ପ୍ରତିଦିନ ଦେଶ ତଳକୁ ତଳ ଯାଉଥିବା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
Trending Photos
)
ମଳୟ ମହାନ୍ତି, ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମପାଳି ଓ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବର୍ଷିଲା ରାଜ୍ୟ କଂଗ୍ରେସ । କୋରୋନା ମୁକାବିଲା ଓ ଅର୍ଥନୈତିକ ସଙ୍କଟ ନେଇ ଦଳ ହମଲା କରିଛି । କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଚୀନଠାରୁ ଭାରତ ଟପିସାରିଲାଣି । ଦେଶର ଅର୍ଥନୀତି ରସାତଳକୁ ଗଲାଣି । ପ୍ରତିଦିନ ଦେଶ ତଳକୁ ତଳ ଯାଉଥିବା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି, ''ବାସ୍ତବ ଚିତ୍ର ପରିବର୍ତ୍ତେ ସରକାର କାଳ୍ପନିକ ଛବି ଆଙ୍କିଛନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ଯିଏ ବଢ଼ାଉଛି ସେ ଦେଶଦ୍ରୋହୀ । ଆଜି ଦେଶଦ୍ରୋହୀ କିଏ, ମୋଦି ନା ମନମୋହନ ? ଦେଶର ଅର୍ଥନୀତି ରସାତଳକୁ ଗଲାଣି । ଘରୋଇ ଉତ୍ପାଦନ କମୁଛି । ଅକ୍ଟୋବରରୁ ଡିସେମ୍ବରରେ ଜିଡିପି ୪.୧ରହିଥିଲା । ହେଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହା ୩.୧ରେ ପହଞ୍ଚିଛି । ବଡ଼ ବଡ଼ ଶିଳ୍ପପତି ଦେଶରୁ ଖସି ଯାଇଛନ୍ତି ।''
ସେହିପରି କୋରୋନା ସଂକ୍ରମଣ ନେଇ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ପିସିସି ସଭାପତି । ଦେଶରେ କୋରୋନା ସଂକ୍ରମଣ ବଢ଼ିଚାଲିଛି । ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି । ଏବେ କ୍ୱାରେନ୍ଟାଇନ ସେଣ୍ଟର ଅବସ୍ଥା ଯାହା, କେମିତି ଚାଲିବ କିଛି ବୁଝାପଡ଼ୁନି । ହେଲେ ନବୀନ ଓ ମୋଦି ସରକାର ବାଃ ବାଃ ନେବାରେ ମାତିଛନ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିଷ୍ଠୁର ସତ୍ୟକୁ ସରକାର ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି ।