ପୁଣି ଉଗ୍ରରୂପ ଧାରଣ କରିଛି JNU ଛାତ୍ର ଆନ୍ଦୋଳନ, ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ

ଉତ୍ୟକ୍ତ ଛାତ୍ର ଭାଙ୍ଗିଲେ ପୋଲିସ ବ୍ୟାରିକେଡ

ପୁଣି ଉଗ୍ରରୂପ ଧାରଣ କରିଛି JNU ଛାତ୍ର ଆନ୍ଦୋଳନ, ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଉଗ୍ରରୂପ ଧାରଣ କରିଛି JNU ଛାତ୍ର ଆନ୍ଦୋଳନ । ଉତ୍ୟକ୍ତ ଛାତ୍ରମାନେ ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ପୋଲିସଙ୍କ ସହ ଅସଦ ବ୍ୟବହାର ପ୍ରଦର୍ଶନ କରିଛନ୍ତି । JNU ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ହଷ୍ଟେଲ ଫିସ ବୃଦ୍ଦି ପ୍ରତିବାଦରେ ସଂଘ ପକ୍ଷରୁ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚ କରିବାକୁ ପୂର୍ବରୁ ଘୋଷଣା ହୋଇଥିବାବେଳେ ମାର୍ଚ୍ଚ ଆରମ୍ଭ କରିଛନ୍ତି ଛାତ୍ର । ଅକ୍ଟୋବର ୩ରେ JNU ପ୍ରଶାସନ ପକ୍ଷରୁ ହଷ୍ଟେଲ ଫିସ ବୃଦ୍ଧି କରାଯାଇଥିଲା । ଛାତ୍ର ସଙ୍ଗଠନ ପକ୍ଷରୁ ଏହାର ତୀବ୍ର ବିରୋଧ ପରେ ଫିସ କମାଇଥିଲେ JNU ପ୍ରଶାସନ । ଦୀର୍ଘଦିନ ଧରି କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଛାତ୍ର ସଂଘ ଆଲୋଚନା ବଦଳରେ ଆନ୍ଦୋଳନକୁ ତୀବ୍ର କରିଛି । 

ପୂର୍ବରୁ ହଷ୍ଟେଲ ଫି ମାତ୍ର ୧୨୦ ଟଙ୍କା ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ୩୬୦୦ ଟଙ୍କା କରାଯାଇଥିଲା, ସିକ୍ୟୁରିଟି ଫିକୁ ୪୫୦୦ ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବିଶ୍ୱବିଦ୍ୟାଳୟରେ ୪୦% ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ବର୍ଦ୍ଧିତ ଫି ଅନେକଙ୍କ ଉପରେ ବୋଝ ହେବ ବୋଲି ପ୍ରତିବାଦ କରିଥିଲା ଛାତ୍ର ସଂସଦ । 

ନଭେମ୍ୱର ୧୧ ତାରିଖରେ ସୋମବାର JNU ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ଯୋଗ ଦେଇ ଭାଷଣ ଦେଉଥିବାବେଳେ କ୍ୟାମ୍ପସ ବାହାରେ ଚାଲିଥିଲା ଆନ୍ଦୋଳନ । ପ୍ରତିବାଦ ଉଗ୍ରରୂପ ନେବା ଆଶଙ୍କାରେ ବ୍ୟାରିକେଟର ବ୍ୟବସ୍ଥା କରିଥିଲା ପୋଲିସ । ମାତ୍ର ବ୍ୟାରିକେଟ ନ ମାନି ଆନ୍ଦୋଳନ ଅଧିକ ଉଗ୍ର ହୋଇଥିଲା ଓ ସେଦିନ ଋଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ । ତେବେ ପୁଣି କଲେଜ କ୍ୟାମ୍ପସ ଋଣକ୍ଷେତ୍ର ପାଲଟିବା ବାସ୍ତବିକ ଚିନ୍ତାର ବିଷୟ ।