ଲକଡାଉନର ମୌକା ନେଲେ ୧୨ ଯୌନ ପିପାସୁ, ୨ ଯୁବତୀଙ୍କୁ ଗଣଦୁଷ୍କର୍ମ

୧୦ ଗିରଫ, ଦୋଷ ସ୍ୱୀକାର କଲେ ଅଭିଯୁକ୍ତ

ଲକଡାଉନର ମୌକା ନେଲେ ୧୨ ଯୌନ ପିପାସୁ, ୨ ଯୁବତୀଙ୍କୁ ଗଣଦୁଷ୍କର୍ମ
ପ୍ରତୀକାତ୍ମକ ଫଟୋ

ରାଞ୍ଚି: ସମଗ୍ର ବିଶ୍ୱରେ ଏବେ କୋରୋନା ତାଣ୍ଡବ । କୋରୋନାରୁ କିପରି ମୁକ୍ତି ମିଳିବ, ଦେଶବାସୀ ଚିନ୍ତିତ । ସାରା ଦେଶରେ ଲକ୍ ଡାଉନ୍ । ହେଲେ ଦୁଷ୍କର୍ମକାରୀଙ୍କ ପାଇଁ ଲକ୍ ଡାଉନ୍ ତ ଗୋଟିଏ ମୌକା ! ସବୁଆଡ଼େ ନିଛାଟିଆ ରହୁଥିବାରୁ, ଏହାର ଫାଇଦା ନେଇଛନ୍ତି ଯୌନ ପିପାସୁ । ଝାଡ଼ଖଣ୍ଡରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୧୨ ଅଭିଯୁକ୍ତ । ଏବେ ୧୦ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ନିଜ ଦୋଷକୁ ମଧ୍ୟ ସ୍ୱୀକାର କରିଥିବା ପୋଲିସ କହିଛି । 

ପୁରା ଘଟଣା ଥିଲା ଏପରି । ଝାଡ଼ଖଣ୍ଡ ଗୁମଲାରେ ଦୁଇ ଯୁବତୀଙ୍କୁ ୧୨ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ ।  ଏହି ଘଟଣା ଗତ ଏପ୍ରିଲ ୩ ତାରିଖରେ ଘଟିଥିଲା । ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨ ଯୁବତୀ ଘରୁ ବାହାରିଥିଲେ । ହେଲେ ରାତି ହୋଇଯିବା କାରଣରୁ ବିବାହ ଉତ୍ସବରେ ସାମିଲ ହୋଇପାରିନଥିଲେ । ତେଣୁ ଘରକୁ ଫେରୁଥିଲେ । ତେଦେ ଦୁଷ୍କର୍ମକାରୀଙ୍କ ନଜର ଦୁଇ ଯୁବତୀଙ୍କ ଉପରେ ପଡ଼ିଥିଲା । ଖଟକା ଗାଁ ସ୍କୁଲ ପାଖକୁ ନେଇ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୧୨ ଅଭିଯୁକ୍ତ । କେବଳ ଏତିକି ନୁହେଁ, ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । 

ଅଭିଯୁକ୍ତଙ୍କ ଧମକ ଯୋଗୁ ପ୍ରଥମେ ଥାନାରେ କୌଣସି ଅଭିଯୋଗ କରିନଥିଲେ ପୀଡ଼ିତା । ଘଟଣାର ୭ ଦିନ ପରେ ଅର୍ଥାତ ଗତ ୧୦ ତାରିଖରେ ଗୁମଲା ଥାନା ପହଞ୍ଚି ୧୨ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିଥିବା ଗୁମଲା ଥାନା ପ୍ରଭାରୀ ଶଙ୍କର ଠାକୁର କହିଛନ୍ତି । 

ଏବେ ଗିରଫ ଅଭିଯୁକ୍ତମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଭୟ ବଢ଼ିଯାଇଛି । କାଳେ ଅଭିଯୁକ୍ତଙ୍କ ପରିବାର ହମଲା କରିବେ, ଏପରି କିଛି ଆଶା ଆଶଙ୍କାରେ ପୀଡ଼ିତାଙ୍କ ପରିବାର ।