Zee ପାଇଁ କ'ଣ ଜେଏନୟୁ ମନା ?

ଖବର ସଂଗ୍ରହ ପାଇଁ ଜେଏନୟୁକୁ zee media ଯିବ ନା ନାହିଁ, ସେ ନିଷ୍ପତ୍ତି କଣ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ନେବେ ? ଗଣମାଧ୍ୟମର କଣ୍ଠରୋଧ କରିବାକୁ ଏମାନଙ୍କ ବଳ ଯୋଗାଇଲା କିଏ ? 

Zee ପାଇଁ କ'ଣ ଜେଏନୟୁ ମନା ?
ଫଟୋ ସୌଜନ୍ୟ: ଜୀ ମିଡିଆ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଏମାନେ ସେହି ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ! ନିଜର ସ୍ୱାଧୀନତା କଥା କୁହନ୍ତି, ହେଲେ ସ୍ୱାଧୀନ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରନ୍ତି । ଭାରତର ସର୍ବବୃହତ ବିଶ୍ୱବିଦ୍ୟାଳୟ ଜେଏନୟୁରେ ପାଠ ପଢନ୍ତି । ହେଲେ ବିଶ୍ୱବିଦ୍ୟାଳୟକୁ  ନିଜ କବଜାରେ ରଖିବାକୁ ଉଦ୍ୟମ କରନ୍ତି । ଏମାନଙ୍କ ପାଇଁ ବଦନାମ ହୁଏ JNU। ଜୀ ପାଇଁ କ'ଣ ଜେଏନୟୁ ମନା ? ଗଣମାଧ୍ୟମକୁ Go back କହିବାକୁ ଏମାନଙ୍କୁ ଅଧିକାର ଦେଲା କିଏ ? 

ଆଜ୍ଞା ହିଁ । କିଛି ଦିନ ହେଲା JNUରେ ଯାହା ଚାଲିଛି, ତାକୁ ନେଇ ଆପଣଙ୍କ ଭିତରେ ବି ପ୍ରଶ୍ନ ଉଢିବ । କିଛି ହାତଗଣତି ଛାତ୍ରଛାତ୍ରୀ ପୁଣିଥରେ JNUକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ଏକ ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏମାନଙ୍କର ବି ବିକ୍ଷୋଭ କରିବାର ଅଧିକାର ରହିଛି । ହକ୍ ପାଇଁ ଲଢେଇ କରିବାକୁ କିଏ ମନା କଲା । ହେଲେ ଏମାନଙ୍କ ମନ ମୁତାବକ କ'ଣ ଜୀ ନ୍ୟୁଜ ଖବର ପରିବେଷଣ କରିବ ? ଜୀ ନ୍ୟୁଜର ଏଡିଟର ଇନ୍ ଚିଫ ସୁଧୀର ଚୌଧୁରୀ କ'ଣ ଏମାନଙ୍କ କଥା ମୁତାବକ ଖବର ବଜାଇବେ ? 

ଗତ ୨ଦିନ ହେଲା ଜେଏନୟୁରେ କିଛି ନାରା ଦିଆଯାଉଛି । ଜୀ ନ୍ୟୁଜ ଗୋ ବ୍ୟାକ।।।ସୁଧୀର ଚୌଧୁରୀ ହାଏ ହାଏ।।।ଇମିତି କିଛି । ଜୀ ନ୍ୟୁଜ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଗଲା । ଖବର ସଂଗ୍ରହ ପାଇଁ ବିଶ୍ୱବିଦ୍ୟାଳୟକୁ ଯାଇଥିବା ୨ ମହିଳା ସମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରାଗଲା । ଜେଏନୟୁ ଛାଡି ଚାଲିଯିବାକୁ କୁହାଗଲା । କାହିଁକି ନା କିଛି ଟୁକୁଡେ ଟୁକୁଡେ ଗ୍ୟାଙ୍ଗକୁ ଜୀ ନ୍ୟୁଜର ଖବର ପରିବେଶଣ ମନକୁ ପାଇଲାନି । ଏମାନେ ନିଜ ଖବରକୁ ଯେମିତି ପରିବେଶଣ କରିବାକୁ ଚାହୁଁଥିଲେ, ଜୀ ନ୍ୟୁଜ ସେମିତି ବଜେଇଲା ନାହିଁ । 

ଗଲା କିଛିଦିନ ହେଲା ଫି ବୃଦ୍ଧିକୁ ନେଇ ଆନ୍ଦୋଳନ କରୁଥିଲେ ଜେଏନୟୁର କିଛି ହାତଗଣତି ଛାତ୍ରଛାତ୍ରୀ । ପ୍ରକୃତରେ କଣ ଥିଲା ଏହି ଟୁକୁଡେ ଟୁକୁଡେ ଗ୍ୟାଙ୍ଗଙ୍କ ଅସଲ ଉଦ୍ଦେଶ୍ୟ ? ସତରେ ଜେଏନୟୁର ୮ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏମାନଙ୍କ ଲଢେଇ ଥିଲା ନା ରାଜନୈତିକ ଫାଇଦା ହାସଲ ପାଇଁ ଏମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାହତ ସୃଷ୍ଟି କରୁଛନ୍ତି ? ସାରା ଦେଶରେ ଚହଳ ପକାଇଥିବା ଜୀ ନ୍ୟୁଜର DNA ପୋଗ୍ରାମ ଏହାର ପୋଲ ଖୋଲିଥିଲା । ଗୋଟି ଗୋଟି ହୋଇ ଆନ୍ଦୋଳନର ବାସ୍ତବ ଚିତ୍ର ବଖାଣିଥିଲେ ଜୀ ନ୍ୟୁଜର ଏଡିଟର ଇନ୍ ଚିଫ ସୁଧୀର ଚୌଧୁରୀ । ଯାହା ଟୁକୁଡେ ଟୁକୁଡେ ଗ୍ୟାଙ୍ଗର ଦେହସୁହା ହେଲାନାହିଁ । ପରଦିନ ହିଁ କ୍ୟାମ୍ପସରେ ଆରମ୍ଭ କରିଦେଲେ Zee news go back ନାରା । 

ଅବଶ୍ୟ ଜେଏନୟୁକୁ ବଦନାମ କରିବା ପାଇଁ ଟୁକୁଡେ ଟୁକୁଡେ ଗ୍ୟାଙ୍ଗର ପ୍ରୟାସ ଆଜି ନୁହେଁ । ଭାରତରେ ରହି ଏମାନେ ଆଜାଦି ମାଗନ୍ତି । ଦେଶ ବିରୋଧରେ ନାରାବାଜି କରନ୍ତି ।ପାକିସ୍ତାନ ଜିନ୍ଦାବାଦ ନାରା ଦିଅନ୍ତି । ଏପରିକି ଆତଙ୍କବାଦୀ ଅବଜଲ ଗୁରୁର ଶ୍ରାଦ୍ଧଦିବସ ପାଳନ କରିବାକୁ ବି ପଛାଇ ନଥାନ୍ତି । ସୁଧୀର ଚୌଧୁରୀ ନିଜ ପୋଗ୍ରାମରେ ସ୍ପଷ୍ଟ କରିଥିଲେ, ଏହି ଗ୍ୟାଙ୍ଗ ସହ ୯୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ କୌଣସି ଲେନଦେନ ନାହିଁ ।  ମାତ୍ର ୨ ପ୍ରତିଶତ ଛାତ୍ରଛାତ୍ରୀ ହିଁ ଭିଆନ୍ତି ଏପରି କାଣ୍ଡ । 

ତେବେ ଗଣମଧ୍ୟମ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛି ବିଜେଡି । ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ''ଛାତ୍ରଛାତ୍ରୀ ଆନ୍ଦୋଳନ କରିବାର ବହୁ ପୁରୁଣା ପ୍ରଥା ରହିଛି । ହେଲେ ପ୍ରକୃତ ଫୋରମରେ ଆନ୍ଦୋଳନ ହେବା ଦରକାର । ଗଣମାଧ୍ୟମ ସ୍ୱରକୁ ଚାପିବା ଉଦ୍ୟମ ନିନ୍ଦନୀୟ । '' ଖୋଦ୍ ଜେଏନୟୁର ABVP ଶାଖା ମଧ୍ୟ ଘଟଣାକୁ ଦୃଢ ନିନ୍ଦା କରିଛି । 

ଏଠାରେ ପ୍ରଶ୍ନ, ସତରେ କଣ ଏମାନଙ୍କ ଲଢେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ? କାହା ପ୍ରରୋଚନାରେ ଏମାନେ ଚାଲନ୍ତି ? ଗଣମାଧ୍ୟମ କଣ ଏମାନଙ୍କ ପୈତୃକ ସମ୍ପତ୍ତି ? ଗଣମାଧ୍ୟମର ସ୍ୱରକୁ ଚାପିବାକୁ ଉଦ୍ୟମ କରିବାକୁ ଅଧିକାର ଦେଲା କିଏ ? ଟୁକୁଡେ ଟୁକୁଡେ ଗ୍ୟାଙ୍ଗ କଥାରେ କଣ ଜୀ ନ୍ୟୁଜ ଚାଲିବ ? କେବେବି ସାମ୍ୱାଦିକଙ୍କ ବାକ୍ ସ୍ୱାଧୀନତା ବନ୍ଦ ହେବନି । ଆମ ଲଢେଇ ଜାରି ରହିବ ।