ଦେଶରେ ୩୫ ହଜାର ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ୧୧୪୭ରେ ପହଞ୍ଚିଛି ।
Trending Photos
ନୂଆଦିଲ୍ଲୀ: ଦେଶରେ ୩୫ ହଜାର ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା ୧୧୪୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମହାରାଷ୍ଟ୍ର ମାଲେଗାଁଓରେ ୪୦ ଜଣ ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏମାନେ ସମସ୍ତ କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ଥିଲେ ।
କୋରୋନା ଯୋଗୁଁ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୬୦ରେ ପହଞ୍ଚିଲାଣି । ତେବେ ମହାରାଷ୍ଟ୍ରର ମାଲେଗାଓଁରେ ୪୦ ପୋଲିସ କର୍ମଚାରୀଙ୍କ ଠାରେ କୋରୋନା ଭାଇରସ୍ ଠାବ ହୋଇଛି । ଯାହାକି ମହାରାଷ୍ଟ୍ର ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଏବେ ମହାରାଷ୍ଟ୍ର ମାଲେଗାଁଓରେ କେବଳ ୨୫୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।
ପୂର୍ବରୁ ପୋଲିସର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଆସିଛନ୍ତି ମହାରାଷ୍ଟ୍ର ସରକାର । କୋରୋନା ଯୋଗୁଁ ୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଉଦ୍ଧବ ସରକାର । ୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୋଲିସ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ତେବେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଛି ।
ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ଲକ୍ଷ ୮ହଜାର ୩୨୩ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୪ ହଜାର ୧୧୨ରେ ପହଞ୍ଚିଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।