ସେ ଆହୁରି ମଧ୍ୟ କହିଛନ୍ତି, କେବଳ ପୋଲିସ ଓ ସେବାୟତ ରଥ ଟାଣନ୍ତୁ । କୌଣସି ମନ୍ତ୍ରୀ , ବିଧାୟକ କି ସଚିବଙ୍କୁ ରଥ ପାଖକୁ ଯିବା ପାଇଁ ଅନୁମତି ଦିଆ ନ ଯାଉ ।
Trending Photos
)
ମଳୟ ମହାନ୍ତି, ଭୁବନେଶ୍ୱର: ରଥଯାତ୍ରା ହେବା ନେଇ ଏବେବି ସ୍ପଷ୍ଟ ହୋଇପାରିନି । ସରକାର ଏନେଇ କୌଣସି ସ୍ପଷ୍ଟ କରିନାହାଁନ୍ତି । ତେବେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଚୁହାକୁ ତୁହା ଟାର୍ଗେଟ କରୁଛନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି ଆଜି ପୁଣି ଥରେ ଏନେଇ ଜବାବ ମାଗିଛନ୍ତି ।
ସୁର କହିଛନ୍ତି, ଦିନେ ଭିତରେ ରଥଯାତ୍ରାକୁ ନେଇ ସ୍ପଷ୍ଟ ମତ ରଖନ୍ତୁ ରାଜ୍ୟ ସରକାର । ରଥ ଯାତ୍ରାକୁ ସାରା ବିଶ୍ୱ ଅନେଇ ବସିଛି । ଗଣମାଧ୍ୟମ ଜରିଆରେ ଲୋକେ ଦର୍ଶନ କରିପାରିବେ । ଏଥିରେ କୌଣସି ଅସୁବିଧା ନାହିଁ । ଲୋକଙ୍କ ଅନୁରୋଧ ଶୁଣି ଦେଶର ପ୍ରଧାନମନ୍ତ୍ରୀ ରଥ ତିଆରି ପାଇଁ ଅନୁମତି ଦେଇଥିଲେ । ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ସେ ଆହୁରି ମଧ୍ୟ କହିଛନ୍ତି, କେବଳ ପୋଲିସ ଓ ସେବାୟତ ରଥ ଟାଣନ୍ତୁ । କୌଣସି ମନ୍ତ୍ରୀ , ବିଧାୟକ କି ସଚିବଙ୍କୁ ରଥ ପାଖକୁ ଯିବା ପାଇଁ ଅନୁମତି ଦିଆ ନ ଯାଉ ।
ତେବେ ଏହି ଘଟଣାକୁ ଆହୁରି ବିବାଦୀୟ ନକରି ମୁଖମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ କିଛି ଆଶା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ । ତେଣୁ ସେ ଯାହା କହିବେ, ଲୋକେ ଗ୍ରହଣ କରିବେ । ରଥଯାତ୍ରା ହେବା ନିଶ୍ଚିତ ବୋଲି କହିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ।
ସେପଟେ ରଥଯାତ୍ରା ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି । ସରକାର ଟାଳ ଟୁଳ ନୀତି ଅବଲମ୍ବନ କରୁନାହାଁନ୍ତି । ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ହୋଇଥିଲା । ଏବେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ଏହା ସମସ୍ତଙ୍କୁ ଜଣା । ମନ୍ଦିର ପରିଚାଳନା କମିଟି ବିଭିନ୍ନ ନିଯୋଗ ଓ ଅନ୍ୟ ଷ୍ଟକ ହୋଲଡ଼ରଙ୍କ ସହ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ ପ୍ରସ୍ତୁତି ଚାଲିଛି । କୋଭିଡ ଗାଇଡଲାଇନ ଓ ନିୟମକୁ କିପରି ଅନୁପାଳନ କରାଯାଇ ଯାତ୍ରା ହୋଇ ପାରିବ, ସେନେଇ ସରକାର ସବୁ ଦିଗକୁ ଅନୁଶୀଳନ କରି ପଦକ୍ଷେପ ନେଉଛନ୍ତି । ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ ବାରମ୍ବାର ବିରୋଧୀ ସେ କଥାକୁ ଉଠାଉଛନ୍ତି । ମହାପ୍ରଭୁଙ୍କୁ ଇଚ୍ଛା ଥିଲେ ରଥଯାତ୍ର ନିଶ୍ଚୟ ହେବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ।
ସେପଟେ ଏସବୁ ମଧ୍ୟରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଛନ୍ତି ଦଇତାପତି ନିଯୋଗ । ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ରଙ୍କ ସହିତ ଅନ୍ୟ ଦଇତାପତିମାନେ ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟିଛନ୍ତି । ରଥଯାତ୍ରାକୁ ନେଇ ସରକାର କୌଣସି ଚୁଡାନ୍ତ ନିଷ୍ପତ୍ତି ନେଇ ନ ଥିବା ବେଳେ ଦଇତାପତି ନିଯୋଗ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ଗୁରୁତ୍ୱ ବହନ କରୁଛି । କୋରୋନା କଟକଣା ମଧ୍ୟରେ ରଥଯାତ୍ରା କିପରି ହେବ, ସେନେଇ ଆଲୋଚନା ହୋଇଥିବା କହିଛନ୍ତି ବିନାୟକ ଦାସ ମହାପାତ୍ର ।