କୋରନାର ତାଣ୍ଡବ, ୨୪ ଘଣ୍ଟାରେ ୧୪୩ ଜଣଙ୍କ ମୃତ୍ୟୁ

ଚୀନରେ ବର୍ତ୍ତମାନ ଯାଏ ୬୭୫୩୫ ଲୋକଙ୍କୁ ଆକ୍ରାନ୍ତ କରିଛି ଭାଇରସ  

କୋରନାର ତାଣ୍ଡବ, ୨୪ ଘଣ୍ଟାରେ ୧୪୩ ଜଣଙ୍କ ମୃତ୍ୟୁ

ବେଜିଂ: ଚୀନରେ କୋରନା ଭାଇରସ ତାଣ୍ଡବଲୀଳା ଜାରି ରଖିଛି । ସମଗ୍ର ବିଶ୍ୱରେ ଏହି ଭାଇରସକୁ ନେଇ ଆତଙ୍କ ଦେଖା ଦେଇଛି । ଚୀନ ପରେ ଏବେ ହଂକଂରେ ମଧ୍ୟ କୋରନା ଭାଇରସ ଆତଙ୍କ ଖେଳାଉଛି । କୋରନା ଭାଇରସ ଯୋଗୁଁ ବର୍ତ୍ତମାନ ଯାଏ ଚୀନରେ ୧୫୨୩ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । କେବଳ ଶୁକ୍ରବାର ଏହି ମହାମାରୀ ଯୋଗୁଁ ୧୪୩ ଜଣ ଜୀବନ ହରାଇଛନ୍ତି ।

କୋରନା ଭାଇରସର କେନ୍ଦ୍ର ଥିବା ହୁୱେଇ ପ୍ରାନ୍ତରେ ଏହି ରୋଗ ଯୋଗୁଁ ୨୪୨୦ ନୂଆ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନର ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ହୁୱେଇ ପ୍ରାନ୍ତରେ ଏହି ମହାମାରୀ ଯୋଗୁଁ ୧୩୯ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ହେନାନରେ ୨ ଜଣ ଏହି ଭାଇରସ ଯୋଗୁଁ ଜୀବନ ହରାଇଛନ୍ତି ।

ଚୀନର ରାଜଧାନୀ ବେଜିଂରେ ମଧ୍ୟ ଜଣେ ବ୍ୟକ୍ତି ଏହି ଭାଇରସ ଯୋଗୁଁ ଜୀବନ ହରାଇଛନ୍ତି । ସେହିପରି ଚୋଂଚିଂରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହିପରି ଭାବେ କେବଳ ଶୁକ୍ରବାର ୧୪୩ ଜଣ ଜୀବନ ହରାଇଛନ୍ତି । ଅନ୍ୟପଟେ ସର୍ବମୋଟ ୧୫୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।