ଜାତୀୟ ମୁଦ୍ଦା ଆଣିଦେବ ଦିଲ୍ଲୀ !

ଶାହ ଅସ୍ତ୍ର: ରାଜ୍ୟକୁ ଭେଦ କରିନଥିଲା, ରାଜଧାନୀକୁ ଭେଦିବ ତ ? 

ଜାତୀୟ ମୁଦ୍ଦା ଆଣିଦେବ ଦିଲ୍ଲୀ !
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ଥିବା ବେଳେ ବିଗତ ୨ ଦିନରେ ୬ଟି ରାଲି କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ତେବେ ଏହି ୬ ରାଲିରେ ଶାହ ଜାତୀୟ ମୁଦ୍ଦାକୁ ବେଶି ଫୋକସ କରୁଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ରାଲିରେ ୨୦ ମିନିଟ ଭାଷଣ ମଧ୍ୟରୁ ୧୨ରୁ ୧୫ ମିନିଟ କେବଳ ଜାତୀୟ ମୁଦ୍ଦା ଉଠାଉଛନ୍ତି । ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଜେପିର ଜାତୀୟ ମୁଦ୍ଦା ରଣନୀତି ଫେଲ ମାରିଥିବା ବେଳେ ଜାତୀୟ ରାଜଧାନୀରେ ଏହା କାମ କରିବ ତ ?  

ଶାହ ନିର୍ବାଚନୀ ରାଲିରେ ଶାହୀନ ବାଗ, ରାମମନ୍ଦିର, ପାକିସ୍ତାନ ଇତ୍ୟାଦି ମୁଦ୍ଦା ଉପରେ ବେଶି ଫୋକସ କରୁଛନ୍ତି । ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରୁଛନ୍ତି । ସେହିପରି ରାମମନ୍ଦିର ପ୍ରସଙ୍ଗରେ ବାଃ ବାଃ ନେବାକୁ ଭୁଲୁନାହାଁନ୍ତି । ୪ ମାସ ଭିତରେ ରାମ ମନ୍ଦିର କାମ ଆରମ୍ଭ ହେବ ବୋଲି ବାରମ୍ବାର କହୁଛନ୍ତି ଅମିତ ଶାହ । 

କଂଗ୍ରେସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ମଧ୍ୟ ବର୍ଷୁଛନ୍ତି । ମାତ୍ର ଆଞ୍ଚଳିକ ମୁଦ୍ଦା ଉପରେ ବିଜେପି ଏତେ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି । ଆପ୍ ସରକାର ଯେଉଁପରି ଭାବରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ବିଭିନ୍ନ ପ୍ରକାର ମାଗଣା ସ୍କିମ ସବୁ କରିଛନ୍ତି, ସେସବୁକୁ କାଉଣ୍ଟର କରିବା ବିଜେପି ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । କାହିଁକିନା ଦିନେ ଆପ୍ ସରକାରଙ୍କ ଯେଉଁ ସବୁ ଯୋଜନାକୁ ବିଜେପି ବିରୋଧ କରୁଥିଲା, ଏବେ ନିର୍ବାଚନ ସମୟରେ  ତାକୁ ବିରୋଧ କରିବା ମଧ୍ୟ ସମ୍ଭବ ନୁହେଁ । କାହିଁକିନା ବିଜେପି ଭଲରେ ବୁଝି ସାରିଛି, ପାଣି, ବିଜୁଳ ଇତ୍ୟାଦି ମାଗଣା ସେବାକୁ ବିରୋଧ କଲେ ଦିଲ୍ଲୀ ଲୋକଙ୍କଠୁ ସମର୍ଥନ ମିଳିବନି । ତେଣୁ ଏକ୍ଷେତ୍ରରେ ମଧ୍ୟ ଆତ୍ମସମ୍ମାନର କାର୍ଡ଼ ଖେଳିଛି ଗେରୁଆ ଦଳ । 

ଶାହ ଏବେ ଦିଲ୍ଲୀ ପ୍ରଚାରରେ ଲାଗି ପଡ଼ିଛନ୍ତି । ହେଲେ ଶାହଙ୍କ ପାଖରେ ଆଞ୍ଚଳିକ ମୁଦ୍ଦା କମ୍ ଏବଂ ଜାତୀୟ ମୁଦ୍ଦା ଅଧିକ ଥିଲା ପରି ମନେ ହେଉଛି । ବିଗତ ଦିନରେ ଝାଡ଼ଖଣ୍ଡରେ ମଧ୍ୟ ସମାନ ରଣନୀତି ଆପଣାଇଥିଲା ଭାରତୀୟ ଜନତା ପାର୍ଟି, ଯାହା ଏବେ ଦିଲ୍ଲୀରେ ଦେଖିବାକୁ ମିଳୁଛି । ତେବେ ଝାଡ଼ଖଣ୍ଡରେ ବିଜେପିକୁ 'ମହା' ଝଟକା ଲାଗିଥିଲା । ହେଲେ ଜାତୀୟ ରାଜଧାନୀରେ ଏହା କେତେ ସଫଳ ହେଉଛି, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ । 

ଆହୁରି ପଢ଼ନ୍ତୁ; ରାଜ ଠାକରେ ଗେରୁଆ ହେବା ଦେଖି ରକ୍ତ ଚାଉଳ ଚୋବାଇଲା ଶିବସେନା !