ସାମାଜିକ ଦୂରତ୍ୱ ବଜାୟ ରଖିନଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ ।
Trending Photos
)
ଚନ୍ଦନ ପାଇକରାୟ, ଭୁବନେଶ୍ୱର: କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗରେ ଫାଇନ ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସାମାଜିକ ଦୂରତ୍ୱ ବଜାୟ ରଖିନଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ଖାଲି ପିସିସି ସଭାପତି କାହିଁକି, ସାଂସଦ ସପ୍ତଗିରି ଉଲ୍ଲକା, ଆଶିଷ କାନୁନଗୋ, ଅଲିକିଶୋର ପଟ୍ଟନାୟକ, ଜ୍ୟୋତି ମହାପାତ୍ର ଇତ୍ୟାଦିଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି ।
କୋରୋନା ମୁକାବିଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କ ପାଖରେ ଫେରାଦ ହେଇଥିଲେ ୧୩ ବିରୋଧୀ ଦଳ । ଉଭୟ ସରକାର ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଥିବା ଏମାନେ ଅଭିଯୋଗ କରିଥିଲେ । ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ବଜାଏ ରଖିନଥିଲେ ଆମ ନେତାଏ । କୋରୋନା ମୁକାବିଲା ପାଇଁ ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରିବା ବେଶ ଗୁରୁତ୍ୱବହନ କରୁଥିବା ବେଳେ ଏଠାରେ କିନ୍ତୁ ଏହାକୁ ଫୁ କରି ଉଡ଼େଇ ଦେଇଥିବା ଦେଖିବାକୁ ମିଳିଥିଲା ।
ତେବେ ନିୟମ ଉଲଂଘନ କରିଥିବାରୁ ଏମାନଙ୍କଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିବା ଅନ୍ୟ ନେତାମାନେ ଫାଇନ ଗଣିଛନ୍ତି ।
ସୂଚନାଯୋଗ୍ୟ, ନିକଟ ଅତୀତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମାଜିକ ଦୂରତ୍ୱ ନିୟମ ଉଲଂଘନ କରି ଫାଇନ ଗଣିଥିଲେ । ଅପରାଜିତାଙ୍କ ଭଳି ଜଣେ ବିଜ୍ଞ ସାଂସଦ ଏଭଳି ନିୟମ ଉଲଙ୍ଗନ କରିବା ନେଇ ସାଧାରଣରେ ବେଶ ସମାଲୋଚନା କରାଯାଇଥିଲା ।