୧୯୯୯ ମହାବାତ୍ୟା ଉଡ଼େଇ ନେଇଥିଲା 'ମୋ ପିଲାବେଳର ଫଟୋ'
Advertisement

୧୯୯୯ ମହାବାତ୍ୟା ଉଡ଼େଇ ନେଇଥିଲା 'ମୋ ପିଲାବେଳର ଫଟୋ'

ଆଜି ବି ବାତ୍ୟା ନାଁ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠେ 

file photo

ପ୍ରଦ୍ୟୁମ୍ନ କୁମାର ମାଝୀ, ଭୁବନେଶ୍ୱର: ମୋତେ ଯେମିତି ଏଇ କେତେ ବର୍ଷ ତଳର କଥା ପରି ଲାଗୁଛି ।  ହେଲେ ମହାବାତ୍ୟାକୁ ବିତିଯାଇଛି ଦୀର୍ଘ ୨୦ ବର୍ଷ ।  ମହାବାତ୍ୟା ପରେ ଓଡ଼ିଶା ସମେତ ଆମ ଜଗତସିଂହପୁର ଜିଲ୍ଲା ଅନେକ ଛୋଟ ବଡ଼ ବାତ୍ୟାକୁ ଅନୁଭବ କରିଛି । ହେଲେ ମହାବାତ୍ୟା କଥା ମନେପଡ଼ିଲେ ଯେମିତି ଲୋମ ଟାଙ୍କୁରି ଉଠେ । ମୋତେ ଆଜି ବି ଅଙ୍ଗେ ଲିଭାଇଥିବା ସବୁ ଅନୁଭୂତି କଥା ମନେ ଅଛି । ସ୍କୁଲ ଛାଡ଼ି କଲେଜରେ ପାଠପଢ଼ିବାକୁ ନାଁ ଲେଖା ସରିଥାଏ । ନୂଆ ନୂଆ କଲେଜ ଯିବାକୁ ମନ ଖାଲି ଚଳଚଞ୍ଚଳ ହେଉଥାଏ । ସେଦିନ ଥାଏ ଅକ୍ଟୋବର ୨୮ ତାରିଖ ଗୁରୁବାର । ସନ୍ଧ୍ୟାରେ ମାଇକରେ ପ୍ରଚାର ହେଲା ବାତ୍ୟା ଆସିବ । ନିଜର ଜରୁରୀ ଜିନିଷ କିଣି ରଖନ୍ତୁ,  ସୁରକ୍ଷିତ ସ୍ଥାନ କୋଠା ଘରକୁ ଚାଲିଯାଆନ୍ତୁ ।

ଆମ ଅଲଣାହାଟ ଲୋକଙ୍କୁ ଥଟ୍ଟା ତାମସାରେ କେହି ପାରିଲାବାଲା ନାହାନ୍ତି । ଲୋକେ ଅଟ୍ଟହାସ କରି କହିଲେ ବି ବାତ୍ୟା ଆସିବ ଯେ ଡାକବାଜି ଯନ୍ତ୍ରରେ ପ୍ରଚାର ହେଉଛି । ସେଦିନ ଥାଏ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଶକ୍ରବାର । ସକାଳୁ ସକାଳୁ ଉଠି ମୁଁ ଦାନ୍ତକାଠିଟା ପାଟିରେ ପୁରାଇ ବାରି ପଛପଟକୁ ଚାଲିଗଲି । ହଟାତ୍ ସୁ ସୁ ଶବ୍ଦ ଶୁଭିଲା ଆଉ ଆମ ତେନ୍ତୁଳି ଗଛଟା ଉପୁଡ଼ି ପଡ଼ିଲା । ଚାହୁଁ ଚାହୁଁ ପବନର ବେଗ ବଢ଼ି ଚାଲିଲା । ସମୟ ନଥିଲା ଗାଈ ବାଛୁରୀ ଟଙ୍କା,  ସୁନାଗହଣା ନେବାକୁ । ଜୀବନ ବଞ୍ଚାଇବାକୁ ବୁଢ଼ା ଜେଜେ ଓ ଜେଜେମାଆଙ୍କୁ ଧରି ବାପା ବୋଉ ସମସ୍ତେ ଚାଲିଗଲୁ ପାଖ ପଡ଼ୋଶୀଙ୍କ କୋଠାଘରକୁ । ମୁଁ ଆଶ୍ରୟ ନେଇଥିବା ସେଇ କୋଠାଘର ଗ୍ରୀଲ୍ ଫାଙ୍କରେ ବାତ୍ୟାର କରାଳ ରୂପକୁ ଦେଖୁଥାଏ ।  କାହାର ଘରର ଚାଳ ଉଡ଼ିଯାଇ ପିଞ୍ଜରା ଦେଖାଯାଉଥାଏ ତ କାହାର ଆଜବେଷ୍ଟସ୍ ଉଡ଼ିଯାଉଥାଏ । ଆଉ କେତେବେଳେ ଆକାଶରେ ନଡ଼ିଆ ଗଛର ମୁଣ୍ଡ ଭାଙ୍ଗି ଉଡ଼ିଯାଉଥାଏ ।

fallback

ପ୍ରାୟ ଦିନ ଗୋଟାଏ ବେଳେ ପବନର ବେଗ କମିଲା । ମୁଁ ମୋ ପରିବାର ସହ ଘର ସାଉଁଟିବାକୁ ଚାଲିଲି ।  ଦାଣ୍ଡରେ ଉପୁଡ଼ି  ପଡ଼ିଥିବା ଚାକୁଣ୍ଡା ଗଛର ଡାଳ ହାଣି ରାସ୍ତା ସଫା କରିବାକୁ ଲାଗିଲି । କେବଳ ଆମର ନୁହେଁ  ଆମ ପରିବାର ସହ ପୁରା ଗାଁ ସକାଳୁ ଉପାସରେ ଥିଲୁ ।  ବାପା ଚାଲିଲେ ବଜାରରୁ କିଛି ଚୂଡ଼ା ଗୁଡ଼ ଆଣିବାକୁ । ମୁଁ ଗଛ ହାଣି ଘରକୁ ଯିବାକୁ ରାସ୍ତା ସଫାରେ ଲାଗିଥାଏ । ହଟାତ୍ ପୁଣି ସେହିପରି ସୁ ସୁ ପବନର ଶବ୍ଦ ଶୁଭିଲା । ଘର ସଜଡ଼ାରେ ଲାଗିଥିବା ଆମ ପରିବାର ପୁଣି ଦୌଡିଲୁ ପଡ଼ୋଶୀଙ୍କ କୋଠା  ଘରକୁ । ପବନର ବେଗ ଏତେ ପ୍ରଖର ଥିଲା ଯେ କେତେଟା କୋଠା ଘରକୁ ଛାଡ଼ିଦେଲେ ଚାହୁଁଚାହୁଁ  ସବୁ ମାଟିଘର ମାଟିରେ ମିଶିଗଲା ।  ଆଉ ତା ଭିତରେ ମୋର ଛୁଆ ବେଳର ଫଟୋକୁ ବାତ୍ୟା ଉଡ଼ାଇ ନେଇଥିଲା ।  ସେପଟେ ବାପା ବଜାରକୁ ଖାଇବାକୁ ଆଣିବାକୁ ଯାଇ କେଉଁ ଆଡ଼େ ରହି ଥିଲେ ତାଙ୍କର ଖୋଜ ଖବର ନଥିଲା । ବାପାଙ୍କ ଚିନ୍ତାରେ ପୁରା ପରିବାର ରହିଥାଉ ।  ଆଉ ରାତି ପାହି ସକାଳ ହେଲା, ଆଖିର ଟିକେ ବି ପଲକ ପଡ଼ିନଥିଲା । ପେଟର ଭୋକ ସହ ବାପା କେତେବେଳେ ଆସିବେ ପୁରା ପରିବାରର ମନରେ ଦକ ରହିଥାଏ  । ପବନ କମିବା ପରେ ବାପା ବଜାରରୁ ଚୂଡ଼ା ଆଉ ଗୁଡ଼ ଆଣି ଆସିଥିଲେ, ହେଲେ ସେ ରାତିସାରା ଆଶ୍ରୟ ନେଇଥିବା ଏକ କାଠ କେଭିନ ଘରର ଅନୁଭୂତି ଆମ ଆଗରେ ବଖାଣି ଥିଲେ । କେମିତି ନିଜ ଜୀବନ ବଞ୍ଚାଇବା ପାଇଁ ବର୍ଷା ପବନ ମାଡ଼ରେ ସଂଘର୍ଷ କରିଥିଲେ ।

ବାତ୍ୟା ଛାଡ଼ିଗଲା, ହେଲେ ଯେଉଁ ଦୁଃଖ ଦେଇଗଲା ତାହା ଆଜିବି ୨୦ ବର୍ଷ ପରେ ମଧ୍ୟ ମନଭିତରେ ତାଜା ହୋଇ ରହିଛି ।  ଯେଉଁ ଗାଁ ଗୁଡ଼ିକ ଗଛ ପତର ଉଢ଼ାଳରେ ଲୁଚିଥିଲା ବାତ୍ୟା ପରେ କୋଶେ ଜୋନରୁ ଶ୍ରୀହୀନ ପରି ଦିଶୁଥିଲା ।  ମୋର ପରିବାର ଘର ସଜାଡୁଥିବା ବେଳେ ମୁଁ ମୋର ଗାଁ ସାଙ୍ଗମାନଙ୍କୁ ଧରି ପ୍ରଥମେ ରାସ୍ତା ସଫା କରିବାକୁ ଲାଗିଲି ।  ୧୯୯୯ ମସିହା ମହାବାତ୍ୟାରେ ଆମ ଗାଁରେ ଦୂରଦର୍ଶନ ଆଉ ରେଡ଼ିଓକୁ ଛାଡ଼ିଦେଲେ ଗଣମାଧ୍ୟମର ଆଉ କେଉଁ ସୁବିଧା ନଥିଲା ।  ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ି ଗାଁ ଅନ୍ଧାରରେ ରହୁଥିଲା । ରେଡିଓରେ ବାତ୍ୟା ଖବର ପାଇଁ ନିଜ ନିଜର ସମ୍ପର୍କୀୟମାନେ ଗାଁକୁ ଫେରୁଥାନ୍ତି ।

fallback

ଭୋକ ଉପାସରେ ରହିଥିବା ଲୋକେ କାହାଠାରୁ ଖାଇବା ପୁଡ଼ିଆ ଛଡ଼ାଉଥାନ୍ତି ତ ଆଉ କେହି ଦୋକାନ ଲୁଟିବାକୁ ଆରମ୍ଭ କରିଦେଇଥିଲେ । ଯେଉଁ ଆଡ଼େ ଦେଖିବ ଗାଈଗୋରୁ, କୁକୁର ଓ ପଶୁପକ୍ଷୀଙ୍କ କୁଢ଼ କୁଢ଼ ମଢ଼ ଗଦାହୋଇ ଷଢ଼ି ଦୁର୍ଗନ୍ଧ ବ୍ୟାପିବାରେ ଲାଗିଥିଲା ।  ମୁଁ ମୋର ସାଇକେଲ ଧରି ବାହାରିଲି କଲେଜକୁ ଦେଖିବାକୁ ।  ପଚାସଢ଼ା ଗନ୍ଧ ଭିତରେ ୧୪ କିଲୋମିଟର ସାଇକେଲରେ ଯାଇ ଆମ କଲେଜରେ ପହଞ୍ଚିଥିଲି ।  କଲେଜରେ ପାଠପଢ଼ା ହେବ କ'ଣ, ରିଲିଫି ଗାଡ଼ି ଆଉ ଆଶ୍ରୟସ୍ଥଳୀ ପାଲଟିଥିଲା ଆମ ଏସଭିଏମ୍ କଲେଜ୍ । ୧୯୯୯ ମସିହା ମହାବାତ୍ୟାରେ  ସବୁଠାରୁ ଅଧିକ କ୍ଷତି ଆମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲା । ପ୍ରାୟ ୧୦ ହଜାର ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।  ଲୋକେ ନିଜର ଜୀବନ ଜୀବିକା ହରାଇଥିଲେ ।  ଆଜି ପର୍ଯ୍ୟନ୍ତ କିଛିଲୋକ ନିଜର ଅଣ୍ଟା ସଳଖିବାକୁ ପ୍ରୟାସ କରୁଛନ୍ତି ।

ବିଶେଷ ଦ୍ରଷ୍ଟବ୍ୟ:-  ଏହି ଲେଖା ବାତ୍ୟାକୁ ଆଖି ଆଗରେ ଦେଖିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କ ଅନୁଭୂତି