)
ସମ୍ୱଲପୁର: ଜିଲ୍ଲାରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ଅନ୍ୟପକ୍ଷେ କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ଜିଲ୍ଲାକୁ ୪୮ ଘଣ୍ଟା ବା ୨ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଜୁଲାଇ ୧୧ ଓ ୧୨ ତାରିଖ ଅର୍ଥାତ ଶନିବାର ଓ ରବିବାର ସମ୍ବଲପୁର ଜିଲ୍ଲାରେ ସଟଡାଉନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସମସ୍ତ ଜରୁରୀକାଳୀନ ସେବାକୁ ଏହି ୪୮ ଘଣ୍ଟିଆ ସଟଡାଉନରୁ ବାଦ ଦିଆଯାଇଛି ।
ସୂଚନାଯୋଗ୍ୟ, ସମ୍ୱଲପୁର ଜିଲ୍ଲାରେ ଆଜି ୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ଜିଲ୍ଲାରେ ବର୍ତ୍ତମାନ ଯାଏ ୧୦୩ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୫ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ବର୍ତ୍ତମାନ ଜିଲ୍ଲାରେ ୫୩ ସଂକ୍ରିୟ କୋରୋନା ମାମଲା ରହିଛି । ଅନ୍ୟପକ୍ଷେ ସାରା ରାଜ୍ୟରେ ବର୍ତ୍ତମାନ ଯାଏ ୧୧,୨୦୧ କୋରୋନା ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩,୭୨୭ ସଂକ୍ରିୟ କୋରୋନା ମାମଲା ରହିଛି । ଏହାସହ ରାଜ୍ୟରେ ବର୍ତ୍ତମାନ ଯାଏ ୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।