)
ପୁରୀ: ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଭଉଁରୀରେ ୩ ରଥର ନାହାକା ଚକ ଅଖ ସଂଯୋଗ ପରେ ଆଜି ହୋଇଛି ଦଣ୍ଡା ଅନୁକୁଳ । ସ୍ନାନ ପୁର୍ଣ୍ଣିମାରେ ଚାରି ନାହାକା ଉଠିବା ନୀତି ରହିଥିବାରୁ ରଥଖଳାରେ ସେ କାମ ଜୋରସୋରରେ ଚାଲିଛି । ତିନି ରଥର ୪୨ଟି ଚକ ପାଇଁ ସିଙ୍ଗଡା ବାଡିଆ ଶେଷ କରିଛନ୍ତି ଭୋଇ ସର୍ଦ୍ଧାର । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୁର୍ଣ୍ଣିମା ନୀତି ସମ୍ପାଦନ ପାଇଁ କମ ସଂଖ୍ୟକ ସେବାୟତଙ୍କ ତାଲିକା ଦେବାପାଇଁ ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦଇତାପତି ସେବାୟତ । ଦଇତାପତିଙ୍କର ଏହା ଗୋଷ୍ଠୀଗତ ସେବା ହୋଇଥିବାରୁ ସମସ୍ତ ସେବାୟତ ନୀତି କରିବେ ବୋଲି ସ୍ପଷ୍ଟ କରିଛନ୍ତି ଦଇତାପତି ସେବାୟତ । ସେପଟେ ୧୦ଟି ନିଯୋଗ ପକ୍ଷରୁ ଏଯାବତ ସେମାନଙ୍କ ନିଯୋଗ ସଦସ୍ୟଙ୍କ ତାଲିକା ଦିଆଯାଇନଥିବା ବେଳେ ୨୫ ତାରିଖ ସୁଦ୍ଧା ଦେବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ସେବାୟତମାନେ ନୀତି ସମ୍ପାଦନ କରିବେ ହେଲେ ସଂଖ୍ୟା କମ କରିବା କଟକଣା ସମ୍ଭବ ନୁହେଁ ବୋଲି କହିଛନ୍ତି ସେବାୟତ ।
ଆଜି ତିନି ରଥର ପ୍ରମୁଖ କାର୍ଯ୍ୟ ଦଣ୍ଡା ଅନୁକୁଳ କରାଯାଇଛି । ନନ୍ଦିଘୋଷ ରଥର ୯ଟି ଦଣ୍ଡା , ତାଳଧ୍ୱଜ ରଥର ୯ଟି ଓ ଦର୍ପଦଳନ ରଥର ୭ଟି ଦଣ୍ଡା ମୋଟ ୨୫ଟି ଦଣ୍ଡା କାର୍ଯ୍ୟ ଚାଲିଛି । ରଥର ଦଣ୍ଡା ହେଉଛି ଫ୍ରେମ । ତା ଉପରେ ରହିବ ରଥର ସମସ୍ତ ଓଜନ । ସେପଟେ ତିନି ରଥର ସମୁଦାୟ ୪୨ଟି ଚକରୁ ନନ୍ଦିଘୋଷ ରଥର ୧୨ଟି , ତାଳଧ୍ୱଜ ରଥର ୧୨ଟି ଓ ଦର୍ପଦଳନ ରଥର ୧୦ଟି ଚକ ସମୁଦାୟ ୩୪ଟି ଚକ କାମ ସରିଛି । ସେପଟେ ଚାରିନାହାକା ନିର୍ମାଣରେ ଲାଗିପଡିଛନ୍ତି ମହାରଣା ସେବାୟତ। ତିନିରଥରେ ଉଠିବ ଚାରିନାହାକା । ଏଥିପାଇଁ ଚାରିନାହାକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ତିନିରଥର ୨ଟି ଲେଖାଏଁ ଗରଗରା କାମ ମଧ୍ୟ ଦୃତ ଗତିରେ ଚାଲିଛି।
ସେପଟେ ତିନିରଥର ୧୯ଟି ଅଖ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ତାଳଧ୍ଵଜ ରଥର ମଠାକାମ ଓ ନନ୍ଦିଘୋଷ ରଥର ୨ଟି ଅଖ କାମ ଦୃତ ଗତିରେ ଆଗେଇ ଚାଲିଛି। ତେବେ ସ୍ନାନ ପୁର୍ଣ୍ଣିମାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଜୋରସୋରରେ କରାଯାଉଥିବା କହିଛନ୍ତି ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା । ସେପଟେ ତିନି ରଥର ୪୨ଟି ଚକ ପାଇଁ ସିଙ୍ଗଡା ବାଡିଆ ଜନ୍ତାଗା଼ଡରେ ଶେଷ ହୋଇଥିବା ବେଳେ ଶୀତଳଷଷ୍ଠୀରେ ସମସ୍ତ ଚକ ସରି ସେଥିରେ ଠାକୁର ପନ୍ତି ଖାଇବାର ବିଧି ରହିଛି ବୋଲି କହିଛନ୍ତି ଭୋଇ ସର୍ଦ୍ଧାର ।
କୋବିଡ-19 ଗାଇଡଲାଇନ୍ସକୁ ନେଇ ସ୍ନାନ ପୁର୍ଣ୍ଣିମା ନୀତରେ ୧୦ଟି ନିଯୋଗର ସେବାୟତଙ୍କ ସଂଖ୍ୟା କମ କରାଯିବା ନିଷ୍ପତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତ । ଦଇତାପତିମାନଙ୍କର ହେଉଛି ଗୋଷ୍ଠୀଗତ ସେବା । ସେମାନଙ୍କ ପକ୍ଷରୁ ୧୫୦ ଜଣ ସେବାୟତ ସ୍ନାନ ପୁର୍ଣ୍ଣିମା ନୀତିରେ ରହିବେ । ପହଣ୍ଡି ସମୟରେ ଜଗନ୍ନାଥଙ୍କ ପାଇଁ ୫୦ ଜଣ , ବଳଭଦ୍ରଙ୍କ ପାଇଁ ୫୦ ଜଣ , ସୁଭଦ୍ରାଙ୍କ ପାଇଁ ୨୦ ଜଣ ଓ ସୁଦର୍ଶନଙ୍କ ପାଇଁ ୩୦ ଜଣ ଦଇତାପତିମାନେ ରହିବା ପାଇଁ ହୋଇଛି ବ୍ୟବସ୍ଥା । ତେଣୁ ସେବାୟତଙ୍କର ଗୋଷ୍ଠୀଗତ ସେବା ହୋଇଥିବାରୁ କମ ସଂଖ୍ୟକ ସେବାୟତରେ ନୀତି କରାଯାଇପାରିବନି ବୋଲି କହିଛନ୍ତି ଦଇତାପତି ନିଯୋଗର ବରିଷ୍ଠ ସେବାୟତ ।
ସେପଟେ ଖାଲି ଦଇତାପତି ନୁହେଁ ଗରାବଡୁ ନିଯୋଗର ୧୦୮ ଜଣ ଓ ଜଣେ ଆଗରେ ଯିବା ପାଇଁ ସେବାୟତ ୧୦୯ । ତା ସହ ସେମାନଙ୍କର ୨୦ ଜଣ ଅତିରିକ୍ତ ରହିବେ । ସେପଟେ ବିନା ପୁଲିସରେ ସ୍ନାନ ପୁର୍ଣ୍ଣିମା ହେବାକୁ ଥିବାରୁ ୫୦ ଜଣ ପ୍ରତିହାରୀ ସେବାୟତ ବି ରହିବେ । ଏହିଭଳି ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ସେବାୟତ ରହିବାକୁଥିବା ବେଳେ ସେବାୟତଙ୍କ ସଂଖ୍ୟା କମ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁପାଳନ ସମ୍ଭବ ନୁହେଁ ବୋଲି କହିଛନ୍ତି ଖୁଣ୍ଟିଆ ନିଯୋଗ ସଭାପତି ।