କ୍ଷମତାର ଲଢ଼େଇରେ ବ୍ଲାକ୍ ମେଲିଂ ଅସ୍ତ୍ର
Advertisement

କ୍ଷମତାର ଲଢ଼େଇରେ ବ୍ଲାକ୍ ମେଲିଂ ଅସ୍ତ୍ର

ମହାରାଷ୍ଟ୍ର ମହାନାଟକରୁ ହଟୁନି ସସପେନ୍ସ

file photo

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଏଥର ସମସ୍ତେ ଆଶା କରୁଥିଲେ ଯେ ହରିୟାଣା ନିର୍ବାଚନ ହେବ ରୋମାଞ୍ଚଭରା । କିନ୍ତୁ ହରିୟାଣାରେ ତ ମେଣ୍ଟ ସରକାର ବନିଗଲା ଏବଂ ପାୱାର ବି ଭାଗ ବଣ୍ଟା ହୋଇଗଲା । କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ପ୍ରତିଦିନ ଯାହା ଘଟୁଛି, ବୋଧହୁଏ ପୂର୍ବରୁ ଏଭଳି କେବେ ହୋଇ ନଥିଲା । ପାୱାର ବା କ୍ଷମତାକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଯେମିତି ଜିଦ୍ ଲାଗି ରହିଛି, ଏଠାରେ ରାଜନୈତିକ ସ୍ଥିତି କେତେବେଳେ ଯେ କ'ଣ ହେବ ? ଆଜି

ଶିବସେନା ଓ ବିଜେପି ମଧ୍ୟରେ ବୈଠକ ବସିବାର ଥିଲା, ମାତ୍ର ଉଭୟଙ୍କ ଜିଦ୍ ଯୋଗୁ ବୈଠକ ରଦ୍ଦ ହୋଇଯାଇଥିଲା । ଅଢ଼େଇ ବର୍ଷିଆ ପାୱାର ଫର୍ମୁଲାକୁ ନେଇ ଶିବସେନା ଅଡ଼ି ବସିଥିବାବେଳେ ଏଥିରେ ରାଜି ହେଉନି ଗେରୁଆ ଦଳ । ଫଳରେ ସରକାର ଗଠନ ନେଇ ଏବେ ବି ମହାରାଷ୍ଟ୍ରରେ ସସପେନ୍ସ ଲାଗି ରହିଛି ।



ଆଦିତ୍ୟ ଠାକରେଙ୍କୁ ନେଇ ଶିବସେନା ଏବେ ଅଟଳ ରହିଛି । ଦଳର ଦାବି ହେଉଛି ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଦୀର୍ଘ ୫୦ ବର୍ଷ ଧରି ଗଠନ ହୋଇଥିବା ଶିବସେନାରେ ଠାକରେ ପରିବାରର କେହି ବି ନିର୍ବାଚନ ଲଢ଼ି ନଥିଲେ । କିନ୍ତୁ, ଆଦିତ୍ୟ ଏଥର ମୁମ୍ୱାଇର ୱର୍ଲି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ବହୁ ଭୋଟରେ ବିଜୟୀ ହୋଇଛନ୍ତି । ତେଣୁ ଦଳ ଏଥିରେ ବୁଝାମଣା କରିବାକୁ ଚାହୁଁନି । ଅନ୍ୟପଟେ ବିଜେପି ଆଦିତ୍ୟଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେଇ ନିଜ ଦଳରୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବାକୁ ସଫା ସଫା କହି ସାରିଛନ୍ତି ।



କଥାରେ ଅଛି, ଇତିହାସ ନିଜକୁ ଦୋହରାଇଥାଏ । ଏହା ଯଦି ସତ, ତେବେ ମହାରାଷ୍ଟ୍ରରେ ଏହା ପୁଣି ଥରେ ଦେଖିବାକୁ ମିଳିଛି । ୨୦୧୪ ନିର୍ବାଚନ ପରେ ବିଜେପି ଓ ଶିବସେନା ମଧ୍ୟରେ ହୋଇଥିବା ତିକ୍ତତା ୨୦୧୯ ନିର୍ବାଚନ ପରେ ଦେଖିବାକୁ ମିଳିଛି । ବିଜେପି ବିଧାୟକମାନେ ତ ଏଥର ସଂଖ୍ୟା ଗରିଷ୍ଠତା ହାସଲ ନେଇ ଡିଣ୍ଡିମ ପିଟୁଥିଲେ । କିନ୍ତୁ ରେଜଲ୍ଟ ବାହାରିଲା ବେଳକୁ ଓଲଟା ହେଲା । ନିଜ କଛା ସମ୍ଭାଳିବାକୁ ଅନ୍ୟ ଉପରେ ଭରସା କରିବାକୁ ପଡ଼ୁଛି, ଯାହା ଫଳରେ ଆଜି ମହାରାଷ୍ଟ୍ରରେ ଏଭଳି ପରିସ୍ଥିତି ଲାଗି ରହିଛି । ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏକ ମାଷ୍ଟର କାର୍ଡ ଖେଳିଛନ୍ତି । ବିଜେପି ଓ ଶିବସେନା କଳିଝଗଡ଼ା କରିବା ଅପେକ୍ଷା ଅଲଗା ଭାବେ ନିର୍ବାଚନ ଲଢ଼ିବାର ଥିଲା ବୋଲି ଶରଦ ପାୱାର କହିଛନ୍ତି । ସେହିପରି ସେ ବିଜେପି ସହ ନିଃସର୍ତ୍ତ ମେଣ୍ଟ କରିବା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଏହା ଯଦି ହୁଏ, ତେବେ ବିଜେପି ପାଇଁ ତାହା ଫାଇଦା ହେବ । ଦୁଇ ଦଳ ମିଶିଗଲେ ଉଭୟଙ୍କ ଆସନ ସଂଖ୍ୟା ୧୫୯ରେ ପହଞ୍ଚିବ । ଅନ୍ୟପଟେ ନିଃସର୍ତ୍ତ ମେଣ୍ଟ ପ୍ରସ୍ତାବ ଦେଇଥିବାରୁ ଶରଦ ପାୱାରଙ୍କ ଦଳ ଉପରେ ବିଜେପି ମଧ୍ୟ ଖପ୍ପା ହୋଇ ପାରିବ ନାହିଁ । କାରଣ ଏନସିପିର ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ଲାଳସା ନାହିଁ । ଯଦି ବିଜେପି ଚାହିଁଲା, ତେବେ ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିପାରିବ ।

ସେହିପରି ମହାରାଷ୍ଟ୍ର ରାଜନୀତିରେ ବିଜେପିକୁ ଚେକ୍ ଦେବାକୁ ହେଲେ ସବୁ ଦଳକୁ ଏକାଠି ହେବାକୁ ପଡ଼ିବ । ଯେହେତୁ ଏଠାରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିନି, ତେଣୁ ଏନସିପି-କଂଗ୍ରେସ ଓ ଶିବସେନା ମେଣ୍ଟ କରି ସରକାର ଗଠନ କରିବା ଉଚିତ୍ । କିନ୍ତୁ ଏହା ସମ୍ଭବ ନୁହେଁ । କାରଣ ଶିବସେନାର ଆଇଡିଓଲୋଜି ସମ୍ପୂର୍ଣ୍ଣ ଅଲଗା । ହିନ୍ଦୁବାଦ ଉପରେ ବିଶ୍ୱାସ କରୁଥିବା ଏହି ଦଳ ବିଜେପି ବିନା ରହିପାରିବ ନାହିଁ । ତେଣୁ, କଂଗ୍ରେସ ଓ ଏନସିପି ନିକଟକୁ ଯିବା ଅସମ୍ଭବ ।

ତେଣୁ, ମହାରାଷ୍ଟ୍ର ରାଜନୀତିରେ ଏବେ ସମ୍ପୂର୍ଣ୍ଣ ଭାବେ ବ୍ଲାକ୍ ମେଲିଂ ଚାଲିଛି । ଏହି ଅମୋଘ ଅସ୍ତ୍ରକୁ ନେଇ ଏବେ ସବୁ ଦଳ ଆଗକୁ ବଢ଼ୁଛନ୍ତି । କିନ୍ତୁ କ୍ଷମତାର ଏହି ଲଢ଼େଇରେ ବ୍ଲାକ୍ ମେଲିଂ ଧନୁରେ ଲାଳସାର ତୀରକୁ ଗୁଣ ଚଢ଼ାଇ କୌଣସି ଦଳ ଗଣତନ୍ତ୍ରର ପ୍ରକୃତ ଶାସକ ଜନତାଙ୍କ କୌଣସି କ୍ଷତି ନ ପହଞ୍ଚାନ୍ତୁ