)
ନୂଆଦିଲ୍ଲୀ: ଦେଶରେ କୋରୋନା ପାଇଁ ଲକଡାଉନ ସ୍ଥିତିକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏହାରି ସମୟ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ତେବେ ଏଭଳି ଏକ ସଂକଟ ସମୟରେ ପିଲାଙ୍କ ପାଠପଢା ପାଇଁ ଏଆଇସିଟିଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ପିଲାମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଏଆଇସିଟିଇ ୪୧ଟି ପୋର୍ଟାଲ ବା ଓ୍ୱେବସାଇଟର ତାଲିକା ପ୍ରସ୍ତୁତ କରିଛି। ଏହି ଓ୍ୱେବସାଇଟରେ ଛାତ୍ରାଛାତ୍ରୀ ମାଗଣାରେ ଏହି ଲକଡାଉନ ସମୟରେ ଘରେ ବସି ଶିକ୍ଷା ଗ୍ରହଣ କରିପାରିବେ।
ତେବେ ଏଆଇସିଟିଇ ଜାରି କରିଥିବା ଏହି ଓ୍ୱେବପୋର୍ଟାଲ ମଧ୍ୟରେ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ, ଅନଲାଇନ କୋର୍ସ, ନ୍ୟାସନାଲ ନଲେଜ ନେଟଓ୍ୱାର୍କ, ନ୍ୟାସନାଲ ପ୍ରୋଗ୍ରାମ ଅନ ଟେକ୍ନୋଲୋଜି ଲର୍ଣ୍ଣିଂ, ଇନଫୋ ପୋର୍ଟ, ଟାକ୍ସ ଟୁ ଟିଚର ସହିତ କିଛି ଅକ୍ସଫୋର୍ଟ ଓପନ, କ୍ୟାମ୍ୱ୍ରିଜ ୟୁନିଭର୍ସିଟି ପ୍ରେସ ଓ ସଦର୍ଣ୍ଣ କନେକ୍ଟିଟ ଷ୍ଟେଟ ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟ ଓ ପୋର୍ଟାଲ ସାମିଲ ରହିଛି।
ସୂଚନା ଯୋଗ୍ୟ ଗତ ମାର୍ଚ୍ଚ ମାସ ୨୪ ତାରିଖ ପରଠାରୁ ଦେଶରେ ଲକଡାଉନ ସ୍ଥିତି ଜାରି ରହିଛି। ଏହି ଲକଡାଉନ ଆସନ୍ତା ମେ ୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି। ଫଳରେ ଏହି ଲକଡାଉନ ଆରମ୍ଭ ହେବା ପରଠାରୁ ହିଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି। ଅଧିକାଂଶ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ବାଦ ଦେଲେ ଅବଶିଷ୍ଟ ସମସ୍ତ ଶ୍ରେଣୀର ପରୀକ୍ଷାକୁ ବାତିଲ କରିଦିଆଯାଇଛି। ସିବିଏସଇ ବୋର୍ଡର ପିଲାଙ୍କୁ ମଧ୍ୟ ପ୍ରମୋଟ କରିଦିଆଯାଇଥିବା ଜଣାପଡ଼ିଛି।