ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍ ଅବଧି ?
Advertisement

ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍ ଅବଧି ?

ଓଡ଼ିଶା କୋରୋନା ମୁକାବିଲା ପାଇଁ ନେଇଥିବା ଆଗୁଆ ପଦକ୍ଷେପ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଜୀବନ ବଂଚାଇବା ସହ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । 

 ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍ ଅବଧି ?

ଯଯାତି ମହାନ୍ତି, ଭୁବନେଶ୍ୱର: ଜୁନ୍ ମାସ ଥିଲା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିଲେ । ନାଇଟ୍ କର୍ଫ୍ୟୁ ହେଉ କି ସାପ୍ତାହିକ ସଟ୍‌ଡାଉନ୍‌, ପୁଣି ବୟସ୍କ ଓ ଶିଶୁଙ୍କୁ ବାହାରକୁ ଆସିବାର କଟକଣା । ଜୁନ୍ ମାସର ଆଜି ଥିଲା ଶେଷ ସଟଡାଉନ୍ । ହେଲେ ରାଜ୍ୟରେ କୋରୋନା ସ୍ଥିତି ସୁଧୁରିବା ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗୋଷ୍ଠୀ ସଂକ୍ରମଣ ମଧ୍ୟ ଦେଖାଦେଲାଣି । ତେଣୁ ଜୁଲାଇରେ କ’ଣ କରିବେ ସରକାର ? କଟକଣା ବଢାଇବେ ନା କୋହଳ କରିବେ ? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ । ଡାକ୍ତରଙ୍କ କହିବା କଥା ଜୁଲାଇରେ ମଧ୍ୟ କଟକଣା ଜାରି ରହିବା ଦରକାର ଏବଂ ଏହାକୁ ସମସ୍ତେ ମାନିବା ଜରୁରୀ । ସମୀକ୍ଷକଙ୍କ ମତ ଜୀବନ ସହ ଜୀବିକା ଚାଲିବାର ଆବଶ୍ୟକତା ରହିଛି । ସରକାର କିଛି ନିଷ୍ପତ୍ତି ନେବା ପୂର୍ବରୁ ରାଜନେତା, ସିଭିଲ୍ ସୋସାଇଟି ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ଦରକାର ।

ଜୁନ୍ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କୋରୋନା ସାଙ୍ଗକୁ ରାଜ୍ୟରେ ମୌସୁମୀ ଜଳବାୟୁ ସମସ୍ୟାକୁ ବିଗାଡ଼ି ଦେଇପାରେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ସାଙ୍ଗକୁ ଅନେକ କଟକଣା ଜାରି କଲେ ରାଜ୍ୟ ସରକାର । ୧୧ଟି ଜିଲ୍ଲାରେ ଶନିବାର, ରବିବାର ଦୁଇ ଦିନିଆ ସଟ୍‌ଡାଉନ୍ ସାଙ୍ଗକୁ ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କରାଗଲା । ଶିଶୁ ଓ ବୟସ୍କମାନଙ୍କୁ ବାହାରକୁ ନ ଆସିବା ପାଇଁ କଟକଣା ଜାରି କଲେ । ଏସବୁ ପରେ ବି ସ୍ଥିତି ସୁଧୁରିନାହିଁ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସାଙ୍ଗକୁ ଗୋଷ୍ଠୀ ସଂକ୍ରମଣ ବି ଦେଖାଦେଲାଣି । ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ ସଟଡାଉନ୍ ବି ବଢାଇ ସାରିଲେଣି । ହେଲେ ରାଜ୍ୟ ସରକାର କ’ଣ କରିବେ, ତା ଉପରେ ସମସ୍ତଙ୍କ ନଜର ରହିଛି । ଡାକ୍ତରଙ୍କ ମତରେ ଜୁନ୍ ଭଳି ଜୁଲାଇ ମାସରେ ବି କଟକଣା ବଳବତ୍ତ ରହିବା ଦରକାର ଏବଂ ଏହାକୁ ଲୋକେ ନିଜ ସଠିକ୍ ଢଙ୍ଗରେ ପାଳନ କରିବା ଜରୁରୀ ।

ଓଡ଼ିଶା କୋରୋନା ମୁକାବିଲା ପାଇଁ ନେଇଥିବା ଆଗୁଆ ପଦକ୍ଷେପ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଜୀବନ ବଂଚାଇବା ସହ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ୧୧ଟି ଜିଲ୍ଲା ବଦଳରେ ପ୍ରମୁଖ ୫ ଜିଲ୍ଲା ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱରରେ ସାପ୍ତାହିକ ସଟଡାଉନ୍ ବଳବତ୍ତର ରଖିବା ସହ ଉଠା ଦୋକାନୀଙ୍କ ପାଇଁ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ ବଦଳରେ ରାତି ୯ରୁ କଲେ ଭଲ ହେବ ବୋଲି ସମୀକ୍ଷକ ମତ ଦେଇଛନ୍ତି । ସାପ୍ତାହିକ ସଟଡାଉନ୍‌ରେ କିଛି ଫାଇଦା ମିଳୁନାହିଁ ବୋଲି ଆଉ ଜଣେ ସମୀକ୍ଷକ ମତ ଦେଇଛନ୍ତି । ୫ଦିନ ଖୋଲି ଦୁଇଦିନ ବନ୍ଦ କଲେ କିଛି ଲାଭ ହେଉନାହିଁ । ତେଣୁ ସରକାର ସମସ୍ତଙ୍କ ସହ ବିଶେଷ କରି ଲୋକ ପ୍ରତିନିଧି, ଡ଼ାକ୍ତରୀ ଟିମ୍‌, ବିଶେଷଜ୍ଞ ଏବଂ ସିଭିଲ୍ ସୋସାଇଟିର ସଦସ୍ୟ ମାନଙ୍କୁ ନେଇ ଏକ କମିଟି କରି ବିଚାର ବିମର୍ଶ କରନ୍ତୁ ବୋଲି ମତ ଆସୁଛି ।

ଆଜି ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୫୫ ହଜାର ୮୦୯ ଜଣଙ୍କର କୋରୋନା ଟେଷ୍ଟ ହୋଇଥିବା ବେଳେ ଏଥିରୁ ୬ ହଜାର ୬୧୪ ଜଣ ପଜିଟିଭ୍ ବାହାରିଛନ୍ତି । ଯାହା ୨.୫୯ ପ୍ରତିଶତ । ୬୬୧୪ରୁ ୪୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ୧୯୮୦ଟି ଆକ୍ଟିଭ୍ ମାମଲା ରହିଛି । ୨୧ ଜଣଙ୍କର ମୃତ୍ୟୁ ହୋଇଛି । କୋରୋନା ମୁକାବିଲା ପାଇଁ ସରକାର ୧୭ ହଜାର ୬୩୮ଟି ଅସ୍ଥାୟୀ ମେଡିକାଲ ସେଂଟର କରିଥିବା ବେଳେ ୧୭୪ଟି କୋଭିଡ଼୍ କେୟାର ହୋମ୍ କରିଛନ୍ତି । ୩୫ଟି କୋଭିଡ଼୍ ହସ୍ପିଟାଲରେ ୫ ହଜାର ୫୪୭ଟି ଶଯ୍ୟା ରହିଥିବା ବେଳେ ୩୪୨ଟି ଆଇସିୟୁର ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ୱେ ଜୁଲାଇ ମାସରେ ସରକାର କ’ଣ ନୂଆ ନିଷ୍ପତ୍ତି ନେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି ।