ଲାଲଗଡର ରୋମିଓ ଜୁଲିଏଟ: କ୍ୟାମ୍ପ ଛାଡିଥିଲେ, ବାହାହେଲେ...

ପ୍ରେମ ପାଇଁ ଛିଣ୍ଡିଲା ଲାଲ କରିଡରର ଡୋର । ମିଳିଲା ନୂଆ ଠିକଣା । ଶେଷରେ ମାଓ ସଂଗଠନ ଛାଡ଼ି ବିବାହ ବନ୍ଧନରେ ବାନ୍ଧିହେଲେ ଜୁଲି ଓ ଛୋଟୁ । ଏହା କୌଣସି ଚଳଚିତ୍ରର କାହାଣୀ ନୁହେଁ । ବାସ୍ତବ ଜୀବନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । 

ଲାଲଗଡର ରୋମିଓ ଜୁଲିଏଟ: କ୍ୟାମ୍ପ ଛାଡିଥିଲେ, ବାହାହେଲେ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଜିନୁ ଜେନା, ନୂଆଦିଲ୍ଲୀ: ପ୍ରେମ ପାଇଁ ଛିଣ୍ଡିଲା ଲାଲ କରିଡରର ଡୋର । ମିଳିଲା ନୂଆ ଠିକଣା । ଶେଷରେ ମାଓ ସଂଗଠନ ଛାଡ଼ି ବିବାହ ବନ୍ଧନରେ ବାନ୍ଧିହେଲେ ଜୁଲି ଓ ଛୋଟୁ । ଏହା କୌଣସି ଚଳଚିତ୍ରର କାହାଣୀ ନୁହେଁ । ବାସ୍ତବ ଜୀବନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । 

ଅନୁଗୋଳ ଚମ୍ପେଶ୍ୱର ଶିବ ମନ୍ଦିରରେ ଚାଲିଛି ବାହାଘର । ମନ୍ଦିର ପରିସର ଖଚାଖଚ ଭିଡ । କୌଣସି ହାଇ ପ୍ରୋଭାଇଲ ପରିବାରର ବିବାହ ଉତ୍ସବ ପାଇଁ ଏ ଭିଡ ନଥିଲା । ଏ ଭିଡ ଏଇଥିପାଇଁ ଥିଲା, କାରଣ ବିବାହ କରୁଥିବା ବର ଓ କନ୍ୟା ଦିନେ ଥିଲେ ଲାଲ କ୍ୟାଡର । ହାତରେ ବନ୍ଧୁକ ତାଙ୍କ ପରିଚୟ ଥିଲା । ହେଲେ ପ୍ରେମ ହିଁ ଉଭୟଙ୍କ ଜୀବନର ଗତିପଥକୁ ବଦଲାଇ ଦେଲା । ପ୍ରେମିକା ମଥାରେ ସିନ୍ଦୁର ଦେବାକୁ ବନ୍ଧୁକ ଛାଡିଲା ଛୋଟୁ । ଆଉ ପ୍ରେମିକ ସହ ଜୀବନ ବିତାଇବାକୁ ବନ୍ଧୁକ ଫିଙ୍ଗିଲା ଜୁଲି । 

ପୂରା ଘଟଣା ଏପରି । ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତ ମଝିପଡ଼ା ଗ୍ରାମର ପ୍ରଫୁଲ୍ଲ ଦେହୁରୀ ଓ ଭାବିନୀ ଦେହୁରୀଙ୍କ ୬ ଝିଅ ମଧ୍ୟରୁ ତିନି ନମ୍ବର ଝିଅ ହେଉଛନ୍ତି ଜଲି ଦେହୁରୀ(୧୯) । ଗତ ୨୦୧୮ ଜାନୁଆରୀରେ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନର ମାଓନେତା କୁନୁ ଦେହୁରୀଙ୍କ ନେତୃତ୍ୱରେ ଟିକରପଡ଼ା ଅଞ୍ଚଳକୁ ଏକ ମାଓବାଦୀ ଦଳ ଆସିଥିଲେ । ଆଉ ଏହି ସମୟରେ କୁନୁ ଦେହୁରୀ ଓ ସଂଗଠନର ଅନ୍ୟ କେତେକ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ ଜୁଲି ହେଦୁରୀ । ସେମାନଙ୍କ ପ୍ରଲୋଭନରେ ପଡ଼ି ଘର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ ଜୁଲି । 

ତେବେ ମାଓ କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ମାଓବାଦୀ ଛୋଟୁ ଗଂଜୁ(୨୬) ସହିତ ଜୁଲିଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଛୋଟୁର ଘର ଝାଡ଼ଖଣ୍ଡ ରାଞ୍ଚି ଜିଲ୍ଲାର ସିରମ ଗ୍ରାମରେ ।  ତେବେ ଛୋଟୁ ଓ ଜୁଲିଙ୍କ ପ୍ରେମ ସମ୍ପର୍କକୁ ମାଓବାଦୀମାନେ ସ୍ୱୀକୃତି ଦେଇନଥିଲେ । ହେଲେ ଉଭୟଙ୍କ ମଧ୍ୟରେ  ପ୍ରେମ ସମ୍ପର୍କ ନିବିଡ଼ ହୋଇସାରିଥିଲା । ତେଣୁ ଦୁହେଁ ନିଜ ପ୍ରେମକୁ ସାକାର କରିବା ପାଇଁ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ ।

ଏକଦା ସେମାନେ ଲୁଚି ପଳାଇ ଆସି ଅନୁଗୁଳ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଜୁଲି ଗାଁରେ ରହୁଥିବା ବେଳେ ଛୋଟୁ ଅନୁଗୋଳରେ ରହୁଛନ୍ତି । ଛୋଟୁଙ୍କ ପିତାମାତା ଆରପାରିକୁ ଚାଲିଗଲେଣି । ତାଙ୍କର ସାନଭାଇ ବିବାହ କରି ଗାଁରେ ରହୁଛନ୍ତି । ସାନଭାଇ ସହିତ ବିବାହ ସମ୍ପର୍କରେ କଥାବାର୍ତ୍ତା କରିଥିଲେ । ଆଉ ଗୁରୁବାର ମଝିପଡ଼ା ଚମ୍ପେଶ୍ୱର ଶିବ ମନ୍ଦିରରେ ପାରମ୍ପରିକ ରୀତିରେ ନିଜ ସ୍ୱପ୍ନର ରାଜକୁମାରୀ ଜଲି ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । 

ଏହି ବିବାହ ଦେଖିବାକୁ ମନ୍ଦିର ନିକଟରେ ଶହ ଶହ ଲୋକଙ୍କର ଭିଡ଼ ମଧ୍ୟ ଲାଗିଥିଲା । ପୂର୍ବରୁ ଲାଲଗ଼ଡ଼ରେ ଜୀବନ କଟିଥିବା ଦୁଇ ପ୍ରେମୀ ଯୁଗଳଙ୍କ ବିବାହରେ ଗ୍ରାମବାସୀ ଭୋଜିଖାଇ ବେଶ ମସଗୁଲ୍ ହୋଇଥିଲେ । ସେପଟେ ଏଭଳି ଘଟଣାକୁ ନେଇ ବେଶ ଖୁସି ଓ ଆଶା ପ୍ରକଟ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ।

ଦିନ ଥିଲା ହାତରେ ବନ୍ଧୁକ ଧରି ରକ୍ତର ହୋଲି ଖେଳୁଥିଲେ ଛୋଟୁ ଓ ଜୁଲି । ହେଲେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ସୁନ୍ଦର ସଂସାର ଗଢିବା ପାଇଁ ଏମାନଙ୍କ ଆଖିରେ ଆଖିଏ ସ୍ୱପ୍ନ । ସମୟ ସ୍ରୋତରେ ସମାଜ ଆଖିରେ ନୂଆ ପରିଚୟ ସୃଷ୍ଟି କରିବାକୁ ଚାହାଁନ୍ତି ଏହି ନବଦମ୍ପତି । 

ଆଜି ଜୁଲି ହାତରେ ଲାଗିଛି ଲାଲ ରଙ୍ଗର ମେହେନ୍ଦି ଓ ଶଙ୍ଖା । ଆଉ ମଥାରେ ରକ୍ତର ଟିକା ବଦଳରେ ସିନ୍ଦୁର । ଆଜି ସେ ଟପ ମାଓ ନେତ୍ରୀ ନୁହେଁ, ବରଂ ଲାଲ ଟୁକୁଟୁକୁ ସାଧବ ବୋହୂ । 
ସମାଜ ପାଇଁ ଏମାନେ ଉଦାହରଣ । ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ମାଓ କ୍ୟାଡରଙ୍କ ପାଇଁ ଏମାନେ ପ୍ରେରଣା । 

ଆହୁରି ପଢନ୍ତୁ; କିଏ ସେହି ଆଇପିଏସ ଅଜୟ, ଯାହାଙ୍କୁ ନେଇ ପାୱାର କରିଡରରେ ଏତେ ଚର୍ଚ୍ଚା