close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗ୍ରାସୁଛି ପ୍ରଦୂଷଣ ରାକ୍ଷସ, ମୁକୁଳିବା ଅସମ୍ଭବ

ବିଶ୍ୱ ପରିସଂଖ୍ୟନକୁ ଦେଖିଲେ, ପ୍ରତିବର୍ଷ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି

ଗ୍ରାସୁଛି ପ୍ରଦୂଷଣ ରାକ୍ଷସ, ମୁକୁଳିବା ଅସମ୍ଭବ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର:                                    ବିଶ୍ୱ ଦେଖ ମଧୁମୟ ହେ ଜୀବନ

                                                                        ବିଶ୍ୱ ଦେଖ ମଧୁମୟ

                                                                        ମଧୁର ଝରଣ କରିବ ହରଣ

                                                                        ତୋ ପାପ ମରଣ ଭୟ... ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ 'ଅର୍ଘ୍ୟଥାଳି' କାବ୍ୟର ଏହି ଉକ୍ତି ।  ବିଶ୍ୱକୁ ମଧୁମୟ ସହ ସେ ତୁଳନା କରିଥିଲେ । କିନ୍ତୁ ଆଜି ବିଶ୍ୱକୁ ମଧୁମୟ କହି ହେବ କି ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ୱାଭାବିକ । ଦୀପାବଳି ପରେ ପ୍ରତିବର୍ଷ ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତିତ ରହିଥାନ୍ତି । ଶୀତ ଦିନ ଆସିଲେ ଏହି ପ୍ରଦୂଷଣ ସାଙ୍ଘାତିକ ରୂପ ନେଇଥାଏ । ଏଥର ମଧ୍ୟ ନେଇଛି । ଦିଲ୍ଲୀବାସୀ କେମିତି ପ୍ରତିଦିନ ଏହି ଗ୍ୟାସ୍ ଚ୍ୟାମ୍ବରରେ ରହୁଛନ୍ତି, ସେକଥା କେବଳ ତାହାଙ୍କୁ ହିଁ ଜଣା । ଚଳିତବର୍ଷ ଦିଲ୍ଲୀ ପ୍ରଦୂଷଣ ସବୁ ସୀମାସରହଦ ପାର କରି ଯାଇଛି ।  ଦିନରେ କିଛି ବି ଦେଖାଯାଉନି । ଘର ଭିତର ବି କୁହୁଡ଼ିଆ କୁହୁଡ଼ିଆ ଲାଗୁଛି ।  ଚଳିତବର୍ଷ ବାୟୁର ଗୁଣବତ୍ତା ସୂଚୀ(AQI)ର ସୂକ୍ଷ୍ମ କଣିକା ସ୍ତର (ପିଏମ୍)  ୬୨୫ ଅତିକ୍ରମ କରିଛି, ଯାହାକି ପୂର୍ବରୁ କେବେ ହୋଇ ନଥିଲା ।  ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅଞ୍ଚଳରେ ଏହା ୬ ଶହ ଅତିକ୍ରମ କରିଛି ।  ୱଜିରପୁରରେ ବାୟୁ ଗୁଣବତା ସୂଚକାଙ୍କ ୯୧୯, ଆନନ୍ଦ ବିହାରରେ ୯୨୪, ଶାହଦରାରେ ୮୯୭, ପତପଡଗଞ୍ଜରେ ୬୨୨ ରେକର୍ଡ କରାଯାଇଛି। ଦିଲ୍ଲୀକୁ ଅପେକ୍ଷାକୃତ ସ୍ୱଚ୍ଛ କୁହାଯାଉଥିବା ଇଲାକା, ଯେମିତି କି ଚାଣକ୍ୟପୁରୀରେ ଆମେରିକା ଦୂତାବାସ ନିକଟରେ ସୂଚକାଙ୍କ ୪୭୮ ରହିଛି। ଯେତେବେଳେ କି ଜବାହର ଲାଲ ନେହେରୁ ଷ୍ଟାଡିୟମ ନିକଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୧୮ ଥିବା ରେକର୍ଡ ହୋଇଛି। NCRର ପବନ ମଧ୍ୟ ପ୍ରଦୂଷଣରୁ ଅଛୁଆଁ ନାହିଁ। ନୋଏଡ଼ା ସେକ୍ଟର-62ରେ  ଏୟାର କ୍ୱାଲିଟି ଇଣ୍ଡେକ୍ସ ୨.୫ର ସ୍ତର ୭୧୫, ଗାଜିଆବାଦର ବସୁନ୍ଧରାରେ ସୂଚକାଙ୍କ ୬୯୬ ଥିବା ରେକର୍ଡ ହୋଇଛି । ଏୟାର କ୍ୱାଲିଟି ଇଣ୍ଡେକ୍ସରେ ସୂଚକାଙ୍କ ୫୦ ରହିଲେ ହିଁ, ସେହି ବାୟୁକୁ ସୁଦ୍ଧ ପବନ ବୋଲି କୁହାଯାଇଥାଏ।ତେବେ ଏଥିପାଇଁ ଜନସାଧାରଣ ତ ନିଶ୍ଚିତ ଭାବେ ଦାୟୀ । କିନ୍ତୁ, ପରିବାରରେ ଯାହା କିଛି ଅସୁବିଧା ହେଲେ ବି ତାହାର ଉତ୍ତର ଦାୟୀ ରହିଥାନ୍ତି ଘରର ମୂରବୀ । ତେଣୁ ଏଥିପାଇଁ ଲୋକଙ୍କୁ ଦାୟୀ କରାଯିବା ସହ ସରକାରଙ୍କୁ ବି ନିଶ୍ଚିତ ଭାବେ ଦାୟୀ କରାଯିବ ଉଚିତ୍ । ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶ ସରକାରଙ୍କ ସମେତ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ । କାରଣ ପ୍ରତିବର୍ଷ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଥିଲେ ବି ଏଯାଏ ସରକାର କାହିଁକି ଏହାର ସ୍ଥାୟୀ ପ୍ରତିକାର କରୁନାହାନ୍ତି ?
ଦିଲ୍ଲୀରେ ସୋମବାର ଠାରୁ ଲାଗୁ ହୋଇଛି ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ପ୍ରତିଦିନ ଗାଡ଼ି ମୋଟର ଦିଲ୍ଲୀରେ ଚାଲିବ । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା କରିବା ଦ୍ୱାରା କ'ଣ ପ୍ରଦୂଷଣ ମାତ୍ରା ପୂରା  କମିଯିବ ? ସମୁଦ୍ରକୁ ଶଙ୍ଖେ ପାଣି ଭଳି ଏହି ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ପ୍ରଦୂଷଣକୁ ରୋକି ପାରିବ ନାହିଁ । ସରକାର ଲୋକଙ୍କ ପାଇଁ ଏଭଳି ନିୟମ କରିଥିବାବେଳେ ଲୋକମାନେ ହିଁ ଏହାକୁ ମାନୁନାହାନ୍ତି । ଏହା ପ୍ରଥମ ଦିନରୁ ହିଁ ଜଣାପଡ଼ିଯାଇଛି । ପ୍ରଥମ ଦିନରୁ ହିଁ କେତେକ ଲୋକ ଏହି ନିୟମର ଅବମାନନା କରିବା ସହ ବିଜେପି ନେତା ବିଜୟ ଗୋଏଲ ମଧ୍ୟ ନିୟମର ଅବମାମନା କରିଛନ୍ତି । ସେ ଚାରି ହଜାର ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି । ତାଙ୍କ ପରି ଲୋକ ସେବକ ଯଦି ଏଭଳି କରିବେ, ତେବେ ସାଧାରଣ ଲୋକ ତ ନିହାତି ପ୍ରଶ୍ନ ଉଠାଇବେ । ସେହିପରି ଉତ୍ତର ପ୍ରଦେଶ ସରକାର ମଧ୍ୟ ଏହି ଯୁଗ୍ମ ଅଯୁଗ୍ମ ଫର୍ମୁଲାକୁ ଆପଣାଇବାକୁ ସ୍ଥିର କରୁଛନ୍ତି ।

ବିଶ୍ୱ ପରିସଂଖ୍ୟନକୁ ଦେଖିଲେ, ପ୍ରତିବର୍ଷ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ୨୦୧୭ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁ ୨୦ ଲକ୍ଷ ୯୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି କେବଳ ଚାଇନାରେ ୨୦୧୭ ମସିହାରେ ୮ ଲକ୍ଷ ୫୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭାରତରେ ୬ ଲକ୍ଷ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ । ଭାରତରେ ଏହି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।
ଧନୀରାଷ୍ଟ୍ର ଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନ କୌଶଳ ସମେତ ଉତ୍ତମ ସଚେତନନତା ଯୋଗୁ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା କମ୍ ହୋଇଥାଏ । ସେହିପରି ଯେଉଁ ରାଷ୍ଟ୍ର ଗୁଡ଼ିକର ଆୟ କମ୍, ସେହି ରାଷ୍ଟ୍ରରେ ବି ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା କମ୍ । କିନ୍ତୁ ମଧ୍ୟମ ଆୟ ଜନିତ ରାଷ୍ଟ୍ର ଏବଂ ଅଧିକ ଶିଳ୍ପ ଥିବା ରାଷ୍ଟ୍ରରେ ଏହି ମୃତ୍ୟୁ ସଂଖ୍ୟା ଢେର୍ ଅଧିକ । 
 
ସେହିପରି ଭାରତରେ ୧୫ଟି ସର୍ବାଧିକ ପ୍ରଦୂଷଣ ସହର ମଧ୍ୟରୁ ୧୪ଟି ସହରର ପ୍ରଦୂଷଣ ୨.୫ ପିଏମ୍ ସ୍ତରରୁ ଅଧିକ ରହିଛି । ଏହାରି ଭିତରେ ଦିଲ୍ଲୀ, ପାଟଣା, ଆଗ୍ରା, ମୁଜାଫରପୁର, ଶ୍ରୀନଗର ଗୁରଗାଓଁ ଭଳି ସହର ରହିଛନ୍ତି । ତେଣୁ, କହିବାକୁ ଗଲେ ପ୍ରଦୂଷଣ ସ୍ତର ଏବେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଓଡ଼ିଶା ମଧ୍ୟ ଏହି ପ୍ରଦୂଷଣ ରାକ୍ଷସରୁ ମୁକ୍ତି ପାଇନି । ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୁଳ, ତାଳଚେର, ଝାରସୁଗୁଡ଼ା, ବ୍ରଜରାଜନଗର, ସମ୍ୱଲପୁର ଆଦି ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ବାତ୍ୟା ଫନି ପରେ ଭୁବନେଶ୍ୱରରେ ପ୍ରଦୂଷଣ ମାତ୍ରା ଆହୁରି ଅଧିକ ରହିଛି ।

ଗତବର୍ଷ ବି ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଦିଲ୍ଲୀ ସରକାରଙ୍କ ସମେତ ହରିୟାଣା ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଏଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ । କିନ୍ତୁ ତାହା କେତେ ଫଳପ୍ରଦ ହୋଇଛି, ତାହା ଚଳିତବର୍ଷର ପ୍ରଦୂଷଣକୁ ଦେଖିଲେ ସ୍ପଷ୍ଟ ଅନୁମେୟ କରିହେଉଛି । ହରିୟାଣା ସରକାର ଦିଲ୍ଲୀ ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ।  ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି । ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସରକାର ଖୋଦ୍ ଅଛନ୍ତି । ସିଏ ଚାହିଁଲେ କ'ଣ ଏଦିଗରେ ପଦକ୍ଷେପ ନେଇ ପାରନ୍ତେ ନାହିଁ ? କ୍ଷମତା ରାଜନୀତିରେ ଅନ୍ଧ ହୋଇ ସମାଜକୁ ବିପଦକୁ ଠେଲିଦେବା କେତେ ଯଥାର୍ଥ ?
ଏଠି ଆଉ ଏବେ ବିଶ୍ୱକୁ ମଧମୟ ଭାବରେ ଦେଖାଯାଉନି, ପରିସ୍ଥିତି ଏମିତି ହୋଇଯାଇଛି ଯେ ଏବେ ବିଷ ବଳୟରେ ସମଗ୍ର ପୃଥିବୀ ରହିଛି । ଏଥିରୁ ମୁକ୍ତି ପାଇବା ଅସମ୍ଭବ । ତେଣୁ, ବେଳ ଥାଉ ବନ୍ଧ ନ ବାନ୍ଧିଲେ ପରିସ୍ଥିତି ଭୟାନକ ହୋଇଯିବ । ପ୍ରତିଟି ଲୋକ ସଚେତନ ହେବା ସଙ୍ଗେ ସରକାର ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ନିହାତି ଦରକାର । ନ ହେଲେ ମଣିଷର ଆୟୁଷ ସଙ୍ଗେ ସଙ୍ଗେ ପୃଥିବୀର ବି ପରମ ଆୟୁ ଯଥେଷ୍ଟ କମିଯିବ ।