ବର୍ତ୍ତମାନ ସ୍ଥିତିରେ ଦେଶ ପାଇଁ ଅର୍ଥନୈତିକ ପ୍ୟାକେଜର ରହିଛି ଆବଶ୍ୟକତା: ଅଭିଜିତ ବାନାର୍ଜୀ
Advertisement

ବର୍ତ୍ତମାନ ସ୍ଥିତିରେ ଦେଶ ପାଇଁ ଅର୍ଥନୈତିକ ପ୍ୟାକେଜର ରହିଛି ଆବଶ୍ୟକତା: ଅଭିଜିତ ବାନାର୍ଜୀ

ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଲୋଚନା କରିଛନ୍ତି । ଏହି ସମୟରେ ଉଭୟେ ଅର୍ଥ ବ୍ୟବସ୍ଥାର ଚ୍ୟାଲେଞ୍ଜ ଓ କୋରୋନା ସଙ୍କଟରୁ ବାହାରିବା ନେଇ ମନ୍ଥନ କରିଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ଲୋକଙ୍କ ହାତକୁ ନଗଦ ପହଞ୍ଚାଇବାକୁ ହେବ । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଏକ ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକତା ରହିଛି । ଆମେରିକା ଏବଂ ଜାପାନ ପରି ଦେଶ ଏହା କରିଛନ୍ତି । କିନ୍ତୁ ଆମେ କରିନାହୁଁ । ଛୋଟ ଶିଳ୍ପଗୁଡିକୁ ସାହାଯ୍ୟ କରିବା ଉଚିତ । ସେହିପରି ତ୍ରୈମାସିକର ଋଣ ଦେୟ ସମାପ୍ତ କରିଦେବା ଆବଶ୍ୟକ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ବେଳେ ଏଭଳି କିଛି ମତ ରଖିଛନ୍ତି ନୋବେଲ ବିଜେତା ଅଭିଜିତ ବାନାର୍ଜୀ । 

ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଲୋଚନା କରିଛନ୍ତି । ଏହି ସମୟରେ ଉଭୟେ ଅର୍ଥ ବ୍ୟବସ୍ଥାର ଚ୍ୟାଲେଞ୍ଜ ଓ କୋରୋନା ସଙ୍କଟରୁ ବାହାରିବା ନେଇ ମନ୍ଥନ କରିଥିଲେ । ଆଉ ବେଶ୍ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ ଅଭିଜିତ ବାନାର୍ଜୀ । ସେ କହିଛନ୍ତି ଯେ, ୟୁପିଏ ସରକାର ବହୁତ ଭଲ ନୀତି ଲାଗୁ କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଏହାର ଏକ ଉଦାହରଣ ଦେବାକୁ ଯାଇ ଆଧାର କଥା ଉଠାଇଥିଲେ ଅଭିଜିତ୍ ବାନାର୍ଜୀ । ଆଧାର ପରି ଯୋଜନା ଯାହା ୟୁପିଏ ସରକାର ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା । ଏବେକାର ସରକାର ମଧ୍ୟ ଏହାକୁ ଠିକ୍ କହିଥିଲେ । ଆଉ ଏହା ଉପରେ କାର୍ଯ୍ୟ କରିଥିଲେ । ଆଜିର ସମୟରେ ଏଭଳି ସୁବିଧା ଯଥାର୍ଥ ପ୍ରମାଣିତ ହୋଇପାରେ, କିନ୍ତୁ ତାହା ହୋଇପାରିବ ନାହିଁ । ଏହାର ଅର୍ଥ ହେଉଛି ଦେଶବ୍ୟାପୀ ଯୋଜନା କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି । 

ସେହିପରି ବ୍ୟାଙ୍କଗୁଡିକ ଚ୍ୟାଲେଞ୍ଜର ସାମ୍ନା କିପରି କରିବେ ସେନେଇ ମଧ୍ୟ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅଭିଜିତ ବାନାର୍ଜୀ । ଏହା ଉପରେ ଅଭିଜିତ୍ କହିଛନ୍ତି ଯେ, ''ଏପରି ପରିସ୍ଥିତିରେ ଦେଶରେ ଏକ ଅର୍ଥନୈତିକ ପ୍ୟାକେଜ୍ ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତରେ ଚାହିଦା ସମସ୍ୟା ରହିଛି । କାରଣ କାହାରି ପାଖରେ ଟଙ୍କା ନାହିଁ । କେହି କିଛି କିଣୁ ନାହାଁନ୍ତି । ଏପରି ପରିସ୍ଥିତିରେ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ କୌଣସି ବିଳମ୍ବ ବେକାର ହେବ । ଯେଉଁଠାରେ ଲକଡାଉନ୍ ଯୋଗୁ ବ୍ୟବସାୟ ସମ୍ପୂର୍ଣ୍ଣ ଅଟକି ରହିଛି,  ସେଠାରେ ଆର୍ଥିକ ସାହାଯ୍ୟର ଅଧିକ ଆବଶ୍ୟକତା ରହିଛି ।''

ଅଭିଜିତ୍ କହିଛନ୍ତି ଯେ ମହାମାରୀ ବିଷୟରେ ଆମକୁ ଜାଣିବା ଉଚିତ । ଲକଡାଉନ ବଢ଼ାଇଲେ କିଛି ହେବ ନାହିଁ । ସରକାରଙ୍କୁ ବର୍ତ୍ତମାନ ଅସ୍ଥାୟୀ ରାସନ କାର୍ଡ ଜାରି କରିବା ଉଚିତ । ଯାହା ଅତି କମରେ ୩ ମାସ କାମ କରିବା ଉଚିତ ଏବଂ ସମସ୍ତେ ମାଗଣାରେ ରାସନ ପାଇପାରିବେ । ସମସ୍ତଙ୍କୁ ଏହି ସମୟରେ ଚାଉଳ, ଡାଲି, ଗହମ ଏବଂ ଚିନି ଦରକାର । ସେ ଆହୁରି କହିଛନ୍ତି ଯେ ଯଦି ସମସ୍ତଙ୍କ ନିକଟକୁ ଟଙ୍କା ପହଞ୍ଚାଇବାର ଅଛି, ତା’ହେଲେ ତା ପାଇଁ ଏକ ପରିବେଶ ଦରକାର । ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି ସେ ଏହାକୁ ପାଇପାରିବେ । କିନ୍ତୁ ଯଦି କାହାର ବ୍ୟାଙ୍କ ଆକାଉଣ୍ଟ ନାହିଁ, ତେବେ ସେମାନଙ୍କ ବିଷୟରେ ଚିନ୍ତା କରିବାକୁ ପଡିବ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ସର୍ବାଧିକ ସହାୟତା ପ୍ରଦାନ କରିବାକୁ ପଡିବ । ଯାହାଫଳରେ ଏହି ଅର୍ଥ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଅଭିଜିତ୍ ବାନାର୍ଜୀ କହିଛନ୍ତି ।