)
ଭୁବନେଶ୍ୱର: ରାଜ୍ୟରେ ଯେଉଁ ନୂଆ ୭ କୋରୋନା ମାମଲା ସାମ୍ନାକୁ ଆସିଛି, ସେ ଭିତରେ ବାଲେଶ୍ୱରର ଦୁଇ ଜଣ ରହିଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୨ ବର୍ଷର ଶିଶୁ କନ୍ୟା । କୋରୋନା ଆକ୍ରାନ୍ତ ଶିଶୁଟି ନୀଳଗିରି ବରହମପୁର ଥାନା ଅଞ୍ଚଳର । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ସେହିପରି ବାଲେଶ୍ୱର ଉପଜିଲ୍ଲାପାଳ ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ସୂଚନା ମୁତାବକ, ଗତ ୧୬ ତାରିଖରେ ଶିଶୁ କନ୍ୟାର ସାମ୍ପଲ ନିଆଯାଇଥିଲା । ତେବେ ଆଜି ରିପୋର୍ଟ ପଜିଟିଭ ଆସିଛି । ଏବେ ପୁରା ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିପରି ସେହି ପରିବାର ଯେଉଁଠି ରୁହନ୍ତି, ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
Patient Details #Covid19 #Odisha
Case No: 67 & 68 (Balasore)
32 Years, Male & 02 Years, FemaleContact tracing and followup action is being done. pic.twitter.com/YI29SiB5rS
— I & PR Department, Odisha (@IPR_Odisha) April 20, 2020
ସୂଚନାଯୋଗ୍ୟ, ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୭ ମାମଲା ମଧ୍ୟରୁ ବାଲେଶ୍ୱରରୁ ୨ ଏବଂ ଭଦ୍ରକରୁ ୫ ଜଣ ଅଛନ୍ତି । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ବୟସ ୫୦ ଉପରେ । ନୂଆ ୭ ମାମଲା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଏବେ ଅନ୍ୟ ୪୩ ଜଣଙ୍କ ଚିକିତ୍ସା ଚାଲିଛି ।