ଏଥର ୨୪ ସପ୍ତାହ ପର୍ଯ୍ୟନ୍ତ କରିହେବ ଗର୍ଭପାତ
Advertisement

ଏଥର ୨୪ ସପ୍ତାହ ପର୍ଯ୍ୟନ୍ତ କରିହେବ ଗର୍ଭପାତ

ମୋଦି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପ୍ରତୀକାତ୍ମକ ଫଟୋ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ ମହିଳା । ପୂର୍ବର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବା ନେଇ ନିୟମ ରହିଥିଲା । ହେଲେ ମୋଦି ସରକାର ଏହାକୁ ଆଉ ୪ ସପ୍ତାହ ବୃର୍ଦ୍ଧି କରିଛନ୍ତି । ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ଆଜି ମୋହର ଲଗାଇଛି । ଅର୍ଥାତ ୨୪ ସପ୍ତାହ ପର୍ଯ୍ୟନ୍ତ ଜଣେ ମହିଳା ଚାହିଁଲେ ଗର୍ଭପାତ କରିପାରିବେ । ସଂସଦର ଆଗାମୀ ଅଧିବେଶନରେ ଏହି ବିଲକୁ ଉପସ୍ଥାପନ କରାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଗର୍ଭପାତ ଅଧିନିୟମ ୧୯୭୧ ଅନୁସାରେ ସଂଶୋଧନ କରାଯିବ । ଏହା ଉପରେ ସଂସଦର ଆଗାମୀ ଅଧିବେଶନରେ ବିଧେୟକ ଅଣାଯିବ । ନୂଆ ନିୟମ ଅନୁସାରେ, ଗର୍ଭପାତ ଅବଧିକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃର୍ଦ୍ଧି କରାଯାଇଛି । ତେବେ ଏହି ସମୟସୀମା କେବଳ ବିଶେଷ କ୍ଷେତ୍ରରେ ଲାଗୁହେବ । ରୋଗଗ୍ରସ୍ତ ମହିଳା, ଦୁଷ୍କର୍ମ ପୀଡ଼ିତା ଏବଂ ଅବାଞ୍ଚିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ନିୟମରେ ସଂଶୋଧନ ଆଣିଛନ୍ତି ମୋଦି ସରକାର । 

୨୦ ସପ୍ତାହରେ ଗର୍ଭପାତ କରିବା ଦ୍ୱାରା ମା ଜୀବନ ପ୍ରତି ବିପଦ ଆସୁଥିବା ଦୃଷ୍ଟିରେ ରଖି ୨୪ ସପ୍ତାହ ଯାଏଁ ଏହି ସମୟ ଦିଆଯାଇଛି । ଏହା ଫଳରେ ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଓ ଭିନ୍ନକ୍ଷମଙ୍କୁ ଅବାଞ୍ଚିତ ଗର୍ଭଧାରଣରୁ ମୁକ୍ତିଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର । 

ଆହୁରି ପଢ଼ନ୍ତୁ; ଜଙ୍ଗଲରେ ରଜନୀକାନ୍ତଙ୍କ ସହ ଘଟିଲା ଅଘଟଣ