ମାସ୍କ ପରିଧାନ କରି ନୀତି କରିବା କୌଣସି ପରମ୍ପରା ବିରୋଧୀ ନୁହେଁ ବୋଲି କହିଛନ୍ତି ପୂଜାପଣ୍ଡା ସେବାୟତ ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ରଥଯାତ୍ରାକୁ ନେଇ ଏଯାବତ ରାଜ୍ୟ ସରକାର ସ୍ପଷ୍ଟ କରି ନ ଥିବା ବେଳେ ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦଇତାପତି ନିଯୋଗ ପକ୍ଷରୁ ରଥଯାତ୍ରା ନୀତିକୁ ନେଇ ରହିଥିବା ପ୍ରସ୍ତାବ ଉପରେ ଏବେ ଚାଲିଛି ଆଲୋଚନା । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୂଜାପଣ୍ଡା, ପୁଷ୍ପାଳକ ,ସିଂହାରୀ ଓ ମହାଜନ ନିଯୋଗ ସହ ହୋଇଛି ସମୀକ୍ଷା। ରଥଯାତ୍ରା ପହଣ୍ଡି ଜୁନ ୨୩ ଭୋର ୪ଟାରୁ ୫ଟା ଭିତରେ କରାଯିବା ସହ ଦିନ ୧୧ଟା ସୁଦ୍ଧା ପହଣ୍ଡିକୁ ନେଇ ପୂଜାପଣ୍ଡା ନିଯୋଗ ସହ ଆଲୋଚନା ହୋଇଛି । ସେହିପରି ବିନା ଭକ୍ତରେ ରଥଯାତ୍ରା ହେଉଥିବାରୁ ସେବାୟତମାନେ ଏଥର ରଥଟାଣିବାରେ ନିୟୋଜିତ ହେବେ ବୋଲି ବୈଠକରେ କୁହାଯାଇଛି । ତେବେ ମାସ୍କ ପରିଧାନ କରି ନୀତି କରିବା କୌଣସି ପରମ୍ପରା ବିରୋଧୀ ନୁହେଁ ବୋଲି କହିଛନ୍ତି ପୂଜାପଣ୍ଡା ସେବାୟତ ।
ସେପଟେ ରଥଯାତ୍ରା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସି ରଥଟାଣନ୍ତୁ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ । ଅନ୍ୟପଟେ ମହାପ୍ରଭୁଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଥିବା ବେଳେ ରଥଖଳାରେ ପାରାଭାଡି , ଖପୁରୀ , କଳସ , ଦ୍ୱାରବେଢା , ଚନ୍ଦ୍ରଶାଳୀ କାମ ଚାଲିଥିବା ସହ ରଥର ରଙ୍ଗ କାର୍ଯ୍ୟ ଚାଲିଛି । ସେପଟେ ଦର୍ଜି ସେବାୟତଙ୍କ ଦ୍ୱାରା ରଥର କନାକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ରଥଯାତ୍ରା ଦିନ ଭୋରରୁ ନୀତି କିଭଳି କରାଯିବ ତା ସହିତ ଦିନ ୧୧ଟା ସୁଦ୍ଧା କିଭଳି ରଥଟଣା ନୀତି ହେବ, ସେନେଇ ସେବାୟତମାନେ କେତେଦୂର ସମନ୍ୱୟ ରଖି କାର୍ଯ୍ୟ କରିବେ ତାଉପରେ ଆଲୋଚନା ହୋଇଛି । ବିଶେଷକରି ମାସ୍କ ପରିଧାନ କରି ନୀତି ସମ୍ପାଦନ କରିବାରେ କୌଣସି ପରମ୍ପରା ବ୍ୟାଘାତ ହେବ ନାହିଁ । ସମସ୍ତ ସେବାୟତମାନେ ରଥଯାତ୍ରା ପାଇଁ ସହଯୋଗ କରିବେ । ଆଉ ସମସ୍ତଙ୍କର ଇଚ୍ଛା ରହିଛି କିଭଳି ମହାପ୍ରଭୁଙ୍କ ନୀତି କରାଯାଇ ରଥଯାତ୍ରା ହେଉ । ପୂଜାପଣ୍ଡା ନିଯୋଗ ପକ୍ଷରୁ ୧୫୦ ଜଣ ସେବାୟତ ରଥଟାଣିବାରେ ଉପସ୍ଥିତ ରହିବା ସହ ସିଂହାରୀ ନିଯୋଗର ମଧ୍ୟ ୧୫୦ ଜଣ ସଦସ୍ୟ ରଥଯାତ୍ରାରେ ସହଯୋଗ କରିବେ । ରଥଟାଣିବା ପାଇଁ ସମସ୍ତ ସେବାୟତମାନଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ ବା ପରିଚୟ ପତ୍ରର ବ୍ୟବସ୍ଥା କରାଯିବ । ରଥଯାତ୍ରାର ନୀତି ଖୁବ ଶୀଘ୍ର ହୋଇଗଲେ ଏହା ନୀତି ସବ କମିଟି ତା ପରେ ଛତିଶା ନିଯୋଗ ଓ ଶେଷରେ ପରିଚାଳନା କମିଟି ବୈଠକରେ ଚୁଡାନ୍ତ ହେବ ବୋଲି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।
ସେପଟେ ରଥ ନିର୍ମାଣର କାମ ମଧ୍ୟ ଶେଷ ପର୍ଯ୍ୟାୟରେ । ଦ୍ୱାରବେଢା କାମ ୬ଟିର ସରିଛି । ସମୁଦାୟ ୧୨ଟି ଦ୍ୱାରବେଢା ଲଗାଯିବ । ତା ସହ ରଥ ଉପରେ ତାଗବାଡିଆ ପରେ ତା ଉପରେ ପଟାବାଡିଆ କାମ ଆରମ୍ଭ ହୋଇଛି । ୧୩ପରସ୍ତ ପୋଟଳ କାମ ମଧ୍ୟ ଚାଲିଛି । ପାରାଭାଡି କାମ ସହ ରଥର କଳସ କାମ ଖପୁରୀ କାମ ବି ଶେଷ ପର୍ଯ୍ୟାୟରେ । ସେପଟେ ତିନି ରଥର ରଙ୍ଗ କାର୍ଯ୍ୟ ସହ ପାର୍ସ୍ୱ ଦେବାଦେବୀ, ସଖି , ନାଟଗଡୁ ରଙ୍ଗ କାମ ଚାଲିଛି । ତିନି ରଥପାଇଁ ଆବଶ୍ୟକ ୧୨୫୦ ମିଟର କନା ମଧ୍ୟ ଆସିସାରିଥିବା
ବେଳେ ସେଥିରେ ଦର୍ଜି ସେବାୟତମାନେ କାମ ଆରମ୍ଭ କଲେଣି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଏକ ହଲରେ ଏହି କାର୍ଯ୍ୟ ଚାଲିଛି । ତେଣୁ ଜୁନ ୨୦ ସୁଦ୍ଧା ତିନି ରଥର କାମ ସରିବାକୁ ସମସ୍ତ ସେବାୟତ ଚେଷ୍ଟିତ ବୋଲି କହିଛନ୍ତି ଭୋଇ ସର୍ଦ୍ଧାର ।
ରଥଯାତ୍ରା କରିବା ପାଇଁ ସରକାରୀ ସ୍ତରରେ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଲେଣି । ରଥ ନିର୍ମାଣ ସରିବାକୁ ଥିବାବେଳେ ସେବାୟତ ନିଯୋଗଙ୍କୁ ନେଇ ଚାଲିଛି ନୀତିକାନ୍ତିକୁ ନେଇ ଆଲୋଚନା । ସେପଟେ ପହଣ୍ଡି ପାଇଁ ମାସ୍କ ଓ ଆସାମୀ ଗାମୁଛା ବି ବରାଦ ଦିଆହେଲେଣି । ପୁଣି ରଥଟାଣିବା ପାଇଁ ମଧ୍ୟ ସଂଖ୍ୟା ପ୍ରସ୍ତୁତ ହେଲେଣି । ତେଣୁ ଏଥିରୁ ରଥଯାତ୍ରାକୁ ନେଇ ଥିବା ଆଶଙ୍କା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।