ସାଧାରଣତଃ ଜାତୀୟ ହେଉ କିମ୍ବା ପ୍ରାଦେଶିକ ସଂଗୀତ, ସେସବୁକୁ ସାଧାରଣ ଲୋକେ ସମ୍ମାନ ଦେବେ । ବିଭିନ୍ନ ସଭା ସମିତ ଆରମ୍ଭରେ ଏବଂ ଶେଷରେ ବୋଲିବାର ନିୟମ ରହିବ । ହେଲେ ଏହା ବୋଲିବାର ସମୟ ଅବଧୀ ବେଶୀ ହେଲେ ତାହା ଲୋକଙ୍କ ଦ୍ବାରା କେତେ ଦୂର ସମ୍ମାନୀୟ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବ ।
Trending Photos
)
ଶରତ ପାଇକରାୟ, ଭୁବନେଶ୍ୱର: ଓଡିଶାର ଲୋକ ପ୍ରିୟ ସଂଗୀତ 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ କରିବା ନିଶ୍ଚିତ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଏହାକୁ ଜଣେ ଓଡିଆ ଭାବେ ସମସ୍ତେ ସ୍ବାଗତ କରିବେ, ଏଥିରେ ସନ୍ଦେହ ନାହିଁ । ହେଲେ ଏହି ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ହେଲେ ରାଜ୍ୟ ସରକାର କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ତା ଉପରେ ପର୍ଯ୍ୟାଲୋଚନା କରିବାର ଆବଶ୍ୟକତା ରହିଛି । କାରଣ ଓଡିଶାର ପ୍ରଖ୍ୟାତ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ରଚିତ ଏବଂ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାସଙ୍କ ସଂଗୀତରେ ବନ୍ଦେ ଉତ୍କଳ ଜନନୀ ଲୋକପ୍ରିୟ ହୋଇ ପାରିଛି । ହେଲେ ବର୍ତ୍ତମାନ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ହେଲେ କଣ କରିବା ଉଚିତ ସେ ନେଇ ବିସ୍ତୁତ ଆଲୋଚନାର ଆବଶ୍ୟକତା ରହିଛି ।
ଏବେ ନୁହେଁ , ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ ଦିଗରେ ବହୁ ପୂର୍ବରୁ ଦାବୀ ଉଠିଥିଲା । ୨୦୦୩ ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ମଧ୍ୟ ଏହି ପ୍ରସଂଗ ଜୋର ଧରିଥିଲା । ଏ ନେଇ ତତକାଳୀନ ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ୧୨ ଜଣିଆ କମିଟ ମଧ୍ୟ ଗଠନ କରାଯାଇଥିଲା । ଏଥିରେ ରାଜ୍ୟର ପ୍ରମୁଖ ସଂଗୀତଜ୍ଞ, ସାହିତ୍ୟିକ ଏବଂ ଭାଷାବିତ୍ ସଦସ୍ୟ ଥିଲେ । ସେତେବେଳେ ଏହି କମିଟର ପ୍ରଥମ ବୈଠକ ଫେବୃୟାରୀ ୧୯ ତାରିଖ ୨୦୦୩ ମସିହାରେ ବସିଥିଲା । ସେଥିରେ ନିଷ୍ପତି ହୋଇଥିଲା ଯେ, ବନ୍ଦେ ଉତ୍କଳ ଜନନୀ ସଂଗୀତର ମୂଳ ଗୀତ ଆକାଶବାଣୀ କଟକରୁ ସଂଗ୍ରହ କରାଯାଇ ତର୍ଜମା କରାଯାଉ । ସେହି ଅନୁସାରେ ଗୀତ ସଂଗ୍ରହ କରାଯାଇ ଏହା ଉପରେ ଦୁଇ ତିନିଥର ବୈଠକ କରାଯାଇ ଶେଷରେ ଏହାର ଏକ ନମୂନା ରେକର୍ଡ ମଧ୍ୟ କରାଯାଇଥିଲା ।
ସେହି କମିଟ ନିଷ୍ପତି କରିଥିଲା ଯେ, କାନ୍ତକବିଙ୍କ ଏହି ଗୀତରୁ କେବଳ ତିନୋଟି ପଦକୁ ରାଜ୍ୟ ସଂଗୀତ ପାଇଁ ସାମିଲ କରାଯାଉ । ଏହାର ଯୁକ୍ତି ଥିଲା ଯେ, ଯେହେତୁ ଆମର ଜାତୀୟ ସଂଗୀତ ଜନଗଣମନର ଅବଧି ମାତ୍ର ୫୫ ସେକେଣ୍ଡ ମଧ୍ୟରେ ରହୁଛି । ସେହି ଢାଞ୍ଚାରେ ପକାଇବା ପାଇଁ ଏହାକୁ ସଂକ୍ଷିପ୍ତ କରାଯାଇଥିଲା । ଏହି ସଂକ୍ଷିପ୍ତ ସଂଗୀତକୁ ରେକର୍ଡିଂ କରିବା ପରେ ଏହାର ଅବଧି ହେଲା ଏକ ମିନିଟ ୩୦ ସେକେଣ୍ଡ । ଏହି ଗୀତ ମଝିରେ କୌଣସି ମ୍ୟୁଜିକ ବା ଯନ୍ତ୍ର ସଂଗୀତ ନ ଥିଲା । ଗୀତ ବୋଲିବାରୁ ଆରମ୍ଭ ହୋଇ ଗୀତ ବୋଲିବାରେ ଶେଷ ହୋଇଥିଲା । ଏହାର କାରଣ ମଧ୍ୟ ସେତେବେଳେ କୁହାଯାଇଥିଲା ଯେ, ଏହି ସଂଗୀତ ବୋଲିବା ସମୟରେ ଛିଡା ହୋଇ ସମ୍ମାନ ଦେବାର ନିୟମ ରହିଥିବାରୁ ଏହାକୁ ସଂକ୍ଷିପ୍ତ କରିବା ଆବଶ୍ୟକ ରହିଛି । ଗୀତର ବୋଲିବାର ସମୟ ବେଶୀ ହେଲେ ଲୋକେ ସମ୍ମାନ ଦେବା କଷ୍ଟଦାୟକ ହେବ । ଏହାକୁ ଦୃଷ୍ଟିରେ ରଖି କାନ୍ତକବିଙ୍କ ପୁରୀ ଗୀତରୁ ତିନୋଟି ପଦକୁ ନେଇ ଏପରି ସଂକ୍ଷିପ୍ତ କରାଯାଇଥିଲା । ଠିକ୍ ଯେପରି ଜାତୀୟ ସଂଗୀତ କରାଯାଇଛି । ଜାତୀୟ ସଂଗୀତ ବୋଲିବାରୁ ଆରମ୍ଭ ହୋଇ ସେହି ବୋଲିବାରେ ଶେଷ କରାଯାଉଛି । ମଝିରେ ଅନ୍ୟ ସଂଗୀତ ପରି କୌଣସି ମ୍ୟୁଜିକ ଦିଆଯାଇ ନ ଥାଏ । ବର୍ତ୍ତମାନ ବନ୍ଦେ ଉତ୍କଳ ଜନନୀକୁ ୩ ମିନିଟ କରାଯିବ ବୋଲି କୁହାଯାଉଛି । ଯାହା ଠିକ୍ ହେବ ନାହିଁ ବୋଲି ବିଚାର କରାଯାଉଛି । ରାଜ୍ୟ ସରକାର ଏହାକୁ ରାଜ୍ୟ ମାନ୍ୟତା ଦେବା ପୂର୍ବରୁ କେତେକ ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି । ସେଗୁଡିକ ହେଲା...
1-ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ହେଲେ ଏହାକୁ ଅତି ବେଶୀରେ ଦେଢ ମିନିଟ ମଧ୍ୟରେ ସୀମିତ ରଖିବାର ଆବଶ୍ୟକ ।
2-ଗୀତ ମଝିରେ କୌଣସି ଯନ୍ତ୍ର ସଂଗୀତକୁ ବାଦ ଦିଆଯାଉ, ଅର୍ଥାତ ଏହା ବୋଲିବାରୁ ଆରମ୍ଭ କରିବ ସେହି ବୋଲିବାରେ ଶେଷ କରାଯାଉ ।
3-ଗୀତ ମଝିରେ କୌଣସି ସ୍ଥାନରେ ବନ୍ଦ ରଖା ନ ଯାଉ, ଅର୍ଥାତ ଧାରାବାହିକ ଭାବେ ବୋଲାଯାଇ ଶେଷ କରାଯାଉ ।
4-ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାସ ଦେଇଥିବା ସଂଗୀତର ଧାରାକୁ ଅତୁଟ ରଖାଯାଉ ।
5-ଏହା କୌଣସି ଜଣେ କିମ୍ବା ଦୁଇଜଣ ଗାୟକଙ୍କ କଣ୍ଠରେ ନ ବୋଲି ବୃନ୍ଦ ଗାନ କରାଯାଉ । ଯେପରି ଜାତୀୟ ସଂଗୀତ ଜନଗଣମନ କିଏ ବୋଲିଛି ତାହା ଜଣା ପଡେ ନାହିଁ, ସେପରି କରିବାର ମଧ୍ୟ ଆବଶ୍ୟକ ରହିଛି ।
ସାଧାରଣତଃ ଜାତୀୟ ହେଉ କିମ୍ବା ପ୍ରାଦେଶିକ ସଂଗୀତ, ସେସବୁକୁ ସାଧାରଣ ଲୋକେ ସମ୍ମାନ ଦେବେ । ବିଭିନ୍ନ ସଭା ସମିତ ଆରମ୍ଭରେ ଏବଂ ଶେଷରେ ବୋଲିବାର ନିୟମ ରହିବ । ହେଲେ ଏହା ବୋଲିବାର ସମୟ ଅବଧୀ ବେଶୀ ହେଲେ ତାହା ଲୋକଙ୍କ ଦ୍ବାରା କେତେ ଦୂର ସମ୍ମାନୀୟ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବ ।