ନିଲମ୍ବିତ ହେଲେ ଡ୍ରାଇଭର, ତେଲ ସରିଯିବାରୁ ଚାଲି ଯାଇଥିଲା ପ୍ରସୂତିଙ୍କ ଜୀବନ
Advertisement

ନିଲମ୍ବିତ ହେଲେ ଡ୍ରାଇଭର, ତେଲ ସରିଯିବାରୁ ଚାଲି ଯାଇଥିଲା ପ୍ରସୂତିଙ୍କ ଜୀବନ

ମୟୂରଭଞ୍ଜରୁ ତେଲ ସରିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଲମ୍ବିତ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ନିଲମ୍ବିତ ହେଲେ ଡ୍ରାଇଭର, ତେଲ ସରିଯିବାରୁ ଚାଲି ଯାଇଥିଲା ପ୍ରସୂତିଙ୍କ ଜୀବନ

ପ୍ରିୟବ୍ରତ ମିଶ୍ର,ମୟୂରଭଞ୍ଜ : ମୟୂରଭଞ୍ଜରୁ ତେଲ ସରିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଲମ୍ବିତ କରିଛନ୍ତି ।  ଗତ ୫ ତାରିଖରେ ବାରିପଦା ବାଙ୍ଗିରିପୋଷି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଥିଲା । ଆମ୍ୱୁଲାନ୍ସରୁ ତେଲ ସରିବଯିବାରୁ, ଗୁରୁତର ଅବସ୍ଥାରେ ରାସ୍ତାରେ ଦୀର୍ଘ ଦେଢ ଘଣ୍ଟାରୁ ଅଧିକ ଅପେକ୍ଷା କରିଥିଲେ ପ୍ରସୂତି । କିନ୍ତୁ ପ୍ରସବ ପୂର୍ବରୁ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ।  

ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଡ୍ୟୁଟିରେ ଥିବା ଆମ୍ବୁଲାନ୍ସରୁ କିମିତି ତେଲ ସରିଲା, ତାକୁ ନେଇ ନାନା ଆଡ଼ୁ ପ୍ରଶ୍ନ କରାଯାଉଛି ।  ସେପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।  ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସୁଛି ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ଏଭଳି ହୃଦୟବିଦାରକ ଘଟଣାକୁ ନେଇ ସବୁ ରାଜନୈତିକ ଦଳ ସରକାରଙ୍କୁ ଘେରିଛନ୍ତି ।  ଘଟଣା ପାଇଁ ତଳିଆ ଅଧିକାରୀଙ୍କୁ ଦୋଷ ଦେଇଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।   ବିଜେପି କିନ୍ତୁ ସିଧାସଳଖ ସରକାରଙ୍କୁ ଘେରିଛି ।  ମୋ ସରକାର କଥା କହି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ଏଭଳି ଘଟଣା 'ମୋ ସରକାର' ସଫଳତାକୁ ପ୍ରତିଫଳିତ କରୁଛି କହି କଟାକ୍ଷ କରିଛି ବିଜେପି ।  କେନ୍ଦ୍ର ସରକାର ଅର୍ଥ ଦେଲେ, ଆମ୍ବୁଲାନ୍ସ ଦେଲେ କିନ୍ତୁ ରାଜ୍ୟ ସରକାର ତେଲ ଦେଇ ପାରୁନାହାନ୍ତି ।  ଯାହାଫଳେ ଜୀବନ ପଳାଉଛି ବୋଲି ଅଭିଯୋଗ ଉଠାଇଛି ବିଜେପି ।   

ଶନିବାର ଏହି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଘଟିଥିଲା ।  ପ୍ରସୂତିଙ୍କୁ ନେଇ ଯାଉଥିଲା ଆମ୍ୱୁଲାନ୍ସ ।  ଅଧାରାସ୍ତାରେ ଏହାର ତେଲ ସରି ଯାଇଥିଲା ।  ପ୍ରସବ ଯନ୍ତ୍ରଣା ସହ ପ୍ରସୂତି ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ।  ଆଉ ଶେଷରେ ମାଆ ସହିତ ଛୁଆର ବି ଜୀବନ ଚାଲି ଯାଇଥିଲା ।  ଶନିବାର ହାଣିଦା ଗାଁର ତୁଳସୀ ମୁଣ୍ଡାଙ୍କ ଗର୍ଭଯନ୍ତ୍ରଣା ହେବାରୁ ବାଙ୍ଗିରିପୋଷି ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।  ହେଲେ ରାତିରେ ତାଙ୍କ ଅବସ୍ଥା ଖରାପ ହେବାରୁ ବାଙ୍ଗିରିପୋଷି ଡାକ୍ତରଖାନାର ଆମ୍ୱୁଲାନ୍ସରେ ବାରିପଦା  ମେଡିକାଲ କଲେଜକୁ ସ୍ଥାନନ୍ତର କରାଯାଉଥିଲା ।  ଅଧା କିନ୍ତୁ ବାଟରେ ଆମ୍ବୁଲାନ୍ସରୁ ତେଲ ସରି ଯାଇଥିଲା ।  ଫଳରେ ପାଖାପାଖି  ଘଣ୍ଟାଏରି ଅଧିକ ସମୟ ଅପେକ୍ଷା ପରେ ଆମ୍ୱୁଲାନ୍ସ ଆସିଥିଲା ଓ ତୁଳସୀଙ୍କୁ ବାରିପଦା ଆଣାଯାଇଥିଲା ।  ସେତେବେଳକୁ କିନ୍ତୁ ତୁଳସୀ ଓ ତାଙ୍କ ଛୁଆର ମୃତ୍ୟୁ ହୋଇଯାଇଥିଲା ।  ପୂର୍ବରୁ ଆମ୍ୱଲାନ୍ସ ପହଞ୍ଚିବାରେ ବିଳମ୍ୱ, ରାସ୍ତା ଠିକ୍ ନଥିବାରୁ ଆମ୍ୱୁଲାନ୍ସ ନ ପାରିବାର ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସିଛି ।  କିନ୍ତୁ ଏଭଳି ଘଣଟା ସାମ୍ନାକୁ ଆସିବା ଦୁଃଖଦ ଓ ଲଜ୍ଜାଜନକ ।