କଲେ କୋରୋନା ଆହୁରି କନ୍ଦାଇବାର ସମ୍ଭାବନାକୁ ବି ଏଡ଼ାଇ ଯାଇହେବ ନାହିଁ ।