ନୂଆଦିଲ୍ଲୀ: ରାଜ୍ୟପାଳଙ୍କୁ ଭେଟିବେ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ସଟ୍ଟର । ସରକାର ଗଠନ ପାଇଁ ଦାବି କରିବେ । ଯଦିଓ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନାହିଁ, ତଥାପି ମଧ୍ୟ ସ୍ୱାଧିନ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇବ ବିଜେପି । ଏଥିପାଇଁ ସଟ୍ଟର ରାଜ୍ୟପାଳଙ୍କୁ ସମୟ ମାଗିଥିବା ଜଣାପଡିଛି ।
ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ହରିୟାଣା ରାଜ୍ୟପାଳ ଶ୍ରୀ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସମୟ ମାଗିଛନ୍ତି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ଦଳକୁ ବହୁମତ ମିଳିନି ସତ, ହେଲେ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିଜେପି ରାଜ୍ୟପାଳଙ୍କ ପାଖରେ ସରକାର ଗଠନ ପାଇଁ ଦାବି କରିବ । ବହୁମତ ଥିବା ଦର୍ଶାଇବ । ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଏଠି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୋଟ ଗଣତି ଶେଷ ପର୍ଯ୍ୟାୟ ପୂର୍ବରୁ ହରିୟାଣାରେ ସରକାର ଗଢିବା ନେଇ ଆଶାବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆମିତ ଶାହ । ଟ୍ୱିଟ କରି ଶାହ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ନେତୃତ୍ୱରେ ଖଟ୍ଟର ସରକାର ଲୋକଙ୍କ ପାଇଁ ବହୁତ କିଛି କରିବାକୁ ପ୍ରୟାସ କରିଛନ୍ତି । ହରିୟାଣା ଜନତାଙ୍କ କଲ୍ୟାଣ ପାଇଁ ଯଥାସମ୍ଭବ ଉଦ୍ୟମ ହୋଇଛି ।
ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭାୟମାନ ହୋଇଛି । ତେଣୁ ପୁଣିଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଜନତାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଶାହ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ଗଣତିର ରିପୋର୍ଟ ଯାହା ରହିଛି, ବିଜେପି ୩୭ ଆସନରେ ବିଜୟୀ ହୋଇଛି । ୩ ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୩୧ ଆସନରେ ବିଜୟୀ ହୋଇଛି । ସେହିପରି ଜେଜେପି ୧୦ ଆସନରେ ବିଜୟୀ ହୋଇଛି । ବର୍ତ୍ତମାନର ସ୍ଥିତି କହୁଛି, ବିଜେପିକୁ ସରକାର ଗଠନ କରିବାକୁ ହେଲେ ୫ରୁ ୭ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେବେ ସମୟ କହିବ, ସରକାର ଗଠନ କରିବାରେ ବିଜେପି ସଫଳ ହେବ ନା ନାହିଁ ।