)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାସହ ମୌସୁମୀ ଟ୍ରଫ ଲାଇନ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ଜାରି ରହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ସୁନ୍ଦରଗଡ, ଦେବଗଡ, କନ୍ଧମାଳ, ରାୟଗଡା, ଗଜପତି ପ୍ରଭୃତି ଜିଲ୍ଲାର କିଛି-କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି ବିଜୁଳି ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ୨୮ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ପ୍ରବଳ ବର୍ଷ ପାଇଁ ସୁନ୍ଦରଗଡ଼, ଦେବଗଡ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ୧ ଜୁନରୁ ୨୬ ଜୁଲାଇ ମଧ୍ୟରେ ରାଜ୍ୟରେ ୪୫୬.୮ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୪୯୮.୬ ମିମି ଠାରୁ ୮ ପ୍ରତିଶତ କମ୍ । ୧୧ଟି ଜିଲ୍ଲାରେ ସ୍ୱଭାବିକ ଠାରୁ କମ, ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ, ଏବଂ ଅବଶିଷ୍ଟ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।