Trending Photos
ନୂଆଦିଲ୍ଲୀ: ଲକଡାଉନ ସମୟରେ କୋରୋନା ଯୋଦ୍ଧାମାନଙ୍କୁ ବାରମ୍ବାର ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ବିଗତ ଦିନରେ ପଞ୍ଜାବ ହେଉ ଅବା ଉତ୍ତରପ୍ରଦେଶର ମୁରାଦାବାଦ ହେଉ କି ଇନ୍ଦୋର, ସବୁଠି ଏହି ସକ୍ରିୟ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୋଲିସ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଆଜି ଗୁଜୁରାଟର ସୁରତ ଅଞ୍ଚଳରେ ପୋଲିସ ଉପରକୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇଥିବା ସୂଚନା ରହିଛି।
ପୋଲିସ ସୂଚନା ମୁତାବକ ସୁରଟରେ ସକାଳ ପ୍ରାୟ ୭ଟା ସମୟରେ ଢିଣ୍ଡୋଲି ଥାନା ଅନ୍ତର୍ଗତ ଠାକୋର ନଗର ଅଞ୍ଚଳରେ ପୋଲିସ ଡ୍ୟୁଟି କରୁଥିଲା। ଢିଣ୍ଡୋଲି ଅଞ୍ଚଳରେ ପୋଲିସ ଅଧିକାରୀ ଏଚଏମ ଚୌହାନ କହିଥିଲେ କି, କିଛି ଲୋକ ବିନାକାରଣରେ ବଜାର ଅଞ୍ଚଳରେ ବୁଲିବାକୁ ଆସିଥିଲେ। ସେମାନଙ୍କୁ ପୋଲିସ ଅଟକାଇ ଲକଡାଉନ ନିୟମ ପାଳନ କରିବାକୁ ବୁଝାଇଥିଲା। ମାତ୍ର ସେମାନେ ବିରକ୍ତି ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଏପରିକି ଢେଲାମାଡ଼ ମଧ୍ୟ କରିଥିବା ସୂଚନା ମଧ୍ୟ ଦେଇଥିଲେ।
ଶ୍ରୀ ଚୌହାନ ଆହୁରି ମଧ୍ୟ କହିଥିଲେ କି, ସେହି ସମୟରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ କଣ୍ଟ୍ରୋଲରୁମକୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହି ସୂଚନା ପାଇବା ପରେ ଘଟଣାସ୍ଥଳରେ ଢିଣ୍ଡୋଲି ଥାନାର ପୋଲିସ କର୍ମଚାରୀମାନେ ପହଞ୍ଚି ଆହତମାନଙ୍କୁ ସାହାଯ୍ୟ କରିଥିଲେ। ତେବେ ପୋଲିସ ଆସିବା ପରେ ବିବାଦର ଘଣ୍ଟାଏ ମଧ୍ୟରେ ସମାଧାନ କରାଯାଇଥିଲା। ସେପଟେ କିନ୍ତୁ କନଷ୍ଟେବଳ ଆହତ ହୋଇଥିବା ବେଳେ ପୋଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି।
ମାମଲାରେ ସମ୍ପୃକ୍ତ ଥିବା କିଛି ଲୋକଙ୍କୁ ମଧ୍ୟ ଗିରଫ କରିଛି। ସ୍ଥାନୀୟ ପୋଲିସ ଧାରା ୩୦୦, ୧୪୩, ୧୫୨,୩୫୩,୪୨୭, ୧୮୮ ଓ ୨୬୯ ଅନୁଯାୟୀ ଗିରଫ କରିଥିବା ସୂଚନା ରହିଛି।