)
ସରୋଜ ବେହେରା, ଭୁବନେଶ୍ୱର: କିଛି ଦିନ ପୂର୍ବରୁ ହାଜତରୁ ଫେରାର ହୋଇଥିଲା । ଆଉ ଏବେ ପୋଲିସକୁ ପେଲି ଦେଇ ଚମ୍ପଟ ମାରିଛି ପିକୁଲ । ଅନ୍ୟପଟେ ଆସାମୀକୁ ଧରିବାକୁ ଯାଇ ନୟାନ୍ତ ହୋଇଛି କମିଶନରେଟ ପୋଲିସ । ପିକୁଲ ସହ ଧସ୍ତାଧସ୍ତି ହୋଇ ଜଣେ ପୋଲିସ ଅଧିକାରୀ ନାଳରେ ମଧ୍ୟ ପଡ଼ିଯାଇଥିଲେ । ଫେରାର୍ ମାରିଛି ପିକୁଲ୍, ଫେଲ ମାରିଛି ପୋଲିସର ମାଷ୍ଟର ପ୍ଲାନ ।
କିଏ ଏହି ପିକୁଲ୍ ? କେମିତି କମିଶନରେଟ ପୋଲିସକୁ ଚକମା ଦେଖାଇ ଚାଲିଛି ଏହି ଅଭିଯୁକ୍ତ ? କେମିତି ପୋଲିସ ନିକଟରୁ ଖସି ଯାଉଛି ପିକୁଲ୍ ? ଗତ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟ ରୋଡରେ ୩ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ସ୍ୱରୂପ ମହାପାତ୍ର ଓରଫ ପିକୁଲ । ଗତ ମାସ ୧୦ ତାରିଖରେ ଇଏ ପୋଲିସ ହେପାଜତରୁ ଫେରାର ମାରିଥିଲା ।
ପିକୁଲକୁ ଧରିବା ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ କରିଥିଲା ମାଷ୍ଟର ପ୍ଲାନ
ଫେରାର ଥିବା ଅଭିଯୁକ୍ତ ପିକୁଲ ନିଜ ଘର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଖବର ପାଇଥିଲା ପୋଲିସ । ଆଉ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତ ହୋଇଥିଲା ମାଷ୍ଟର ପ୍ଲାନ । ରବିବାର ସନ୍ଧ୍ୟାରେ ପିକୁଲର ଘରକୁ ଘେରାଓ କରିନେଇଥିଲା କମିଶନରେଟ ପୋଲିସ । ଦୀର୍ଘ ୪ ଘଣ୍ଟାର ଅପରେଶନ । ପୋଲିସ ଯେଉଁ ଖବର ପାଇଥିଲା, ତାହା ସତ ଥିଲା । ଘରେ ଥିଲା ପିକୁଲ । ହେଲେ ପୋଲିସକୁ ଚକମା ଦେଖାଇ ଖସିଯିବାରେ ମଧ୍ୟ ସଫଳ ହୋଇଛି । ପୋଲିସ ଅଧିକାରୀଙ୍କ ସହ ଧସ୍ତାଧସ୍ତି ହୋଇ ଚମ୍ପଟ ମାରିଛି ପିକୁଲ । ନାଳରେ ପୋଲିସ, ଫେରାର୍ ପିକୁଲ୍ । ଆଉ ପିକୁଲକୁ ଧରିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହିଁ ।
କେଉଁ ଘଟଣାରେ ଅଭିଯୁକ୍ତ ଅଛି ପିକୁଲ ?
ଗତ ଜାନୁଆରୀ ୧୯ ତାରିଖ ଦିନ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିର ଶିବପ୍ରସାଦ ବେହେରା ଓ ଅନ୍ୟ ଦୁଇ ସାଙ୍ଗ ଜଗା ବେହେରା ଓ ପ୍ରସନ୍ନ ସାହୁ ରାସ୍ତାରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା । ଏୟାରପୋର୍ଟ ରୋଡ୍ରେ ରାତି ପ୍ରାୟ ୯ଟା ବେଳେ ଏମାନଙ୍କୁ ୫ ଜଣ ଖଣ୍ଡା ଧରି ଆକ୍ରମଣ କରିଥିଲେ । ମୁଣ୍ଡରେ ଖଣ୍ଡା ବାଜିବାରୁ ଜଗା ଲହୁଲୁହାଣ ହୋଇ ତଳେ ପଡ଼ି ଯାଇଥିଲେ। ୫ଜଣ ମିଶି ତିନିଜଣଙ୍କଠାରୁ ସୁନା ଚେନ୍ ଓ ଟଙ୍କା ଲୁଟି ନେଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୀମପୁରର ଜିତୁକୁ ଗିରଫ କରିଥିଲା । ଜିତୁଠାରୁ ମୁଖ୍ୟ ଅଭିଯୁକ୍ତ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଅମିତ ସ୍ୱରୂପ ମହାପାତ୍ର ଓରଫ ପିକୁଲ ସମ୍ପର୍କରେ ସୂଚନା ପାଇଥିଲା ପୋଲିସ । ଦୀର୍ଘ ୪ ମାସ ପୁଲିସକୁ ଭୁଆଁ ବୁଲାଇ ଅମିତ ଘୂରି ବୁଲୁଥିଲା । ପରେ ନିଶା ବେପାର କରୁଥିବା ବେଳେ ଗତ ମାସ ୯ ତାରିଖରେ ପୁରୁଣା ଭୁବନେଶ୍ୱରରୁ ପିକୁଲକୁ ଗିରଫ କରାଯାଇଥିଲା । ୧୦ ତାରିଖ ସକାଳେ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ହେଲେ କୋର୍ଟ ଚାଲାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ସେ ନାଟକୀୟ ଢଙ୍ଗରେ ଫେରାର ହୋଇଯାଇଥିଲା ।
ସେହିଭଳି ଚନ୍ଦ୍ରଶେଖରପୁର ଥାନାରୁ ପୁଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ଅଦ୍ୟାବଧି ତା’ର ପତ୍ତା ମିଳିନାହିଁ ।