ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ନିଯୁକ୍ତି ପରେ ଆରମ୍ଭ ହୋଇଛି ଦାୟୀତ୍ବ ପର୍ବ। ରାଜ୍ୟର ୬ ବିଶ୍ବବିଦ୍ୟାଳୟ ପାଇଁ ସୋମବାର ସଂନ୍ଧ୍ୟାରେ ନୂତନ କୁଳପତି ନିଯୁକ୍ତି ପାଇବା ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଦାୟିତ୍ବ ଗ୍ରହଣ ପର୍ବ। କୁଳାଧିପତି ରାଜ୍ୟପାଳଙ୍କ ମୋହର ପରେ ଉତ୍କଳ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନୂଆ ଚାର୍ଜ ପରେ ନୂଆ ଚ୍ୟାଲେଞ୍ଜ ସହ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।
ସୋମବାର ନିଜ ପତ୍ନୀଙ୍କ ଦାହସଂସ୍କାର ପରେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୂଳପତିଙ୍କୁ ରାଜ୍ୟପାଳ ପ୍ର. ଗଣେଶୀ ଲାଲା ନିଯୁକ୍ତି ଦେଇଛନ୍ତି। ସେହି ତାଲିକାରେ ୨ ଜଣ ମହିଳା ପ୍ରଫେସର ବି ଅଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସବିତା ଆଚାର୍ଯ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅପରାଜିତା ଚୌଧୂରୀ, ଫକିର ମୋହନ ସେନାପତି ବିଶ୍ୱବିଦ୍ୟାଳୟରେ ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ଗଙ୍ଗାଧର ମେହେର ବିଶ୍ୱବିଜ୍ୟାଳୟରେ ଏନ୍. ନାଗାରାଜୁ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ କିଶୋର କୁମାର ଦାସ ଓବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତିଙ୍କୁ ନୂତନ କୂଳପତି ଭାବେ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। ତେବେ ସମସ୍ତ ନୂଆ ଚେହେରା କୂଳପତିଙ୍କ ପାଇଁ ଏବେ ନୂଆ ଆହ୍ବାନର ପାଚେରୀ ଛିଡା ହୋଇଛି। କୋରୋନା ପାଇଁ ବିଗିଡିଥିବା ଶିକ୍ଷା ବ୍ୟବସ୍ଥା ଓ ପିଲାଙ୍କ ପାଠ ପଢା ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
ପୂର୍ବତନ କୁଳପତିମାନଙ୍କ କାର୍ଯ୍ୟକାଳ ସରିବା ପରେ ଏଣିକି ନବ ନିଯୁକ୍ତ କୁଳପତି ମାନଙ୍କ ମୁଣ୍ଡରେ ବିଶ୍ବବିଦ୍ୟାଳୟର ଭାର ଦିଆଯାଇଛି। କୁଳାଧିପତିଙ୍କ ଘୋଷଣା ପରେ ମଙ୍ଗଳବାରଠୁ ଦାୟିତ୍ବ ଗ୍ରହଣ ପର୍ବ ଆରମ୍ଭ ହୋଇଛି। ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟର ନବ ନିଯୁକ୍ତ କୁଳପତି ତଥା ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ କର୍ମଚାରୀଙ୍କ ପକ୍ଷରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
Also read- ସ୍କୁଲ ବନ୍ଦ ପ୍ରସଙ୍ଗ: ଆଗକୁ ଭୟଙ୍କର ହେବ ଆନ୍ଦୋଳନ
ସମସ୍ତ ନବ ନିଯୁକ୍ତ କୂଳପତି ନିଜ ନିଜର ବିଶ୍ବବିଦ୍ୟାଳୟକୁ ପ୍ରଥମେ ଡିଜିଟାଲ କରିବାକୁ ଯୋଜନା କରିଛନ୍ତି। କୋଭିଡ ୧୯ ସମୟରେ ଅନଲାଇନ ପାଠପଢାର ଆବଶ୍ୟକତା ଥିବାରୁ ତଦନୁଯାଇ କାର୍ଯ୍ୟ କରିବେ। ଏହାସହ କ୍ୟାମ୍ପସକୁ ସବୁଜ, ସୁନ୍ଦର ଓ ସୁରକ୍ଷିତ ବାତାବରଣ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି। ସେହପରି ଗବେଷଣା କ୍ଷେତ୍ରରେ ସୁଦୃଢ କରିବା ଏବଂ ଗତ ମୌସୁମୀ ଅଧିବେଶନରେ ପାରିତ ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ଆଧାରରେ ସେମାନଙ୍କୁ କାର୍ଯ୍ୟକରିବାକୁ ପଡିବ।
ଏହାସହ ନୂତନ ଜାତୀୟ ଶିକ୍ଷାନୀତି ସହ ନାକ୍ ମାନ୍ୟତାରେ ଭଲ ରାଙ୍କ ହାସଲ କରିବା ସମସ୍ତ ବିଶ୍ୱବିଦ୍ୟାଳୟର ମୂଖ୍ୟ ଲକ୍ଷ୍ୟ ରହିଛି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ନୂତନ କୂଳପତି ନିଜ ନିଜ ଦାୟୀତ୍ବ ଗ୍ରହଣ କରିବେ। ଆ ଚାର୍ଜ ପରେ ନୂଆ ଚ୍ୟାଲେଞ୍ଜକୁ ସମ୍ମୁଖୀନ କରି ସେମାନଙ୍କୁ ଭାର ତୁଲାଇବାକୁ ପଡିବ। ପ୍ରଫେସର ଭାବେ ପୁରୁଣା ଅଭିଜ୍ଞତାକୁ ନେଇ ନୂତନ ଦାୟୀତ୍ୱରେ କାର୍ଯ୍ୟ ସମ୍ଭାଳିବା ପାଇଁ ସମସ୍ତେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।