close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜି ବାୟୁସେନା ଦିବସ, ଦୁନିଆ ଦେଖିଲା ବାୟୁସେନାର ପରାକ୍ରମ

ଭାରତ ପାଳୁଛି ୮୭ତମ ବାୟୁସେନା ଦିବସ । ହିଣ୍ଡନ୍ ଏୟାରବେସରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ସାମିଲ ହେଲେ ତିନି ସେନା ମୁଖ୍ୟ । କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ବି ସାମିଲ ।

ଆଜି ବାୟୁସେନା ଦିବସ, ଦୁନିଆ ଦେଖିଲା ବାୟୁସେନାର ପରାକ୍ରମ
ହିଣ୍ଡନରେ ବାୟୁସେନା ହେଲିକ୍ୟାପ୍ଟରଙ୍କ ରଣକୌଶଳ ପ୍ରଦର୍ଶନ

ଗାଜିଆବାଦ: ଆଜି ଭାରତ ପାଳୁଛି ୮୭ତମ ବାୟୁସେନା ଦିବସ । ଏଥିପାଇଁ ଉତ୍ତରପ୍ରଦେଶର ଗଜିଆବାଦ ନିକଟରେ ଥିବା ହିଣ୍ଡନ୍ ଏୟାରବେସରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତୀୟ ବାୟୁସେନା । ଏହି ଅବସରରେ ବାଲାକୋଟ୍ ଏୟାରଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ୍ ଓ ସ୍କ୍ୱାର୍ଡନ୍ ଲିଡର୍ ଅଭିନନ୍ଦନ ବର୍ତ୍ତମାନ ମଧ୍ୟ ସାଜିଥିଲେ ଏହି ବାୟୁସେନା ଦିବସ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ । ମିଗ୍ ବାଇସନ୍ ବିମାନ ଉଡାଣ କରି ଦର୍ଶକଙ୍କର ଅଭିବାଦନ ଗ୍ରହଣ କରିଥିଲେ ଅଭିନନ୍ଦନ ।

ତେବେ ଚଳିତ ବାୟୁସେନା ଦିବସର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିବା ଓ ଏହି କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ସାମିଲ୍ ହୋଇଥିବା ଚିନୁକ୍ ହେଲିକ୍ୟାପ୍ଟର, ସ୍ୱଦେଶୀ ଯୁଦ୍ଧ ବିମାନ ତେଜସ୍ ଓ ଯୁଦ୍ଧ ହେଲିକ୍ୟାପ୍ଟର ଅପାଚେ ମଧ୍ୟ ଦର୍ଶକମାନଙ୍କର ଖୁବ୍ ମନୋରଞ୍ଜନ କରିଥିଲେ । ଏହିସବୁ ବିମାନଗୁଡ଼ିକ ଆକାଶରେ ଉଡ଼ାଣ ଭରି ଦେଶର ଜନତାଙ୍କୁ ଦେଶ ସୁରକ୍ଷିତ ଥିବା ନେଇ ସନ୍ଦେଶ ଦେଇଛନ୍ତି । ଏହାସହ ଶତ୍ରୁପକ୍ଷ ଦେଶମାନଙ୍କୁ ମଧ୍ୟ ଏକ ସନ୍ଦେଶ ଦେଇଛନ୍ତି ଯେ ଭାରତ ବି କୌଣସି କ୍ଷେତ୍ରରେ କାହାଠୁ କମ୍ ନୁହେଁ ।

ଆଜିର ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଥିବା ବାୟୁସେନା ହିରୋ ଅଭିନନ୍ଦନ ବର୍ତ୍ତମାନ ତାଙ୍କ ମିଗ୍ -୨୧ ବାଇସନ୍ ବିମାନ ଉଡ଼ାଇଥିଲେ । ସେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନର ପିଛା କରୁଥିବା ସମୟରେ ପିଓକେ ମଧ୍ୟରେ ପ୍ରବେଶ କରି ଏଫ୍-୧୬ କୁ ମାରି ଖସାଇଥିଲେ । ଯାହାକୁ ଆଜି ବି ସାରା ଦେଶ ମନେ ରଖିଛି । 

ଆଜିର କାର୍ଯ୍ୟକ୍ରମରେ ମିରାଜ-୨୦୦୦, ସୁଖୋଇ ଏବଂ ଗ୍ଲୋବମାଷ୍ଟର ବିମାନ ଭଳି ଆହୁରି ଅନେକ ବିମାନ ନିଜ ନିଜ ରଣକୌଶଳ ପ୍ରଦର୍ଶିତ କରିଥିଲେ । ବାୟୁସେନା ଦିବସ ଅବସରରେ ସର୍ବପ୍ରଥମେ ଏୟାର୍ ୱାରିୟର୍ (ବାୟୁ ଯୋଦ୍ଧା)ର ଡ୍ରିଲ୍ ଟିମ୍ ନିଜ ଜୋସ୍ ଦେଖାଇଥିଲେ । ଏହି ଯବାନମାନେ ୫ କିଲୋ ଓଜନର ବନ୍ଧୁକକୁ ଖେଳନା ଭଳି ଏପଟେ ସେପଟେ ବୁଲାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ ।

ସୁମିତ୍ ତିୱାରୀ ଏହି ଦଳର ନେତୃତ୍ୱ ନେଇଥିଲେ । କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ରାକେଶ୍ କୁମାର ଭଦୋରିୟା ନିଜ ସମ୍ବୋଧନରେ ସହିଦ୍ ହୋଇଥିବା ବାୟୁସେନାର ଯବାନଙ୍କୁ ମନେ ପକାଇଥିଲେ ଏବଂ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରିଥିଲେ । ଏହା ସହ ସେ ଶତ୍ରୁ ଦେଶକୁ ମଧ୍ୟ ନିଜ ଭାଷଣରେ କଡ଼ା ଚେତାବନୀ ଦେଇଛନ୍ତି । ଭାରତର ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯିବନି । ଶତ୍ରୁ ଭାରତର କୌଣସି କ୍ଷତି ପହଞ୍ଚାଇବା ପାଇଁ ଚାହିଁଲେ, ଭାରତୀୟ ବାୟୁସେନା ସଙ୍ଗେ ସଙ୍ଗେ ଏହାର ଉଚିତ୍ ଜବାବ୍ ଦେଵ ବୋଲି କହିଛନ୍ତି ଏୟାର୍ ମାର୍ଶାଲ୍ ଭଦୋରିୟା । ସମସ୍ତ ପ୍ରତିକୂଳ ପାଗ ଓ ପରିସ୍ଥିତି ପାଇଁ ଭାରତୀୟ ବାୟୁ ସେନା ସର୍ବଦା ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ଭାରତୀୟ ବାୟୁସେନା ଦିବସ ଉପଲକ୍ଷେ ବାୟୁସେନା ମୁଖ୍ୟଙ୍କ ସହ ସ୍ଥଳ ସେନା ମୁଖ୍ୟ ଓ ନୌସେନା ମୁଖ୍ୟ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ସାମିଲ୍ ଥିଲେ । ଏହାସହ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଭାବେ ସମ୍ମାନ ପାଇଥିବା କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର୍ ମଧ୍ୟ ବାୟୁସେନା ଦିବସ ଅବସରରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।