୨ ଲକ୍ଷ ନୁହେଁ, ୬୦ ହଜାର ମୃତ୍ୟୁ ହେବାର ରହିଛି ଆଶଙ୍କା
Trending Photos
)
ୱାସିଂଟନ: ଆମେରିକାରେ କୋରୋନା ତାଣ୍ଡବ । ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍ । ସମସ୍ତ ୫୦ ରାଜ୍ୟରେ ବିପର୍ଯ୍ୟୟ ଘୋଷଣା । ୯୫ ପ୍ରତିଶତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ନ୍ୟୁୟର୍କରେ ଅତି ସାଙ୍ଘାତିକ ସ୍ଥିତ । ଶନିବାର ରାତି ପର୍ଯ୍ୟନ୍ତ କେବଳ ନ୍ୟୁୟର୍କରେ ହିଁ ମୃତ୍ୟୁ ସଂଖ୍ୟା ୮୬୨୭ ଛୁଇଁଲାଣି ।
ଶନିବାର କୋରୋନା ଜନିତ ମୃତ୍ୟୁସଂଖ୍ୟାରେ ଇଟାଲୀକୁ ମଧ୍ୟ ଅତିକ୍ରମ କରିଯାଇଥିଲା ଆମେରିକା । ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଆମେରିକାରେ ୨୦ ହଜାର ପାର୍ କଲାଣି । ଆମେରିକା ତଳକୁ ଇଟାଲୀ ଦ୍ୱିତୀୟରେ ରହିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୯୪୬୮ ରହିଛି । ତେବେ ଆମେରିକାର ଆକ୍ରାନ୍ତଙ୍କ ସଂଖ୍ୟା ଯଦି ଦେଖାଯାଏ, ତେବେ ଅତି ଭୟଙ୍କର ସ୍ଥିତି । ୫.୩ ଲକ୍ଷ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ସମସ୍ତ ୫୦ ରାଜ୍ୟରେ ବିପର୍ଯ୍ୟୟ ଘୋଷଣା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହାସହ ଆମେରିକାର ସମସ୍ତ ୫୦ ରାଜ୍ୟରେ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଦେଶର ୩୩ କୋଟି ଜନସଂଖ୍ୟା ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ୧୯ରୁ ନିସ୍ତାର ପାଇବା ପାଇଁ ୫୦ ହଜାରରୁ ଉର୍ଦ୍ଧ୍ୱ ସଶସ୍ତ୍ର ବଳଙ୍କୁ ନିୟୋଜିତ କରାଯାଇଛି । ଆସନ୍ତା ଏପ୍ରିଲ ୩୦ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ସତ୍ତ୍ୱେ ମଧ୍ୟ ଆମେରିକାରେ ମୃତ୍ୟୁ ସଂଖ୍ୟା ୬୦ ହଜାର ହେବ ବୋଲି ଆଶଙ୍କା କରାଯାଉଛି ।
ପୂର୍ବରୁ ହ୍ୱାଇଟ ହାଉସ ଟାସ୍କ ଫୋର୍ସ ସଦସ୍ୟ କୋରୋନା କାରଣରୁ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ନେଇ ଆଶଙ୍କା କରିଥିଲେ । ତେବେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନିଆଯ।ଉଥିବା ପଦକ୍ଷେପ ପରେ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା କରାଯାଉଛି । ତେବେ ଏବେ ମଧ୍ୟ ୬୦ ହଜାର ଲୋକଙ୍କ ମୃତ୍ୟୁ ହେବ ବୋଲି ଆଶଙ୍କା ରହିଛି ।