ଅବସର ନେଇ ଧୋନି ଏମିତି କିଛି କହିଲେ...

ଅନ୍ତର୍ଜାତୀୟ କ୍ରିକେଟ୍ ସର୍କିଟରେ ଏବେ ଧୋନିଙ୍କୁ ଦେଖିବାକୁ ମିଳୁନାହିଁ । ଏମିତିକି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଓ ଆଗାମୀ କିଛି ସିରିଜରେ ଧୋନି ଖେଳିବେନି ବୋଲି ଜଣାପଡୁଛି । ଯାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀ ଏବେ ବି ଧୋନିଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ୍ । ଧୋନିଙ୍କୁ ପଚରାଯିବାରୁ ସେ କହୁଛନ୍ତି, ଜାନୁଆରୀ ଶେଷ ଯାଏଁ କିଛି ପଚାରନି ।

ଅବସର ନେଇ ଧୋନି ଏମିତି କିଛି କହିଲେ...
ସୌଜନ୍ୟ: ସୋସିଆଲ ମିଡିଆ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବିଶ୍ୱ କ୍ରିକେଟରେ ଚର୍ଚ୍ଚା । ଚର୍ଚ୍ଚା ଏଇଥି ପାଇଁ କି, ଧୋନି ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନା ନାହିଁ । ଯଦି ଫେରିବେ କେବେ ଫେରିବେ ?। ନଚେତ୍ ଯଦି ସେ ଅବସର କଥା ଭାବୁଛନ୍ତି, ତେବେ କେବେ ସେ ଏହାର ଘୋଷଣା କରିବେ ? ବୁଧବାର ଏକ ଇଭେଣ୍ଟରେ ଧୋନିଙ୍କୁ ତାଙ୍କର ଆଗାମୀ ପ୍ଲାନ୍ କଥା ପଚାରାଯିବାରୁ, ଧୋନିଙ୍କ ଠାରୁ ଏମିତି ଏକ ଉତ୍ତର ମିଳିଥିଲା, ଯାହା ଏହି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇଦେଇଛି।

ସେ କେବେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ, ଜାନୁଆରୀ ଶେଷ ପର୍ଯ୍ୟନ୍ତ ମତେ କିଛି ପଚାରନି । ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ହେଉଛି, ଧୋନି ଜାନୁଆରୀ ପରେ କିଛି ଗୋଟେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ତେବେ ସେ ନିଷ୍ପତ୍ତି କ'ଣ ହେବ ? ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନା ଅବସର ଗ୍ରହଣ କରିବେ ? ତାକୁ ନେଇ ଏବେ ବି ସସପେନ୍ସ ରହିଛି । ନିକଟରେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ, ଧୋନି ଯଦି ଆସନ୍ତାବର୍ଷ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବିଚାର କରାଯାଇପାରେ । ଏହାକୁ ନେଇ ମଧ୍ୟ କ୍ରିକେଟ୍ ଏରେନାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଧୋନିଙ୍କ ଭଳି ଖେଳାଳିଙ୍କ ସିଲେକ୍ସନ ପାଇଁ କ'ଣ ଆଇପିଏଲରେ ପ୍ରଦର୍ଶନ ଏକ କ୍ରାଇଟେରିଆ ହୋଇପାରେ ବୋଲି କିଛି କ୍ରିକେଟ୍ ପଣ୍ଡିତ ପ୍ରଶ୍ନ କରିଥିଲେ । ଆଉ କିଛି ରବି ଶାସ୍ତ୍ରୀଙ୍କ ଏହି ବୟାନଙ୍କୁ ସକାରାତ୍ମକ ଭାବରେ ନେଇ ଧୋନି ୱାର୍ଲ୍ଡ ଟି-୨୦ ଖେଳୁଥିବାର କହିଛନ୍ତି ।

ଏହା ଭିତରେ ଧୋନି ନା ଅନ୍ତର୍ଜାତୀୟ କ୍ରିକେଟ୍ ସର୍କିଟରେ ନଜର ଆସୁଛନ୍ତି ନା ହିଁ ଘରୋଇ ମ୍ୟାଚ୍ ଖେଳୁଛନ୍ତି । ତେଣୁ ଏକଥା କହିବା ବି ଠିକ୍ ହେବନି କି ଧୋନିଙ୍କ ଫୋକସ୍ ଏବେ କ୍ରିକେଟରେ ଅଛି । ସେପଟେ କିଛି ଖବର ଏମିତି ବି ଆସୁଛି, କି ଧୋନି ଝାଡ଼ଖଣ୍ଡରେ ରାଜ୍ୟର ୨୩ ବର୍ଷରୁ କମ୍ ଦଳ ସହ ଅଭ୍ୟାସ ଜାରି ରଖିଛନ୍ତି । କିଛି ଦିନ ତଳେ ଏକଥା ମଧ୍ୟ ଶୁଣିବାକୁ ମିଳୁଥିଲା କି ଧୋନି ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସଙ୍କୁ ଏକଥା କହିଛନ୍ତି କି, ସେ କେବଳ ୨୦୨୦ ନୁହେଁ ୨୦୨୧ରେ ମଧ୍ୟ ଚେନ୍ନାଇ ତରଫରୁ ଆଇପିଏଲ୍ ଖେଳିବାକୁ ଇଚ୍ଛୁକ ଅଛନ୍ତି । ଏକଥାରୁ ସ୍ପଷ୍ଟ ହେଉଛି କି ଧୋନି ଆଗାମୀ କିଛି ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ଚାହାନ୍ତି । କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନା ନାହିଁ, ତା'ର କିନ୍ତୁ କିଛି ସ୍ପଷ୍ଟ ଚିତ୍ର ମିଳୁନି । ସେପଟେ ବିସିସିଆଇ ଅଧ୍ୟକ୍ଷ ହେଲା ପରେ ସୌରଭ ଗାଙ୍ଗୁଲି ସଫା ସଫା କହିଥିଲେ କି, ସିନିୟର୍ ଖେଳାଳିମାନଙ୍କୁ ସେମାନଙ୍କ ଚୟନ ଓ ଅବସରକୁ ନେଇ ସମ୍ମାନ ଦିଆଯିବ । କିମ୍ବଦନ୍ତୀ ଖେଳାଳି ଏତେ ଶୀଘ୍ର ଅବସର ନିଷ୍ପତ୍ତି ନିଅନ୍ତିନି, ଏଣୁ ଧୋନିଙ୍କୁ ସମୟ ଦେବା ସପକ୍ଷରେ ମତ ରଖିଥିଲେ ଗାଙ୍ଗୁଲି ।
ତେବେ ଏସବୁ ମଧ୍ୟରେ ଗୋଟିଏ କଥା ତ ସ୍ପଷ୍ଟ କି, ଧୋନି ଯାହା ବି କିଛି ନିଷ୍ପତ୍ତି ନିଅନ୍ତୁ, ତାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିବେ । କିନ୍ତୁ କ୍ରିକେଟ ପ୍ରେମୀଙ୍କ ଇଚ୍ଛା ଧୋନି ପୁଣି ମଇଦାନକୁ ଫେରନ୍ତୁ ଓ ତାଙ୍କ ବ୍ୟାଟ୍ ଓ ୱିକେଟ୍ କିପିଂର ଯାଦୁ ପୁଣି ଥରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ବିଜୟୀ କରାଉ । କିନ୍ତୁ ଏବେ ଅପେକ୍ଷା ଧୋନିଙ୍କ ସେ ମିଲିୟନ୍ ଡଲାର୍ ନିଷ୍ପତ୍ତିକୁ