ପ୍ରଦୋଷ ପଟ୍ଟନାୟକ ଓ ଦେବଦାସ ଛୋଟରାୟଙ୍କୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର

ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ନାଁ ପ୍ରକାଶ

ପ୍ରଦୋଷ ପଟ୍ଟନାୟକ ଓ ଦେବଦାସ ଛୋଟରାୟଙ୍କୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ୨୦୧୫ ଓ ୨୦୧୬  ବର୍ଷ ପାଇଁ ଘୋଷଣା ହୋଇଛି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୯ଟି ବିଭାଗରେ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଲେଖକମାନଙ୍କ ନାମକୁ ଘୋଷଣା କରାଯାଇଛି। ତେବେ ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ଓ ପବିତ୍ର ପାଣିଗ୍ରାହୀଙ୍କ ନାମକୁ ମନୋନୀତ କରାଯାଇଛି। 

୯ଟି ବିଭାଗ ମଧ୍ୟରୁ ୨୦୧୫ ବର୍ଷ ପାଇଁ କ୍ଷୁଦ୍ର ଗଳ୍ପ ବିଭାଗରେ ପବିତ୍ର ପାଣିଗ୍ରାହୀଙ୍କ ନାମକୁ ମନୋନୀତ କରାଯାଇଥିବା ବେଳେ ୨୦୧୬ ବର୍ଷ ପାଇଁ ଦେବଦାସ ଛୋଟରାୟଙ୍କ ନାମକୁ ମନୋନୀତ କରାଯାଇଛି। 'ଗପର ମୁହଁ' ପାଇଁ ପବିତ୍ର ପାଣିଗ୍ରାହୀ ଏହି ପୁରସ୍କାର ପାଇବେ। ସେହିପରି 'ରମାକୁ ମାରିବାର ପାଞ୍ଚଟି ଉପାୟ' ପୁସ୍ତକ ପାଇଁ ଦେବଦାସ ଛୋଟରାୟଙ୍କୁ ସମ୍ମାନୀତ କରାଯିବ। 

୨୦୧୫ ବର୍ଷ ପାଇଁ ଉପନ୍ୟାସ ବିଭାଗରେ 'ଗୋଟିଏ ଯୋଡ଼ି ଗାଆଁର କାହାଣୀ' ପାଇଁ ନିତ୍ୟାନନ୍ଦ ପଣ୍ଡା, କାବ୍ୟ କବିତା ବିଭାଗରେ 'ଗୋଧୂଳି ଗୀତ' ପାଇଁ ବୀଣାପାଣି ପଣ୍ଡା, ପ୍ରବନ୍ଧ ଓ ସମାଲୋଚନା ବର୍ଗରେ 'ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରାୟୋଗିକ ପ୍ରସଙ୍ଗ' ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ବିଭାଗରେ 'ଲୌହମାନବ ସର୍ଦ୍ଦାର ପଟେଲ' ପୁସ୍ତକ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ବିଭାଗରେ 'ତଥାପି କିଛି ରହିଯିବ' ପୁସ୍ତକ ପାଇଁ ବିଜୟ କୁମାର ମହାନ୍ତି, ଶିଶୁ ସାହିତ୍ୟ ବର୍ଗରେ 'ଗଛଟିଏ ଗୀତଟିଏ' ପୁସ୍ତକ ପାଇଁ ରବୀନ୍ଦ ବିଶ୍ୱାଳ ଓ ଗୀତିକବିତା ବର୍ଗରେ 'ପ୍ରତି ପଲକରେ ତୁମେ' ପୁସ୍ତକ ପାଇଁ ମନୋଜ ମହାନ୍ତି ଏହି ସମ୍ମାନଜନକ ପୁରସ୍କାର ପାଇବେ। 

ତେବେ ୨୦୧୫ ବର୍ଷ ପାଇଁ ନାଟକ ଓ ଏକାଙ୍କିକା ବିଭାଗରେ ଯୁଗ୍ମ ବିଜେତା ରହିଛନ୍ତି। ଏହି ବର୍ଗ ପାଇଁ 'ମଞ୍ଚମାୟା' ପାଇଁ ସଞ୍ଜୟ ହାତୀ ଓ 'ନାଟୁଆ ଓ ଅନ୍ୟାନ୍ୟ ନାଟକ' ପୁସ୍ତକ ପାଇଁ ନବୀନ କୁମାର ପରିଡ଼ା ପୁରସ୍କୃତ ହେବେ। 

ସେହିପରି ୨୦୧୬ ବର୍ଷ ପାଇଁ ଉପନ୍ୟାସ ବିଭାଗରେ 'ଅମ୍ବା' ପୁରସ୍କାର ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କାବ୍ୟ କବିତା ବିଭାଗରେ 'ଫେରନ୍ତି ଘର' ପୁସ୍ତକ ପାଇଁ ଭଗବାନ ଜୟସିଂହ, ନାଟକ ଓ ଏକାଙ୍କିକା ବିଭାଗରେ 'ଆତ୍ମଲିପି ଓ ଅନ୍ୟାନ୍ୟ' ପୁସ୍ତକ ପାଇଁ ଫକୀର ସିଂହ, ପ୍ରବନ୍ଧ ଓ ସମାଲୋଚନା ବିଭାଗରେ 'ଆଲୋଚନା ପ୍ରସଙ୍ଗ' ପୁସ୍ତକ ପାଇଁ ପ୍ରସନ୍ନ କୁମାର ସ୍ୱାଇଁ, ଅନୁବାଦ ବିଭାଗରେ 'ମେଘବାହନ' ପୁସ୍ତକ ପାଇଁ ଶାରଦା ରଥ, ଶିଶୁ ସାହିତ୍ୟ ବିଭାଗରେ 'ଚୁଇଁ ଚଢେଇ' ପୁସ୍ତକ ପାଇଁ ଦେବେନ୍ଦ୍ର ଚୌଧୂରୀ, ଗୀତି କବିତା ବିଭାଗରେ 'ମିଶ୍ରରାଗ' ପୁସ୍ତକ ପାଇଁ ମିଶ୍ର ସତ୍ୟନାରାୟଣଙ୍କୁ ସମ୍ମାନୀତ କରାଯିବ। 

ସେହିଭଳି ଜୀବନୀ ଓ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଦୁଇ ଜଣ ପୁରସ୍କୃତ ହେବେ। 'ପ୍ରଫେସର ନବୀନ କୁମାର ସାହୁ' ପୁସ୍ତକ ପାଇଁ ସୁରେନ୍ଦ୍ର କୁମାର ମହାରଣା ଓ 'ଚାଲିଛି।।। ଚାଲିବି ନପଡ଼ିବି ଥକି(ଜଣେ ବିରଳ ବିପ୍ଳବୀର କାହାଣୀ)' ପୁସ୍ତକ ପାଇଁ ପ୍ରଦୋଷ ପଟ୍ଟନାୟକ ସମ୍ମାନୀତ ହେବେ ବୋଲି ରାଜ୍ୟ ସାହିତ୍ୟ ଏକାଡ଼େମୀ ପକ୍ଷରୁ ସୂଚନା ଦିଆଯାଇଛି।