କେବେ ଯାଇଛନ୍ତି କୁମ୍ଭୀଦରହ ? ଶୀତୁଆ ସକାଳେ ଜମୁଛି ପର୍ଯ୍ୟଟକଙ୍କ ଭିଡ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ...ପ୍ରଶାସନର ଦୃଷ୍ଟି ଏଠାରେ ପଡ଼ିନି...ପର୍ଯ୍ୟଟନସ୍ଥଳୀର ହୋଇନାହିଁ ବିକାଶ...
Trending Photos
)
ହିମାଂଶୁ ଶେଖର ସାହୁ, ବୌଦ୍ଧ: ଚାଲିଛି ଶୀତ ଋତୁ ଆଉ ଏଥିସହ ଜମୁଛି ପିକନିକର ମଜା । ପର୍ଯ୍ୟଟନସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି । ବୌଦ୍ଧ ଜିଲ୍ଲା ଆଡେଣିଗଡ ପଞ୍ଚାୟତ ମାଧପୁର ନିକଟରେ ରହିଛି ପର୍ଯ୍ୟଟନସ୍ଥଳୀ କୁମ୍ଭୀଦରହ । ସବୁଜ ରାଣିର ପାଦ ଦେଶରେ ଝରଣାର କୁଳୁକୁଳୁ ଶବ୍ଦ ସହିତ ଜଙ୍ଗଲର ପଶୁପକ୍ଷୀଙ୍କ ରାବରେ କମ୍ପିଉଠେ କୁମ୍ଭୀଦରହ । କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ଏଠାରେ ରହିଛି ପୌରାଣିକ କିମ୍ବଦନ୍ତୀ ।
ପୂର୍ବରୁ ଏଠାରେ ବହୁ ସଂଖ୍ୟାରେ କୁମ୍ଭୀର ରହୁଥିଲେ । କୁମ୍ଭୀର ଶିକାର ପାଇଁ ଅର୍ଜୁନ ତୀର ଭେଦ କରିଥିଲେ । ହେଲେ ତୀରଟି କୁମ୍ଭୀର ଦେହରେ ନିକ୍ଷେପ ନ ହୋଇ ଏହା ପାହାଡରେ ବାଜିଥିଲା । ଧନୁର୍ବୀର ଅର୍ଜୁନଙ୍କ ତୀରମାଡ଼ରେ ସୁଉଚ୍ଚ ପାହାଡ଼ଟି ଫାଟିଯାଇଥିଲା । ଆଉ ପାହଡ଼ ଫାଟି ସେଠାରୁ ଝରଣା ବୋହିଥିଲା । ଅର୍ଜୁନଙ୍କ ତୀରମାଡ଼ର ଚିହ୍ନ ମଧ୍ୟ ଏଠାରେ ରହିଛି । ଏଥିସହିତ ଅନେକ ଲୋକକଥା ମଧ୍ୟ ଏଠାରେ ରହିଛି ।
କୁମ୍ଭୀଦରହର ଗୋଟିଏ ପାର୍ଶ୍ୱ ଫୁଲବାଣୀ ଜିଲ୍ଲାକୁ ସଂଯୋଗ କରୁଥିବାବେଳେ ଅନ୍ୟ ତିନି ପାର୍ଶ୍ୱରେ ଭରପୁର ଜଙ୍ଗଲ ରହିଛି । ବୌଦ୍ଧ-ଭୁବନେଶ୍ୱର ଜାତୀୟ ରାଜପଥର ଆଡେଣୀଗଡ ପଞ୍ଚାୟତ ମାଧପୁର ଛକରୁ ଫୁଲବାଣୀ ରାସ୍ତାରେ ୩ କିଲୋମିଟର ଗଲେ ପଡେ ଏହି ପର୍ଯ୍ୟଟନସ୍ଥଳୀ । ରାଜଧାନୀ ଭୁବନେଶ୍ୱରରୁ ଏହାର ଦୂରତା ୧୭୨ କି।ମି ରହିଛି । ବୌଦ୍ଧରୁ ୫୫ କି।ମି। ଏବଂ ଫୁଲବାଣୀରୁ ୪୫ କିମି ଦୂରତା ରହିଛି ।
ଚାରିଆଡ଼େ ଜଙ୍ଗଲ ଥିବାରୁ ସବୁଜର ଅପରୂପ ସୌନ୍ଦର୍ଯ୍ୟରେ ଝଟକି ଉଠେ କୁମ୍ଭୀଦରହ ପର୍ଯ୍ୟଟନସ୍ଥଳୀ । ବର୍ଷତମାମ ଏଠାରେ କୁଳୁକୁଳୁ ହୋଇ ଝରଣା ବହେ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜ ଭିତରେ ସାଉଁଟି ରଖିଥିବା ଏହି ସ୍ଥାନରେ ଏବେ ପର୍ଯ୍ୟଟକ ତଥା ବଣଭୋଜି ପାଇଁ ଲୋକଙ୍କ
ଭିଡ଼ ଜମୁଛି । ବର୍ଷସାରା ଏଠାକୁ ବଣଭୋଜି ପାଇଁ ଲୋକଙ୍କ ସୁଅ ଛୁଟୁଥିବା ବେଳେ ବିଶେଷ କରି ନଭେମ୍ବରରୁ ଫେବୃଆରୀ ଯାଏଁ ଜିଲ୍ଲା ତଥା ଜିଲ୍ଲାବାହାରୁ ପର୍ଯ୍ୟଟକ ଏଠାରେ ଭିଡ଼ ମନାନ୍ତି ।
କୁମ୍ଭୀଦରହ ଯଦିଓ ସେତିକି ବଡ ଜଳପ୍ରପାଦ ନୁହେଁ କିନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଏଠାରେ ଥିବା ଝରଣାରେ ଗାଧୋଇବା ସହିତ ମାଛ ଧରିବାର ମଜା ନେଇଥାନ୍ତି ପର୍ଯ୍ୟଟକ । ମାତ୍ର ଏହି ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଦିଗରେ ସରକାର ଏତେ ଯତ୍ନବାନ ନଥିବା ପରେ ମନେ ହୁଏ । ଏଠାରେ ରାତ୍ରୀଯାପନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ମାଧପୁର ଛକରେ ପୁର୍ତ୍ତ ବିଭାଗର ଡାକବଙ୍ଗଳା ଏବଂ ଆଡେଣୀଗଡରେ ଜାତୀୟ ରାଜପଥ ବିଭାଗର ଡାକବଙ୍ଗଳା ରହିଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଡାକବଙ୍ଗଳାରେ ରାତ୍ରୀଯାପନ କରନ୍ତି । ଏଠାରେ ବଣଭୋଜି ପାଇଁ ପିଣ୍ଡି , ଗାଡି ପାର୍କିଂ କିମ୍ବା ଶୌଚାଳୟ ମଧ୍ୟ ନାହିଁ । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସୌନ୍ଦର୍ଯ୍ୟଭରା ସ୍ଥାନଟି ବୌଦ୍ଧ ବନବିଭାଗ ଅଧିନରେ ରହିଛି । ହେଲେ ପ୍ରଶାସନର ଅବହେଳା କାରଣରୁ ଏହି ସ୍ଥାନର ବିକାଶ ହୋଇପାରୁନାହିଁ । ପର୍ଯ୍ୟଟନସ୍ଥଳୀ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିକାଶ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।
ଆହୁରି ପଢନ୍ତୁ; ଯିବାକୁ ପଡିବନି ପାର୍ଲର, ଚାଉଳ ଦେବ ଚମକ