ଦିଲ୍ଲୀରେ 'ମହା' ନାଟକ: ସିବଲ କହିଲେ, ଶାହଙ୍କ ଅଭିଜ୍ଞତା ବହୁତ
Advertisement

ଦିଲ୍ଲୀରେ 'ମହା' ନାଟକ: ସିବଲ କହିଲେ, ଶାହଙ୍କ ଅଭିଜ୍ଞତା ବହୁତ

ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ସରଗରମ ଦିଲ୍ଲୀ ରାଜନୀତି । ଏହି ପ୍ରସଙ୍ଗରେ କେବଳ ରାଜ୍ୟ ନେତୃତ୍ୱ ନୁହେଁ, ଜାତୀୟ ସ୍ତରୀୟ ନେତା ବି ମୁହାଁମୁହିଁ ହେଲେଣି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ସରଗରମ ଦିଲ୍ଲୀ ରାଜନୀତି । ଏହି ପ୍ରସଙ୍ଗରେ କେବଳ ରାଜ୍ୟ ନେତୃତ୍ୱ ନୁହେଁ, ଜାତୀୟ ସ୍ତରୀୟ ନେତା ବି ମୁହାଁମୁହିଁ ହେଲେଣି । ଏହି କ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବୟାନକୁ ଆଜି କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ । ଗତକାଲି ରାଜ୍ୟପାଳଙ୍କ ସୁପାରିଶକୁ ଠିକ ବୋଲି କହିଥିଲେ ଶାହ । 

ଆଜି ଅମିତ ଶାହଙ୍କୁ କଟାକ୍ଷ କରି କପିଲ ସିବଲ କହିଛନ୍ତି, ରାଷ୍ଟ୍ରପତି ଶାସନ ଲାଗୁ କ୍ଷେତ୍ରରେ ଶାହଙ୍କ ଅଭିଜ୍ଞତା ବହୁତ । ରାଜନୈତିକ ଦଳଗୁଡିକୁ ଭାଙ୍ଗିବା ଆଉ ଯୋଡିବା ଶାହଙ୍କୁ ଭଲ ଭାବରେ ଜଣା । ବହୁ ରାଜ୍ୟରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହାର ଉଦାହରଣ ଦେବାକୁ ଯାଇ ଗୋଆ ଏବଂ କର୍ଣ୍ଣାଟକର ନାଁ ନେଇଛନ୍ତି ସିବଲ ।  

ମହାରାଷ୍ଟ୍ର ପ୍ରସଙ୍ଗରେ କ'ଣ କହିଥିଲେ ଶାହ ?

ଗତକାଲି ପ୍ରଥମଥର ପାଇଁ ମହାରାଷ୍ଟ୍ର ରାଜନୀତିକୁ ନେଇ ମୁହଁ ଖୋଲିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ମହାରାଷ୍ଟ୍ର ନାଟକରେ ରାଜ୍ୟପାଳଙ୍କ ଭୂମିକାକୁ ସମର୍ଥନ କରିଥିଲେ ସେ । ଶାହଙ୍କ କହିବା କଥା ଏହା ଥିଲା ଯେ, ସରକାର ଗଠନ ପାଇଁ ସମସ୍ତ ରାଜନୈତିକ ଦଳକୁ ପର୍ଯ୍ୟାପ୍ତ ସମୟ ମିଳିଥିଲା । ସରକାର ଗଠନ ପାଇଁ ୧୮ ଦିନ ସମୟ ଥିଲା । ହେଲେ କେହି ମଧ୍ୟ ରାଜ୍ୟପାଳଙ୍କ ପାଖରେ ଦାବି ଜଣାଇନଥିଲେ । 

ଶାହ ଆହୁରି ମଧ୍ୟ କହିଥିଲେ, ପରବର୍ତ୍ତୀ ସମୟରେ ବିଧାନସଭା କାର୍ଯ୍ୟକାଳ ସରିବା ପରେ ରାଜ୍ୟପାଳ କ୍ରମାନ୍ୱୟରେ ବିଜେପି, ଶିବସେନା ଏବଂ ଏନସିପିକୁ ଆମନ୍ତ୍ରଣ କରିଥିଲେ । ବିଜେପି ସରକାର ଗଠନ ପାଇଁ ଅନିଚ୍ଛା ପ୍ରକାଶ କରିଥିଲା । ଶିବସେନା କିମ୍ବା ଏନସିପି ମଧ୍ୟ ସରକାର ଗଠନ ପାଇଁ ବହୁମତ ଥିବା ରାଜ୍ୟପାଳଙ୍କ ପାଖରେ ଦର୍ଶାଇପାରିଲେ ନାହିଁ । ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ । 

ନୂଆ ସରକାର ଗଠନ ପାଇଁ ଏବେବି ସମୟ ଅଛି । ଯଦି କୌଣସି ଦଳ ପାଖରେ ସରକାର ଗଠନ ନେଇ ଆବଶ୍ୟକୀୟ ସଂଖ୍ୟା ଅଛି, ତେବେ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରିବା ଦରକାର । ରାଜ୍ୟପାଳ କାହାକୁ ସୁଯୋଗ ଦେବାକୁ ମନା କରିବେ ନାହିଁ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।