ବନ୍ଦ ଘରୁ ବାହାରୁଥିଲା ଦୁର୍ଗନ୍ଧ, ତାଲା ଭାଙ୍ଗିଲା ପରେ ବାହାରିଲା...
Advertisement

ବନ୍ଦ ଘରୁ ବାହାରୁଥିଲା ଦୁର୍ଗନ୍ଧ, ତାଲା ଭାଙ୍ଗିଲା ପରେ ବାହାରିଲା...

ଘରୁ ଯାହା ବାହାରିଲା, ତାହା ଦେଖି ସମସ୍ତେ ହୋଇଗଲେ ତାଜୁବ୍

ବନ୍ଦ ଘରୁ ବାହାରୁଥିଲା ଦୁର୍ଗନ୍ଧ, ତାଲା ଭାଙ୍ଗିଲା ପରେ ବାହାରିଲା...
ଅଜୟ କୁମାର ନାଥ, ସମ୍ବଲପୁର: ଦୁର୍ଗନ୍ଧ ବାହାରୁଛି ବନ୍ଦ ଘରୁ । ଦୁର୍ଗନ୍ଧରେ ପଡ଼ାବାସୀଙ୍କ ନାକ ଫାଟି ପଡୁଛି ।  ଦୁର୍ଗନ୍ଧରେ ପଡ଼ୋଶୀ ଅତିଷ୍ଠ । ବାଧ୍ୟ ହୋଇ ଖବର ଦିଆଗଲା ପୋଲିସକୁ । ରାତିରେ ସମ୍ବଲପୁର ଟାଉନ ଥାନା ପୋଲିସ ଆସି ସ୍ଥାନ ପରିଦର୍ଶନ କଲା । ପଚରା ଉଚରା ବି କଲା । ଘର ଚାରି ଦିନ ହେବ ବନ୍ଦ ପଡ଼ିଥିବା ବେଳେ ବାହାରେ ଝୁଲୁଥିଲା ତାଲା । ତେଣୁ ଫେରି ଯାଇଥିଲା ପୋଲିସ । ତହିଁ ପରଦିନ ସକାଳୁ ଘଟଣାସ୍ଥଳରେ ପହଞ୍ଚିଥିଲେ ମାଜିଷ୍ଟ୍ରେଟ, ଅତିରିକ୍ତ ଏସପି,ଫରେନସିକ ଟିମ୍ ଏବଂ ସନ୍ଧାନୀ କୁକୁର ସହ ସ୍ଥାନୀୟ ପୋଲିସ । ତାଲା ଭଙ୍ଗାହେଲା । ଆଉ ଘରୁ ଯାହା ବାହାରିଲା, ତାହା ଦେଖି ସମସ୍ତେ ହୋଇଗଲେ ତାଜୁବ୍ ।
 
୧୫ ନଭେମ୍ବର ୨୦୧୯ ଦିନ ପ୍ରାୟ ୧୦ଟା ବେଳେ ସମ୍ବଲପୁର ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ବନ୍ଦ କୋଠରୀର ତାଲା ଭଙ୍ଗା ଯାଇଥିଲା । ତାଲା ଭାଙ୍ଗିବା ପରେ କୋଠରୀ ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ କୋଣ ଠେସା ଅବସ୍ଥାରେ ଉଦ୍ଧାର କଲା ପୋଲିସ । ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଘର ମାଲିକ ମଧ୍ୟ କିଛି ତଥ୍ୟ ଦେଇପାରି ନାହାନ୍ତି । ତେବେ ମହିଳାଙ୍କ ସହ ରହୁଥିବା ତାଙ୍କ ସ୍ୱାମୀ ଓ ୪ ବର୍ଷର ଶିଶୁ ନିଖୋଜ ଥିବା ଜଣାପଡ଼ିଛି । ମୃତଦେହରେ କ୍ଷତଚିହ୍ନ ଥିବାରୁ ଏହାକୁ ଏକ ହତ୍ୟାକାଣ୍ଡ ଭାବରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହ ହତ୍ୟାକାଣ୍ଡରେ ମହିଳାଙ୍କ ସ୍ୱାମୀଙ୍କ ହାତ ଅଛି କି ନାହିଁ, ସେ ନେଇ ତଦନ୍ତ କରୁଛି ପୋଲିସ ।
 
ଏହି ଭଡ଼ାଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଏପରି ଉତ୍କଟ ଗନ୍ଧ ବାହାରିବା ଯୋଗୁ ଲୋକଙ୍କ ମନ ଭିତରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା ସ୍ଥାନୀୟ ଲୋକେ ଦେଖି ନ ଥିବାରୁ ଲୋକଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଘର ଭିତରେ ଶବ ପଚିସଢ଼ି ଦୁର୍ଗନ୍ଧ ବାହାରୁଥିବା ପୋଲିସ ସନ୍ଦେହ କରଥିଲା । ତେବେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଏହି ଖବର ପାଇଥିଲେ ମଧ୍ୟ ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ତାଲା ଖୋଲିଥିଲା । ସମ୍ପୃକ୍ତ ଘର ମାଲିକ ଏଠାରେ ରହୁ ନ ଥିବାରୁ ମାଲିକକୁ ଡକାଇ ପଚରା ଉଚରା କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଘରେ ଏକ ଶ୍ରମିକ  ଦମ୍ପତି ତାଙ୍କର ୪ ବର୍ଷର ଶିଶୁ ସହ ରହୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହି ଦିନଠାରୁ ଏହି ଘରେ ତାଲା ପଡିଥିବା ପଡ଼ୋଶୀମାନେ କହିଥିଲେ ।
 
ମାମଲାଟି ସମ୍ପୂର୍ଣ୍ଣ ଭାବରେ ରହସ୍ୟ ଘେରରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ର ଅସ୍ପଷ୍ଟ । ମୃତ ମହିଳା କିମ୍ବା ତାଙ୍କ ସ୍ୱାମୀଙ୍କ ପରିଚୟ ମିଳି ପାରିନାହିଁ । ଶିଶୁପୁତ୍ର ବର୍ତ୍ତମାନ କେଉଁଠି ? ମହିଳାଙ୍କୁ ହତ୍ୟା କରାଯାଇଛି ନା ଆଉ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ବି ଅସ୍ପଷ୍ଟ ।