ତେବେ ପୁରା ଘଟଣାକୁ ରଫାଦଫା କରିବାର ଷଡଯନ୍ତ୍ର ହେଉଥିବା ଗନ୍ଧ ଆସୁଛି ।
Trending Photos
)
ମୋହନା: ଗତ ୧୪ତାରିଖ ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ବିରିକୋଟ ଗାଁରେ ଅଡବା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲା । ଅବାଧରେ ଚାଲିଥିବା ମଦ କାରବାରକୁ ରୋକିବାକୁ ଯାଇଥିବା ବେଳେ ସ୍ଥାନୀୟ ମଦ ମାଫିଆ ପୋଲିସକୁ ଆତର୍କିତ ଆକ୍ରମଣ କରିଥିଲେ । ଏପରିକି ପୋଲିସ ଗାଡିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଗୁରୁବାର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏକ ଅପରେସନ କରାଯାଇଥିଲା । ଚଢ଼ାଉ ବେଳେ ଉକ୍ତ ଗାଁରୁ ୨୭ ଜଣଙ୍କୁ ଗିରଫ କରାଯାଇଛି ।
ପୋଲିସକୁ ମାଡ଼ ମାରିବା ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚୋରା ମଦ କାରବାର ଘଟଣାରେ ୧୪ ଜଣ ଗିରଫ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଗୁରୁବାର ଭୋର ୪ଟା ସମୟରେ ଉଭୟ ମୋହନା ପୋଲିସ ଟିମ, ଅଡବା ପୋଲିସ ଓ ଗଜପତି ଜିଲ୍ଲା ଅବକାରୀ ଟିମ ବିରିକୋଟ ଗାଁରେ ପହଞ୍ଚି ଥିଲେ । ପ୍ରାତଃ ସକାଳୁ ବିରିକୋଟ ନିକଟସ୍ଥ ଝରଣାରେ ଚୋରା ଦେଶୀ ମଦ ରନ୍ଧା ହେଉଥିବା ଜାଣି ରନ୍ଧା ସ୍ଥାନରେ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ୪୨୦ ଲିଟର ଦେଶି ରନ୍ଧା ମଦ ଜବତ କରିବା ସହ ୫ହଜାର ପୋଚକୁ ଜବତ କରାଯାଇଛି । ଏଥିରେ ସମୃକ୍ତ ୧୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉକ୍ତ ସମୟରେ ପୋଲିସ ପକ୍ଷରୁ ଉଭୟ ମୋହନା ଥାନାଧିକାରୀ ସୁଜିତ ନାୟକ ଏବଂ ଅଡବା ଥାନା ଭାରପ୍ରାପ୍ତ ଅଧିକାରୀ ଅଲୋକ ରଞ୍ଜନ ଜଗଦଳା ନିଜ ପୋଲିସ ଟିମ ଧରି ବିରିକୋଟ ଗାଁରେ ପହଞ୍ଚିଥିଲେ । ଅନେକ ସମୟ ପରେ ପୋଲିସକୁ ମାଡ଼ ମାରିବା ଏବଂ ଧମକ ଚମକ ଦେବା ଅଭିଯୋଗରେ ୨ ମହିଳା ସମେତ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ତେବେ ପୁରା ଘଟଣାକୁ ରଫାଦଫା କରିବାର ଷଡଯନ୍ତ୍ର ହେଉଥିବା ଗନ୍ଧ ଆସୁଛି । କାହିଁକିନା ବୁଧବାର ରାତିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜାଣିବା ବିରିକୋଟ ଗାଁରେ ପହଞ୍ଚି ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ନିଜ ଲୋକ ବୋଲି ପୂର୍ବରୁ ପୋଲିସକୁ ଧମକ ଦେଇଥିବା ବେଳେ ଅଭିଯୁକ୍ତ ବିଜୟ ନାୟକ ଓ ମିଥୁନ ନାୟକକୁ ବିଧାୟକ ନେଇ ଚାଲିଯାଇଥିବା କୁହାଯାଉଛି । ଏକଥା ଅଭିଯୁକ୍ତଙ୍କ ପିତା ଜେନା ନାୟକ ପୋଲିସ ଆଗରେ ପ୍ରକାଶ କରିଛନ୍ତି । ଫଳରେ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଫେରାର ଥିବା ବେଳେ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ଓ ବିଧାୟକ କାହିଁକି ସେହି ଗାଁକୁ ଯାଇଥିଲେ,ତାର ତଦନ୍ତ କରାଯିବ ବୋଲି ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି କହିଛନ୍ତି ।