)
ସରୋଜ ବେହେରା, ଭୁବନେଶ୍ୱର: ୩ର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାକୁ ଯାଉଛି । ଆଉ ଏହାରି ଭିତରେ ଭୁବନେଶ୍ୱରର ବାରରୁ ଆରମ୍ଭ କରି ଠିପି ବନ୍ଦ ଦୋକାନ ପର୍ଯ୍ୟନ୍ତ ସବୁଠି ବ୍ୟାରିକେଡ୍ ହୋଇଗଲାଣି । ଅବକାରୀ କମିଶନର ମଦ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ବଟ୍ଲିଂ ପ୍ଲାଣ୍ଟକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏପଟେ ଲକଡାଉନ୍ ଖୋଲିଲେ କେଉଁ ଜିଲ୍ଲାର ମଦ ଦୋକାନୀ କେଉଁ ଦିନ ମଦ ଆଣିବେ ସେନେଇ ରାଜ୍ୟ ପାନୀୟ ନିଗମ(ଓଏସ୍ବିସି) ପକ୍ଷରୁ ବିଜ୍ଞକ୍ତି ପ୍ରକାଶ ମଧ୍ୟ ହୋଇସାରିଛି । ମଦ ଦୋକାନ ଖୋଲା ହେବା ନେଇ ଯଦିଓ ସରକାରୀ ଭାବରେ ସ୍ପଷ୍ଟ ହୋଇ ନାହିଁ, ତଥାପି ଏହି ସବୁ ସରକାରୀ ଓ ବେସରକାରୀ ପ୍ରସ୍ତୁତିକୁ ଦେଖିଲେ ମଦ ଦୋକାନ ଖୁବ୍ଶୀଘ୍ର ଖୋଲିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।

ଆବଶ୍ୟକ ମଦ ଉତ୍ପାଦନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାରଖାନା ରହିଛି । କୋଭିଡ୍-୧୯ ପାଇଁ ଏହାକୁ ବନ୍ଦ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ତାଲାବନ୍ଦ ପରେ ଏହାକୁ ଖୋଲିବା ପାଇଁ ଲାଇସେନ୍ସ ହୋଲ୍ଡରମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଭାବରେ ସ୍ୱୀକୃତି ନେବେ । ଏହି ସ୍ୱୀକୃତି ଦେବା ବେଳେ କୋଭିଡ୍-୧୯ ମୁକାବିଲା ପାଇଁ ଜାରି ସମସ୍ତ ନିର୍ଦ୍ଦେଶନାମା ପାଳନ କରିବା ପାଇଁ ନିଶ୍ଚିତ କରିବେ । ଏହି ମର୍ମରେ ଅବକାରୀ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଓଏସ୍ବିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ, ଯେଉଁଦିନ ମଦ ବିକ୍ରି ପାଇଁ ସରକାର ସ୍ୱୀକୃତି ଦେବେ, ସେବେଠାରୁ କେଉଁ ଅଞ୍ଚଳର ମଦ ଦୋକାନୀ କେଉଁଦିନ ମଦ କିଣିବା ପାଇଁ ଖୋର୍ଦ୍ଧାର ଓଏସ୍ବିସି ଗୋଦାମକୁ ଆସିବେ ସେ ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ସରକାରଙ୍କ ସ୍ୱୀକୃତିର ପ୍ରଥମ ଦିନ ଭୁବନେଶ୍ୱର ରହିଛି । ବିଏମ୍ସି ଅଞ୍ଚଳ ସମେତ ଗାରେଡ଼ିପାଞ୍ଚଣ, ବାସୁଆଘାଇ, ଅନନ୍ତପୁର, ଚନ୍ଦକା, ତମାଣ୍ଡୋ, ଛତାବର, ଉତ୍ତରା, ପାହାଳ ରହିଛି । ତା’ ସହିତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଦେଶୀ ମଦ ଦୋକାନୀ ମଧ୍ୟ ମଦ କିଣିବେ । ପ୍ରଥମ ଦିନ ଏହି ଅଞ୍ଚଳରେ ଥିବା ମଦ ଦୋକାନୀ ଓଏସ୍ବିସି ଆସି ମଦ କିଣିବେ। ସେହିଭଳି ଦ୍ୱିତୀୟ ଦିନ ଖୋର୍ଦ୍ଧା ଜିଲ୍ଲାର ବାକି ରହିଥିବା ଅଞ୍ଚଳ ସହ ନୟାଗଡ଼ ଜିଲ୍ଲାର ସମସ୍ତ ମଦ ଦୋକାନୀ ମଦ କିଣିବାର ସୁଯୋଗ ପାଇବେ । ତା’ ସହିତ ଦେଶୀ ମଦ ଦୋକାନୀ ମଧ୍ୟ ମଦ କିଣିବେ । ତୃତୀୟ ଦିନ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନୀ ସହ ଡିଫେନ୍ସ ୟୁନିଟ୍ ମଦ କିଣିବାର ସୁଯୋଗ ପାଇବେ । ମଦ ବିକ୍ରିକୁ ନେଇ ସରକାରୀ ସ୍ତରରେ ଏଭଳି ପ୍ରସ୍ତୁତି ହୋଇଥିବା ବେଳେ ଦୋକାନୀ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି ।
ଭୁବନେଶ୍ୱରର ଠିପି ବନ୍ଦ ଓ ଠିପି ଖୋଲା ସହ ବିଭିନ୍ନ ବାର୍ ସାମ୍ନାରେ ରାତାରାତି ବାରିକେଡ୍ ନିର୍ମାଣ ହୋଇଛି । ଲୋକମାନେ କିଭଳି ଧାଡ଼ି ବାନ୍ଧି ମଦ କିଣିବେ ସେ ନେଇ ପ୍ରସ୍ତୁତି ଶେଷ କରି ନିର୍ଦ୍ଦେଶନାମାକୁ ଅପେକ୍ଷା କରିଛନ୍ତି । ତେବେ ବାର୍ରେ ବସି ମଦ୍ୟପାନ କରିବାକୁ ସ୍ୱୀକୃତି ମିଳିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇ ନାହିଁ ।